ବରଗଡ଼ :(ଆକାଶ ଦୀପ)ହାନ ଆଦିବାସୀ ଜନନାୟକ ତଥା ସ୍ୱାଧୀନତା ସଂଗ୍ରାମୀ ଧରତୀ ଆବା ବୀର୍ସା ମୁଣ୍ଡାଙ୍କ ୧୫୨ତମ ଜୟନ୍ତୀ ବରଗଡ଼ସ୍ଥିତ ଅଗ୍ରଗାମୀ ଯୁବକ ସଂଘ ପରିସରରେ ଶ୍ରଦ୍ଧା ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ବୀର୍ସା ମୁଣ୍ଡା ସଂଘର୍ଷ ବାହିନୀ ପକ୍ଷରୁ ଏହି ଜୟନ୍ତୀ ସମାରୋହ ଆୟୋଜିତ ହୋଇଥିଲା।
ଏହି ଅବସରରେ “ଭାରତରେ ଗଣତନ୍ତ୍ରର ସୁରକ୍ଷା ଏକ ଆହ୍ୱାନ” ଶୀର୍ଷକ ବିଷୟବସ୍ତୁ ଉପରେ ଏକ ଆଲୋଚନାଚକ୍ର ଆୟୋଜନ କରାଯାଇଥିଲା। ଚାଷୀ ନେତା ଲିଙ୍ଗରାଜ ମୁଖ୍ୟ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଗଣତନ୍ତ୍ରର ମୂଲ୍ୟବୋଧ, ସମ୍ବିଧାନର ସୁରକ୍ଷା, ସାମାଜିକ ନ୍ୟାୟ ଓ ନାଗରିକ ଅଧିକାର ସମ୍ପର୍କରେ ନିଜର ମତାମତ ରଖିଥିଲେ।
ସେ କହିଥିଲେ ଯେ, ଗଣତନ୍ତ୍ର କେବଳ ନିର୍ବାଚନ ଓ ଭୋଟଦାନ ମଧ୍ୟରେ ସୀମିତ ନୁହେଁ। ଏହାର ପ୍ରକୃତ ଅର୍ଥ ହେଉଛି ପ୍ରତ୍ୟେକ ନାଗରିକଙ୍କୁ ସମାନ ଅଧିକାର, ନ୍ୟାୟ ଓ ସମ୍ମାନ ପ୍ରଦାନ କରିବା। ତେଣୁ ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ଓ ସମ୍ବିଧାନର ସୁରକ୍ଷା ପାଇଁ ସମସ୍ତଙ୍କୁ ସଚେତନ ଓ ଏକଜୁଟ ହେବାକୁ ପଡିବ।

ସମାରୋହରେ ସମ୍ମାନିତ ଅତିଥି ଭାବେ ଅର୍ଥନୀତି ବିଭାଗର ଅଧ୍ୟାପକ ସୁଭାଷ ଚନ୍ଦ୍ର ଭୋଇ ଓ ଚତୁର୍ଭୁଜ ଭୋଇ ଯୋଗଦେଇ ବୀର୍ସା ମୁଣ୍ଡାଙ୍କ ଜୀବନୀ, ତ୍ୟାଗ, ସଂଘର୍ଷ ଓ ଆଦିବାସୀ ସମାଜର ଅଧିକାର ପାଇଁ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।
ବୀର୍ସା ମୁଣ୍ଡା ସଂଘର୍ଷ ବାହିନୀର ସଭାନେତ୍ରୀ ମରିୟମ ବାର୍ଲା ନିଜ ବକ୍ତବ୍ୟରେ ବୀର୍ସା ମୁଣ୍ଡାଙ୍କ ଆଦର୍ଶ ଓ ସଂଘର୍ଷମୟ ଜୀବନରୁ ପ୍ରେରଣା ନେଇ ଆଦିବାସୀ, ଦଳିତ, ଶୋଷିତ ଓ ଅବହେଳିତ ବର୍ଗଙ୍କ ଅଧିକାର ଓ ସମ୍ମାନ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ।
ଶେଷରେ ବୀର୍ସା ମୁଣ୍ଡାଙ୍କ ଆଦର୍ଶ, ସାହସ ଓ ସଂଘର୍ଷର ଚେତନାକୁ ସମାଜର ପ୍ରତ୍ୟେକ ସ୍ତରରେ ପହଞ୍ଚାଇବା ସହିତ ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ସାମୂହିକ ପ୍ରୟାସର ଆବଶ୍ୟକତା ଉପରେ ଗୁରୁତ୍ୱ ଦିଆଯାଇଥିଲା।






