ବାତ୍ୟାର ପ୍ରଭାବକୁ ନେଇ କନ୍ଧମାଳ ଜିଲ୍ଲାରେ ଆତଙ୍କ। ସୁରକ୍ଷା ଦୃଷ୍ଟିରୁ ଦାରିଙ୍ଗିବାଡ଼ି, ରାଇକିଆ ଓ ଚକାପାଦ ଅଞ୍ଚଳରେ ବିପନ୍ନ ଲୋକଙ୍କ ପାଇଁ ଆଶ୍ରୟସ୍ଥଳୀ ଖୋଲାଯାଇଛି। ବିପଦ ଆଶଙ୍କା ଥିବା ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ଆଶ୍ରୟସ୍ଥଳୀରେ ରଖାଯାଉଛି।
ତେବେ ଚକାପାଦ ଅଞ୍ଚଳର ଏକ ଆଶ୍ରୟସ୍ଥଳୀକୁ ନେଇ ଉଠିଛି ସଙ୍ଗୀନ ଅଭିଯୋଗ। ବିପନ୍ନ ଲୋକେ ଆଶ୍ରୟସ୍ଥଳୀକୁ ଯାଉଥିବା ବେଳେ ଗେଟ୍ ବନ୍ଦ କରି ସେମାନଙ୍କୁ ଭିତରକୁ ଛାଡ଼ାଯାଉନଥିବା ଅଭିଯୋଗ ହୋଇଛି। ଏପରିକି ଜଣେ ବୃଦ୍ଧାଙ୍କୁ ମଧ୍ୟ ଫେରାଇ ଦିଆଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଏନେଇ ପରିବାର ଲୋକେ ଫୁଲବାଣୀର ସାମ୍ବାଦିକ ସନ୍ତୋଷ କୁମାର ଗନ୍ତାୟତଙ୍କୁ ଭେଟି ଅଭିଯୋଗ ଜଣାଇଥିଲେ। ଚକାପାଦ ଏଡିଓଙ୍କୁ ଏନେଇ ପଚରାଯିବାରୁ ସେ ବାଇଟ୍ ଦେବାକୁ ମନା କରିଥିବା ବେଳେ, ସରପଞ୍ଚ ଯାହା କହୁଛନ୍ତି ସେହି ଅନୁଯାୟୀ କାମ କରୁଥିବା କହିଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଚାହାଳି ପଞ୍ଚାୟତ ପାହାଡ଼ିଆ ଅଞ୍ଚଳ ହୋଇଥିବାରୁ ବିପନ୍ନଙ୍କୁ ଆଶ୍ରୟ ଦେବା ପାଇଁ ୪ଟି ସ୍ଥାନରେ ଆଶ୍ରୟସ୍ଥଳୀ ଖୋଲାଯାଇଛି। ବନବାସୀ ଉଚ୍ଚ ବିଦ୍ୟାଳୟ, ପାଡୁମାହା ଅଙ୍ଗନବାଡ଼ି କେନ୍ଦ୍ର, ଲେଙ୍ଗିରିମୁଣ୍ଡା ୟୁପି ସ୍କୁଲ ଓ ନିଧିଆବେରେଣାରେ ବିପନ୍ନ ପରିବାରଙ୍କୁ ରଖାଯାଇଛି।
ପିଇଓ ସୌରଭ ନାୟକ ଓ ନୋଡାଲ ଅଫିସର ଛନ୍ଦ୍ରାୟୁ ହାଁସଦା ଘର ଘର ବୁଲି ବିପନ୍ନ ପରିବାରଙ୍କୁ ଆଶ୍ରୟସ୍ଥଳୀକୁ ଆଣିଥିବା ସୂଚନା ମିଳିଛି। ସେଠାରେ ରନ୍ଧା ଖାଦ୍ୟ ଓ ଜଳଖିଆ ମଧ୍ୟ ଦିଆଯାଉଥିବା କୁହାଯାଇଛି।

ତେବେ ଚକାପାଦ ଆଦର୍ଶ ବିଦ୍ୟାଳୟରେ ଖୋଲାଯାଇଥିବା ଆଶ୍ରୟସ୍ଥଳୀରେ ବିପନ୍ନଙ୍କୁ ଠିକ୍ ଭାବେ ଖାଦ୍ୟ ଓ ପାନୀୟ ଦିଆଯାଉନଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି।
ସରକାରଙ୍କ ପକ୍ଷରୁ ରିଲିଫ୍ ଖାଦ୍ୟ ଯୋଗାଇ ଦିଆଯାଇଥିଲେ ମଧ୍ୟ ବିପନ୍ନଙ୍କ ପାଖରେ ତାହା ଠିକ୍ ଭାବେ ପହଞ୍ଚୁନଥିବା ଅଭିଯୋଗ ହୋଇଛି।
ସେପଟେ ରାଇକିଆ ବ୍ଲକର କୃହୂବାଦ ଓ ଡାନାଗେସି ଗ୍ରାମରେ ଭୂସ୍ଖଳନ ଘଟଣା ମଧ୍ୟ ଚିନ୍ତା ବଢ଼ାଇଛି। ଭୂସ୍ଖଳନରେ ୧୩ରୁ ଅଧିକ ଲୋକ ମାଟି ତଳେ ପୋତି ହୋଇଯାଇଥିବା ବେଳେ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ଘଟଣାର ପ୍ରାୟ ୧୫ ଦିନ ପରେ ଜଣେ ବ୍ୟକ୍ତିଙ୍କୁ ଗାଈ ଚରାଳିଙ୍କ ଦ୍ୱାରା ଉଦ୍ଧାର କରାଯାଇଥିବା ସୂଚନା ମିଳିଛି।
ଉଦ୍ଧାର ପରେ ତାଙ୍କୁ ରାଇକିଆ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
କନ୍ଧମାଳରୁ ସନ୍ତୋଷ କୁମାର ଗନ୍ତାୟତଙ୍କ ରିପୋର୍ଟ, ଆପଣଙ୍କ ଖବର।






