ଏ.କେ ବ୍ୟୁରୋ : ପବିତ୍ର କୁମାର ପୂର୍ଣ୍ଣିମା। ଏହି ଅବସରରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଉତ୍ସବର ଦେଖିବାକୁ ମିଳିଛି। ଧରାପୃଷ୍ଠରେ ମା’ ଗଜଲକ୍ଷ୍ମୀଙ୍କ ଆବାହନ ସହ ବିଭିନ୍ନ ପୂଜା ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି। ପାରମ୍ପରିକ ରୀତିନୀତି ଅନୁସାରେ କୁମାର ପୂର୍ଣ୍ଣିମା ଦିନ ଦେବୀ ଲକ୍ଷ୍ମୀଙ୍କୁ ଗଜଲକ୍ଷ୍ମୀ ରୂପରେ ପୂଜା କରାଯାଏ। ମା’ ଗଜଲକ୍ଷ୍ମୀ ଦୁଇଟି ହାତୀ ଓ ପଦ୍ମଫୁଲ ସହ ଶୋଭା ପାଇଥାନ୍ତି। ଗଜ ଅର୍ଥାତ୍ ହାତୀ ଶକ୍ତି, ଐଶ୍ୱର୍ଯ୍ୟ ଓ ମାନମର୍ଯ୍ୟାଦାର ପ୍ରତୀକ। ମା’ ଗଜଲକ୍ଷ୍ମୀଙ୍କୁ ଧନ, ଧାନ୍ୟ, ସମ୍ପଦ, ସମୃଦ୍ଧି ଓ ସଫଳତାର ଦେବୀ ଭାବେ ପୂଜା କରାଯାଏ।

ଏହି ପର୍ବ ମାଧ୍ୟମରେ ଲୋକେ ନିଜ ପରିବାରର ସୁଖଶାନ୍ତି ଓ ସମୃଦ୍ଧି ପାଇଁ ମା’ଙ୍କ ନିକଟରେ ପ୍ରାର୍ଥନା କରିଥାନ୍ତି।ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକର ବୁଗୁଡ଼ା,ସମେତ ଖୋଳଖାଳି, ମୋଟାବାଡ଼ି, ଗୋଲିଆ, ବି. କରଡ଼ାବାଡ଼ି, କରସିଙ୍ଗି ଆଦି ବିଭିନ୍ନ ଗ୍ରାମରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ପାଳନ କରାଯାଉଛି। ପୂଜା ମଣ୍ଡପଗୁଡ଼ିକୁ ଆକର୍ଷଣୀୟ ଭାବେ ସଜ୍ଜିତ କରାଯାଇଥିବା ବେଳେ ମା’ଙ୍କ ମୂର୍ତ୍ତି ଶ୍ରଦ୍ଧାଳୁଙ୍କ ମନ ମୋହୁଛି। ପୂଜା ମଣ୍ଡପଗୁଡ଼ିକରେ ଭକ୍ତଙ୍କ ଭିଡ଼ ଲାଗି ରହିଛି।ବିଶେଷକରି ସନ୍ଧ୍ୟା ସମୟରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ ବୃଦ୍ଧି ପାଉଛି।






