ଏ.କେ ବ୍ୟୁରୋ : ମୋ ପୁଅକୁ ଛାଡିଦିଅ, ସେ କିଛି ଭୁଲ୍ କରିନି… । ପୁଅଠାରୁ ମାଡ଼ ଖାଇବା ପରେ ମଧ୍ୟ ବଞ୍ଚାଇବାକୁ ବାପାର ଆକୁଳ ନିବେଦନ । ଉତ୍ତରପ୍ରଦେଶ ସହାରନପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଅଦ୍ଭୁତ ଘଟଣା ।
ଜଣେ ବୟସ୍କ ବାପାଙ୍କୁ ସର୍ବସାଧାରଣରେ ପୁଅ ପିଟୁଥିବା, ଗାଳି ଦେଉଥିବା, ଚାପୁଡା ମାରୁଥିବାର ଦେଖିବାକୁ ମିଳିଛି । ପୁଅର ଏଭଳି କାଣ୍ଡ ସିସିଟିଭିରେ କଏଦ ହେବା ପରେ ପୋଲିସ ଗିରଫ କରିଛି । ଆଉ ପୋଲିସ ଗିରଫ କରିବା ପରେ ପୁଅକୁ ଛାଡିବା ପାଇଁ ବାପା ଆକୁଳ ନିବେଦନ କରିଛି ।
ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶ ସହାରନପୁରର କୁତୁବଶେର ଥାନା ଅନ୍ତର୍ଗତ ମାନକମଉ ଅଞ୍ଚଳରେ ଜଣେ ୭୨ ବର୍ଷୀୟ ବୃଦ୍ଧ ବାପା (ହାଜି ତହସୀନ) ନିଜ ଘର ବାହାରେ ଥିବା ଗଳିରେ ଏକ ଚେୟାର ଉପରେ ବସିଥିଲେ । ଏହି ସମୟରେ ତାଙ୍କ ପୁଅ ସେଠାରେ ପହଞ୍ଚି ହଠାତ ତାଙ୍କ ଉପରେ ଚାପୁଡ଼ା ଓ ମାଡ଼ ମାରିବା ଆରମ୍ଭ କରିଥିଲେ । ବୃଦ୍ଧ ବାପାଙ୍କୁ ଅତି ନିର୍ଦ୍ଦୟ ଭାବେ ପିଟିବା ସହ ତାଙ୍କ ବେକ ଚିପି ମାରିଦେବାକୁ ଚେଷ୍ଟା କରିଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ଏହି ଘଟଣାର ଭିଡିଓ ସିସିଟିଭିରେ କଏଦ ହୋଇଛି ।
ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଲୋକ ସହାରନପୁର ପୋଲିସକୁ ଅଭିଯୁକ୍ତ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ । ଏହାପରେ ପୋଲିସ ଯୁବକଙ୍କୁ ଗିରଫ କରିଥିଲା । ପୋଲିସ ଭିଡିଓ ଆଧାରରେ ତଦନ୍ତ କରି ଅଭିଯୁକ୍ତ ପୁଅକୁ ଗିରଫ କରି କୋର୍ଟରେ ହାଜର କରି ଛି। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଘରୋଇ ସମ୍ପତ୍ତି ବିବାଦକୁ କେନ୍ଦ୍ର କରି ଏହି ମାରପିଟ୍ ହୋଇଥିଲା ।






