କଟକ: ଓଡ଼ିଶା ହାଇକୋର୍ଟରେ ବିଚାରପତି ଅଭାବକୁ ନେଇ ଆଜି ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ପରିଷଦ ବୈଠକରେ ଗଭୀର ଉଦ୍ବେଗ ପ୍ରକାଶ ପାଇଛି। ଏହି ସମସ୍ୟାର ସମାଧାନ ପାଇଁ ଚଳିତମାସ ଶେଷ ସପ୍ତାହରେ ରାଜ୍ୟର ସମସ୍ତ ବାର୍ ଆସୋସିଏସନର କର୍ମକର୍ତ୍ତାଙ୍କୁ ନେଇ ମିଳିତ ବୈଠକ ଅନୁଷ୍ଠିତ ହେବ।
ଉକ୍ତ ବୈଠକ ନିଷ୍ପତ୍ତି ଅନୁସାରେ ହାଇକୋର୍ଟରେ ବିଚାରପତି ନିଯୁକ୍ତି ପାଇଁ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ହାଇକୋର୍ଟ ବାର୍ ଆସୋସିଏସନର ସଭାପତି ଲଲାଟେନ୍ଦୁ ସାମନ୍ତରାୟ ସୂଚନା ଦେଇଛନ୍ତି।
ଶ୍ରୀ ସାମନ୍ତରାୟଙ୍କ ଅଧ୍ୟକ୍ଷତାରେ ହାଇକୋର୍ଟ ବାର୍ ଆସୋସିଏସନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଓଡ଼ିଶା ହାଇକୋର୍ଟରେ ଅଧାରୁ ଅଧିକ ବିଚାରପତି ପଦ ଖାଲି ପଡ଼ିବା ଓ ଏହା ଦ୍ୱାରା ସୃଷ୍ଟି ହେଉଥିବା ସମସ୍ୟା ସଂପର୍କରେ ଆଲୋଚନା କରାଯାଇଥିଲା। ବୈଠକ ନିଷ୍ପତ୍ତିକ୍ରମେ ଆଗାମୀ ଦିନରେ ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଆଇନମନ୍ତ୍ରୀଙ୍କୁ ଭେଟି ହାଇକୋର୍ଟର ବିଚାରପତି ପଦ ପୂରଣ ପାଇଁ ଦାବି ରଖିବେ ବୋଲି ନିଷ୍ପତ୍ତି ହୋଇଥିଲା।
ସେହିପରି ବାଲିଯାତ୍ରାର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସେହି ଅବସରରେ ରାଷ୍ଟ୍ରପତିଙ୍କୁ ଭେଟି ବିଚାରପତି ଅଭାବ ସଂକ୍ରାନ୍ତରେ ଅବଗତ କରାଯିବ ବୋଲି ଶ୍ରୀ ସାମନ୍ତରାୟ କହିଛନ୍ତି।
ଏହି ବୈଠକରେ ହାଇକୋର୍ଟ ବାର୍ ଆସୋସିଏସନର ସମ୍ପାଦକ ହୃଦାନନ୍ଦ ମହାପାତ୍ର, ଉପସଭାପତି ପ୍ରଦୀପ କୁମାର ମହାପାତ୍ର, ବାର୍ର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବହୁ ଆଇନଜୀବୀ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ଓଡ଼ିଶା ହାଇକୋର୍ଟରେ ଏବେ ବିଚାରପତି ଅଭାବ ଉଦ୍ବେଗଜନକ ସ୍ଥିତିରେ ପହଞ୍ଚିଛି। ହାଇକୋର୍ଟରେ ମଞ୍ଜୁରୀପ୍ରାପ୍ତ ବିଚାରପତିଙ୍କ ସଂଖ୍ୟା ୩୩ ଥିଲାବେଳେ ଏବେ ଏହାର ଅଧାରୁ ଅଧିକ ପଦ ଖାଲିପଡ଼ିଛି।
ମୁଖ୍ୟ ବିଚାରପତିଙ୍କ ଅବସର ପରେ ହାଇକୋର୍ଟ ବିଚାରପତିଙ୍କ ସଂଖ୍ୟା ୧୩ରେ ପହଞ୍ଚିଛି। କିଛିଦିନ ତଳେ ହାଇକୋର୍ଟ ବାର୍ରୁ ୩ଜଣ ଆଇନଜୀବୀ ଏବଂ ସୁପ୍ରିମକୋର୍ଟ ବାର୍ରୁ ଜଣେ ଆଇନଜୀବୀଙ୍କ ନାମ ହାଇକୋର୍ଟ ବିଚାରପତି ପଦ ଲାଗି ସୁପ୍ରିମକୋର୍ଟ କଲେଜିୟମ୍ ସୁପାରିସ କରିଥିଲେ।
ଏନେଇ କେନ୍ଦ୍ର ସରକାର ଅନୁମୋଦନ କରିନଥିବାରୁ ନିଯୁକ୍ତି ଅଧାରେ ଲଟକି ରହିଛି। ଅନ୍ୟପକ୍ଷରେ ବିଚାରପତିଙ୍କ ଅଭାବ କାରଣରୁ ହାଇକୋର୍ଟ ଉପରେ ମାମଲାର ବୋଝ ବଢ଼ିବାରେ ଲାଗିଛି।
ଦେବୀ ଦତ୍ତ ଶିବପ୍ରସାଦ ନାୟକ ଙ୍କ ରିପୋର୍ଟ ଆପଣଙ୍କ ଖବର






