ଗଣିଆ,): ନୟାଗଡ଼ ଜିଲ୍ଲା ଗଣିଆ ଥାନା ଅନ୍ତର୍ଗତ ରାଜିଙ୍ଗିଠାରେ ଥିବା ସରକାରୀ ହୋମିଓପାଥିକ ଚିକିତ୍ସାଳୟରୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଥିବା ଘଟଣା ସାମ୍ନାକୁ ଆସିଛି। ଚିକିତ୍ସାଳୟ ପରିସରରୁ ରବିବାର ଏହି ଚୋରି ହୋଇଥିବାବେଳେ ଏନେଇ ଚିକିତ୍ସାଳୟର ଡାକ୍ତର ବିଶ୍ୱଜିତ ସ୍ୱାଇଁ ସୋମବାର ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଡାକ୍ତର ସ୍ୱାଇଁଙ୍କ ଅଭିଯୋଗ ଅନୁଯାୟୀ, ଚିକିତ୍ସାଳୟ ପରିସରରୁ ଗୋଟିଏ ଇନଭର୍ଟର ମେସିନ୍, ଦୁଇଟି ବ୍ୟାଟେରୀ, ଗୋଟିଏ ପାଣି ପମ୍ପ, ଫ୍ୟାନ୍ ସମେତ ଅନ୍ୟାନ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଛି। ଏହି ଚୋରି ଘଟଣା ଯୋଗୁଁ ଚିକିତ୍ସାଳୟର ସରକାରୀ ସମ୍ପତ୍ତିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।
ଅନ୍ୟପକ୍ଷରେ, ଏହି ଅଭିଯୋଗପତ୍ରର ଏକ ନକଲ ଭୁବନେଶ୍ୱରସ୍ଥିତ ପୂର୍ବାଞ୍ଚଳ ସର୍କଲର ଜିଲ୍ଲା ହୋମିଓପାଥିକ ଚିକିତ୍ସା ଅଧିକାରୀଙ୍କ ନିକଟକୁ ମଧ୍ୟ ଅବଗତି ଓ ଆବଶ୍ୟକୀୟ ପଦକ୍ଷେପ ନିମନ୍ତେ ପଠାଯାଇଥିବା ଡାକ୍ତର ବିଶ୍ୱଜିତ ସ୍ୱାଇଁ ସୂଚନା ଦେଇଛନ୍ତି। ଏହି ଚୋରି ଘଟଣାରେ ସମ୍ପୃକ୍ତ ଚୋରଙ୍କୁ ଚିହ୍ନଟ କରିବା ସହ ଚୋରି ସାମଗ୍ରୀ ଉଦ୍ଧାର କରିବାକୁ ସାଧାରଣରେ ଦାବି ହେଉଛି।






