ଭୁବନେଶ୍ବର, ଏ.କେ ବ୍ୟୁରୋ : ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଭଲ ତଦନ୍ତ କରିବ। କମିଶନରେଟ ପୋଲିସ ଏବଂ ଓଡ଼ିଶା ପୋଲିସ ଉପରେ ଲୋକଙ୍କ ଭରସା ଅଛି । ଲୋକଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ଅପରାଧ ନିୟନ୍ତ୍ରଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି । ଭୁବନେଶ୍ୱର UPD ରେ ଆଇନ ଶୃଙ୍ଖଳା ନେଇ ସମୀକ୍ଷା ପରେ ପୋଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଏହା କହିଛନ୍ତି।

ଆକ୍ସନ୍ ମୋଡରେ କମିଶନରେଟ୍ ପୋଲିସ । ରାଜଧାନୀରେ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଧାରିବା ଏବଂ ଜନସାଧାରଣଙ୍କ ମନରୁ ଭୟ ଦୂର କରି ବିଶ୍ୱାସ ଜିତିବା ପାଇଁ ପୁଣି ଥରେ ଅଣ୍ଟା ଭିଡ଼ିଛି କମିଶନରେଟ୍ ପୋଲିସ। ଭୁବନେଶ୍ୱର ୟୁପିଡି (UPD) ଅନ୍ତର୍ଗତ ସମସ୍ତ ଥାନା ଅଧିକାରୀଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ପୋଲିସ ସେବାରେ ଥିବା ତ୍ରୁଟିକୁ ସୁଧାରିବା ସହ ଅପରାଧ ନିୟନ୍ତ୍ରଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ସିଷ୍ଟମରେ ହେବ ବଡ଼ ଧରଣର ପରିବର୍ତ୍ତନ। ବୈଠକରେ ପ୍ରତ୍ୟେକ ଥାନାର ଆଇଆଇସିଙ୍କ ସହ ସେମାନଙ୍କ ଅଞ୍ଚଳର ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପୋଲିସ ପ୍ରଶାସନରେ ଯଦି ବର୍ତ୍ତମାନର କାର୍ଯ୍ୟଶୈଳୀ ବା ସିଷ୍ଟମରେ କୌଣସି ପ୍ରକାରର ଅଭାବ ରହିଛି, ତେବେ ତାହାକୁ ତୁରନ୍ତ ସୁଧାର କରାଯିବ (Improvement)। ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବା ଏବଂ ପୋଲିସ ଉପରେ ଥିବା ଆସ୍ଥାକୁ ଫେରାଇ ଆଣିବା ମୁଖ୍ୟ ଉଦ୍ଦେଶ୍ୟ।






