AK ବିଜେପି ପାଖରେ ଥିବା ଅଜସ୍ର ସମ୍ବଳ ଏବଂ ଆରଏସଏସର ଗ୍ରାଉଣ୍ଡ ନେଟୱର୍କ ଆଗରେ ଅନେକ ଆଞ୍ଚଳିକ ଦଳ ତିଷ୍ଠି ପାରୁନାହାନ୍ତି । ଖାସ୍ କରି ବିଜେପି ପ୍ରତିଟି ନିର୍ବାଚନରେ ‘ପରିବାରବାଦ’କୁ ମୁଖ୍ୟ ପ୍ରସଙ୍ଗ କରୁଛି । ଅଧିକାଂଶ ଆଞ୍ଚଳିକ ଦଳ ପରିବାର କୈନ୍ଦ୍ରିକ ହୋଇଥିବାରୁ ନୂଆ ପିଢ଼ିର ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛନ୍ତି । ଭାରତୀୟ ଗଣତନ୍ତ୍ରରେ ଆଞ୍ଚଳିକ ଦଳଗୁଡ଼ିକ ସର୍ବଦା ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଆସିଛନ୍ତି । କିନ୍ତୁ ଗତ ୫ ବର୍ଷର ନିର୍ବାଚନୀ ଫଳାଫଳକୁ ଦେଖିଲେ ମନେହୁଏ, ଜାତୀୟ ରାଜନୀତିରେ ଆଞ୍ଚଳିକ ଶକ୍ତି କ୍ରମଶଃ ଦୁର୍ବଳ ହେବାରେ ଲାଗିଛି । ‘ଏକ ଦେଶ, ଏକ ନିର୍ବାଚନ’ ଏବଂ ‘ଜାତୀୟତାବାଦ’ର ଆଭିମୁଖ୍ୟ ରଖୁଥିବା ବିଜେପିର ଦ୍ରୁତ ବିସ୍ତାର ଏବେ ଆଞ୍ଚଳିକ ଦଳଗୁଡ଼ିକର ଅସ୍ତିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୯ ପରଠାରୁ ଦେଶରେ ହୋଇଥିବା ବିଭିନ୍ନ ବିଧାନସଭା ଓ ଲୋକସଭା ନିର୍ବାଚନ ଅଙ୍କ କଷାକଷି କଲେ କିଛି ଗୁରୁତ୍ୱପୂର୍ଣ୍ଣ ସୂତ୍ର ସାମ୍ନାକୁ ଆସେ…
ଉତ୍ତର ପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ଯେଉଁଠି ଆଞ୍ଚଳିକ ଦଳ (ସପା, ବିଏସପି, ଜେଡିୟୁ, ଆରଜେଡି) ବେଶ ଶକ୍ତିଶାଳୀ ଥିଲେ, ସେଠାରେ ବିଜେପି ନିଜର ଭୋଟ୍ ପ୍ରତିଶତ ବୃଦ୍ଧି କରି ସେମାନଙ୍କୁ କୋଣଠେସା କରିଛି । ବିଶେଷ କରି ଉତ୍ତର ପ୍ରଦେଶରେ ମାୟାବତୀଙ୍କ ବିଏସପି ଏବଂ ବିହାରରେ ନୀତୀଶ କୁମାରଙ୍କ ଦଳର ପ୍ରଭାବ ପୂର୍ବ ଅପେକ୍ଷା ହ୍ରାସ ପାଇଛି ।

ଭାଙ୍ଗୁଛି ଶକ୍ତିଶାଳୀ ଦଳ
ମହାରାଷ୍ଟ୍ର ଏହାର ସବୁଠାରୁ ବଡ଼ ଉଦାହରଣ । ଶିବସେନା ଏବଂ ଏନସିପି ଭଳି ପୁରୁଣା ଆଞ୍ଚଳିକ ଶକ୍ତିକୁ ଦୁଇ ଭାଗ କରି ବିଜେପି ନିଜର ଆଧିପତ୍ୟ ବିସ୍ତାର କରିଛି । ଫଳରେ ଆଞ୍ଚଳିକ ନେତାଙ୍କ ଦବଦବା କମିବାରେ ଲାଗିଛି ।
ସେହିଭଳି ଓଡ଼ିଶାରେ ଦୀର୍ଘ ୨୪ ବର୍ଷର ବିଜେଡି ଶାସନର ଅନ୍ତ ଘଟାଇ ବିଜେପି କ୍ଷମତାକୁ ଆସିବା ଏକ ବଡ଼ ସଙ୍କେତ । ସେହିପରି ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ କ୍ଷମତାରେ ଥିଲେ ମଧ୍ୟ ବିଜେପି ମୁଖ୍ୟ ବିରୋଧୀ ଦଳ ଭାବେ ଉଭା ହୋଇଛି, ଯାହା ବାମପନ୍ଥୀ ଓ କଂଗ୍ରେସ ଭଳି ଦଳକୁ ସେଠାରେ ପ୍ରାୟ ନିଶ୍ଚିହ୍ନ କରିଦେଇଛି । ବିଜେପିର ‘ଲାଭାର୍ଥୀ’ ରାଜନୀତି ବା ସିଧାସଳଖ ହିତାଧିକାରୀଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚାଇବା ଫଳରେ ଲୋକେ ଆଞ୍ଚଳିକ ସ୍ତରରୁ ଉର୍ଦ୍ଧ୍ୱକୁ ଉଠି ଜାତୀୟ ନେତୃତ୍ୱକୁ ଭରସା କରୁଛନ୍ତି । ବିଜେପି ପାଖରେ ଥିବା ଅଜସ୍ର ସମ୍ବଳ ଏବଂ ଆରଏସଏସର ଗ୍ରାଉଣ୍ଡ ନେଟୱର୍କ ଆଗରେ ଅନେକ ଆଞ୍ଚଳିକ ଦଳ ତିଷ୍ଠି ପାରୁନାହାନ୍ତି । ଖାସ୍ କରି ବିଜେପି ପ୍ରତିଟି ନିର୍ବାଚନରେ ‘ପରିବାରବାଦ’କୁ ମୁଖ୍ୟ ପ୍ରସଙ୍ଗ କରୁଛି । ଅଧିକାଂଶ ଆଞ୍ଚଳିକ ଦଳ ପରିବାର କୈନ୍ଦ୍ରିକ ହୋଇଥିବାରୁ ନୂଆ ପିଢ଼ିର ଭୋଟରଙ୍କୁ ଆକୃଷ୍ଟ କରିବାରେ ବିଫଳ ହେଉଛନ୍ତି । ଏବେ ଦେଶରେ ଆଞ୍ଚଳିକ ଦଳଗୁଡ଼ିକ ପାଇଁ ଅସ୍ତିତ୍ୱ ରକ୍ଷା କରିବା ଏକ ବଡ଼ ଚ୍ୟାଲେଞ୍ଜ । ଯେଉଁ ଦଳଗୁଡ଼ିକ କେବଳ ଭୋଟ ବ୍ୟାଙ୍କ ରାଜନୀତି ଉପରେ ନିର୍ଭରଶୀଳ, ସେମାନଙ୍କ ଭବିଷ୍ୟତ ଅନ୍ଧକାରମୟ । କିନ୍ତୁ ତାମିଲନାଡୁରେ ଡିଏମକେ କିମ୍ବା ପଶ୍ଚିମବଙ୍ଗରେ ଟିଏମସି ଭଳି ଦଳ ଦେଖାଇଛନ୍ତି ଯେ, ଯଦି ଆଞ୍ଚଳିକ ଅସ୍ମିତା ଓ ସଶକ୍ତ ସଂଗଠନ ରହେ, ତେବେ ବିଜେପିକୁ ରୋକାଯାଇପାରିବ । ଆଗାମୀ ୫ ବର୍ଷ ଭାରତୀୟ ରାଜନୀତି ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯଦି ଆଞ୍ଚଳିକ ଦଳଗୁଡ଼ିକ ନିଜର ରଣନୀତି ପରିବର୍ତ୍ତନ ନକରନ୍ତି ଏବଂ ଯୁବପିଢ଼ିଙ୍କୁ ସାଥୀରେ ନନିଅନ୍ତି, ତେବେ ଭାରତୀୟ ରାଜନୀତି ‘ଦ୍ୱି-ଦଳୀୟ’ ବ୍ୟବସ୍ଥା ଆଡ଼କୁ ଗତି କରିବା ଏକ ପ୍ରକାର ନିଶ୍ଚିତ ।






