ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ଥାନା ଅନ୍ତର୍ଗତ ଭଇଁଷାଦାନୀ ପଞ୍ଚାୟତର ପାଟଦରା-ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରୁ ମାଓବାଦୀଙ୍କ ଏକ ସନ୍ଦିଗ୍ଧ ଗୁପ୍ତ କ୍ୟାମ୍ପ ଓ ବିସ୍ଫୋରକ ସାମଗ୍ରୀ ଭଣ୍ଡାର ଠାବ ହୋଇଛି। ଜଙ୍ଗଲ ମଧ୍ୟରେ ମାଟିତଳେ ଲୁଚାଇ ରଖାଯାଇଥିବା ୭ଟି ଅଫୁଟା ପ୍ରେସର କୁକର ଆଇଇଡି ସହ ୪ ବଣ୍ଡଲ ବିଦ୍ୟୁତ୍ ତାର ଜବତ କରିଛି ନୂଆପଡ଼ା ପୁଲିସ। ଏହି ସଫଳତାକୁ ନୂଆପଡ଼ା ପୁଲିସର ଏକ ବଡ଼ ସଫଳତା ବୋଲି କୁହାଯାଉଛି।
ପୁଲିସ ଗୁଇନ୍ଦା ସୂତ୍ରରୁ ସୂଚନା ପାଇଥିଲା ଯେ, ଓଡ଼ିଶା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ପାଟଦରା-ଗର୍ଜନପାଣି ସଂରକ୍ଷିତ ଜଙ୍ଗଲରେ ମାଓବାଦୀମାନେ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମାଟିତଳେ ଲୁଚାଇ ରଖିଛନ୍ତି। ଏହି ସୂଚନା ଆଧାରରେ ରବିବାର ସକାଳେ ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ତପନ ନାରାୟଣ ରଥଙ୍କ ନିର୍ଦ୍ଦେଶକ୍ରମେ ଏକ ଡିଭିଏଫ୍ ଟିମ୍ ଜଙ୍ଗଲରେ କମ୍ବିଂ ଅପରେସନ ଆରମ୍ଭ କରିଥିଲା।
ଘଞ୍ଚ ଜଙ୍ଗଲ ମଧ୍ୟରେ ଡିଭିଏଫ୍ ଯବାନମାନେ ତଲାସୀ ଅଭିଯାନ ଚଳାଇବା ସହ ବିଭିନ୍ନ ସନ୍ଦିଗ୍ଧ ସ୍ଥାନରେ ଖୋଜାଖୋଜି କରିଥିଲେ। ଏହି ସମୟରେ ଗଛମୂଳ ନିକଟରେ ମାଟି ଖୋଳି ଲୁଚାଇ ରଖାଯାଇଥିବା ବିସ୍ଫୋରକ ସାମଗ୍ରୀ ଠାବ ହୋଇଥିଲା। ସେଠାରୁ ୭ଟି ପ୍ରେସର କୁକର ଆଇଇଡି ଓ ୪ ବଣ୍ଡଲ ବିଦ୍ୟୁତ୍ ତାର ଜବତ କରାଯାଇଛି।
ପୁଲିସର ସନ୍ଦେହ ଅନୁଯାୟୀ, ଅତୀତରେ ମାଓବାଦୀମାନେ ଆତ୍ମସମର୍ପଣ କରିବା କିମ୍ବା ନିଷ୍କ୍ରିୟ ହେବା ପୂର୍ବରୁ କୌଣସି ଅଘଟଣ ଘଟାଇବା ଉଦ୍ଦେଶ୍ୟରେ ଏହି ସାମଗ୍ରୀଗୁଡ଼ିକୁ ମାଟିତଳେ ଲୁଚାଇ ରଖିଥାଇପାରନ୍ତି। ଠିକ୍ ସମୟରେ ଏହି ବିସ୍ଫୋରକ ସାମଗ୍ରୀ ଉଦ୍ଧାର ହେବା ଫଳରେ ଅଞ୍ଚଳରେ ଏକ ସମ୍ଭାବ୍ୟ ବଡ଼ ବିପଦ ଟଳିଯାଇଥିବା ପୁଲିସ ପକ୍ଷରୁ କୁହାଯାଇଛି।
ପୁଲିସ ସୂଚନା ଅନୁସାରେ, ଜବତ ସାମଗ୍ରୀଗୁଡ଼ିକ ପୂର୍ବରୁ ମାଓବାଦୀମାନେ ଗଚ୍ଛିତ ରଖିଥିବା ବିସ୍ଫୋରକ ସାମଗ୍ରୀର ଅବଶେଷ ହୋଇଥାଇପାରେ। ଏହା ଧମତରୀ-ଗରିଆବନ୍ଧ-ନୂଆପଡ଼ା ଡିଭିଜନର ମାଓବାଦୀଙ୍କ ସାମଗ୍ରୀ ବୋଲି ମଧ୍ୟ ସନ୍ଦେହ କରାଯାଉଛି। ଗତବର୍ଷ ଏହି ଡିଭିଜନର ଅଧିକାଂଶ ମାଓବାଦୀ କ୍ୟାଡର ପୁଲିସ ନିକଟରେ ଆତ୍ମସମର୍ପଣ କରିସାରିଥିବା ବେଳେ ବର୍ତ୍ତମାନ ସମ୍ପୃକ୍ତ ଅଞ୍ଚଳରେ ମାଓବାଦୀଙ୍କ କାର୍ଯ୍ୟକଳାପ ନିଷ୍କ୍ରିୟ ରହିଥିବା ପୁଲିସ କହିଛି।
ତଥାପି ସୀମାନ୍ତବର୍ତ୍ତୀ ଅଞ୍ଚଳରେ ମାଓବାଦୀଙ୍କ ଅବଶିଷ୍ଟ କାର୍ଯ୍ୟକଳାପକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି ନୂଆପଡ଼ା ପୁଲିସ ପକ୍ଷରୁ କୁହାଯାଇଛି।
ଜଙ୍ଗଲରୁ ଉଦ୍ଧାର ହୋଇଥିବା ସମସ୍ତ ସାମଗ୍ରୀକୁ ନୂଆପଡ଼ା ଜିଲ୍ଲା ପୁଲିସ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରଖାଯାଇଛି। ଆଗାମୀ ଦିନରେ ସରକାରୀ ନିୟମ ଅନୁଯାୟୀ ଆବଶ୍ୟକ ଆଇନଗତ ଓ ତଦନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।






