ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ରବିବାର (ନଭେମ୍ବର 2) ଦେଶର ସବୁଠାରୁ ଭାରି ଯୋଗାଯୋଗ ଉପଗ୍ରହ CMS-03କୁ ଉତକ୍ଷେପଣ କରିବାକୁ ପ୍ରସ୍ତୁତ ହେଉଛି ।ଏହି ଉପଗ୍ରହକୁ ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ସ୍ଥିତ ସତୀଶ ଧୱନ ସ୍ପେଶ ଷ୍ଟେସନରୁ ଲଞ୍ଚ କରାଯିବ । CMS-03 ଉପଗ୍ରହକୁ ଏକ LVM3 ରକେଟ୍ ଦ୍ବାରା କକ୍ଷପଥରେ ସ୍ଥାପିତ କରାଯିବ । ଏହା LVM3ର ପଞ୍ଚମ କାର୍ଯ୍ୟକ୍ଷମ ଉଡ଼ାଣ ହେବ । ଏହି ମିଶନକୁ ମହାକାଶରୁ ଭାରତର ଡିଜିଟାଲ୍ ସଂଯୋଗକୁ ସୁଦୃଢ଼ କରିବା ଦିଗରେ ଏକ ପ୍ରମୁଖ ପଦକ୍ଷେପ ବୋଲି ବିବେଚନା କରାଯାଉଛି । ଲଞ୍ଚ ପୂର୍ବରୁ ଏହି ଲଞ୍ଚଯାନକୁ ସମ୍ପୂର୍ଣ୍ଣ ଭାବରେ ଏକତ୍ରିତ କରାଯାଇଛି ଏବଂ ଏହାକୁ ଅକ୍ଟୋବର 26 ତାରିଖରେ ଲଞ୍ଚ ପ୍ୟାଡରେ ଚଳପ୍ରଚଳ କରାଯାଇଛି ବୋଲି ଇସ୍ରୋ ପକ୍ଷରୁ ସୂଚନା ମିଳିଛି । CMS-03 ହେଉଛି ଏକ ମଲ୍ଟି-ବ୍ୟାଣ୍ଡ ସାମରିକ ଯୋଗାଯୋଗ ଉପଗ୍ରହ, ଯାହାକୁ GSAT-7R ମଧ୍ୟ କୁହାଯାଏ ଏବଂ ଏହାକୁ ଦେଶର ସବୁଠାରୁ ଶକ୍ତିଶାଳୀ ରକେଟ୍ ଲଞ୍ଚ ଯାନ ଲଞ୍ଚ ଭେଇକିଲ ମାର୍କ 3 (LVM3) ସାହାଯ୍ୟରେ ଉତକ୍ଷେପଣ କରାଯିବ ।LVM-3 ରକେଟ୍ ସଫଳ ଚନ୍ଦ୍ରଯାନ-3 ମିଶନ ସହିତ ବିଶ୍ବସ୍ତରରେ ଭାରତକୁ ଗର୍ବିତ କରିଥିଲା । ବର୍ତ୍ତମାନ ସେହି ରକେଟ୍ CMS-03 ଉପଗ୍ରହକୁ ମହାକାଶକୁ ପଠାଇବା ପାଇଁ ପ୍ରସ୍ତୁତ ହେଉଛି । ଉତକ୍ଷେପଣ ପୂର୍ବରୁ ଇନ୍ଧନ, ଚେକଆଉଟ୍ ଏବଂ ଅନ୍ତିମ ଅଭ୍ୟାସ ଦ୍ରୁତ ଗତିରେ ଚାଲିଛି । ଏହି ଇସ୍ରୋ ମିଶନ କେବଳ ଭାରତର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ନାହିଁ, ବରଂ ଦେଶର ମହାକାଶ କାର୍ଯ୍ୟକ୍ରମକୁ ଏକ ନୂତନ ଦିଗଦର୍ଶନ ଦେବ ।
ଭାରତର ସବୁଠୁ ଭାରି ଯୋଗାଯୋଗ ଉପଗ୍ରହ CMS-03; ରବିବାର ଲଞ୍ଚ କରିବ ଇସ୍ରୋ






