ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ହିଙ୍ଗୀମାଠାରେ ଶିଶୁ ଦିବସ ଅବସରରେ ଦୟା ସାରାବନୀ ଯୋଗ ଟ୍ରଷ୍ଟ ପକ୍ଷରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ହିଙ୍ଗୀମା ଠାରେ ଯୋଗ ଓ ପରିବେଶ ସୁରକ୍ଷା ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜୁନିୟର ରେଡ୍କ୍ରସ୍ ପରାମର୍ଶଦାତା ତଥା ପ୍ରକୃତିବନ୍ଧୁ ଶିକ୍ଷକ ଗୋପେଶ ପଣ୍ଡା ନିଜର ମତବ୍ୟକ୍ତ କରିଥିଲେ। ପ୍ରଧାନ ଶିକ୍ଷକ ମଧ୍ୟ ଯୋଗର ଉପକାରିତା ଓ ପରିବେଶ ସୁରକ୍ଷାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ।
ମୁଖ୍ୟ ଅତିଥି ଭାବେ ଦୟା ସରାବନୀ ଯୋଗ ଟ୍ରଷ୍ଟର ସମ୍ପାଦକ ଡ. ହୃଷୀକେଶ ଦେହେରୀ ଯୋଗଦେଇ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜୀବନୀ, ଶିଶୁମାନଙ୍କ ପ୍ରତି ତାଙ୍କର ସ୍ନେହ ଓ ଭଲପାଇବା ଏବଂ ଶିଶୁ ଦିବସର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ଏଥିସହିତ ସେ ନିଜେ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ଯୋଗାସନ, ପ୍ରାଣାୟାମ, ମୁଦ୍ରା ଓ ଧ୍ୟାନ ଅଭ୍ୟାସ କରାଇଥିଲେ।ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ଯୋଗାଭ୍ୟାସରେ ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ ପରିବେଶ ସୁରକ୍ଷା ଓ ଜୈବ ବିବିଧତା ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ପଶୁପକ୍ଷୀଙ୍କ ସୁରକ୍ଷା, ବୃକ୍ଷରୋପଣ, ଔଷଧୀୟ ବୃକ୍ଷଲତାର ସଂରକ୍ଷଣ, ବିଦ୍ୟାଳୟ ଓ ଘର ପରିସରରେ ଫୁଲ, ଫଳ ଓ ଔଷଧୀୟ ବଗିଚା ସୃଷ୍ଟି କରିବା ପାଇଁ ଆହ୍ୱାନ ଦିଆଯାଇଥିଲା।ଏଥିସହିତ ପକ୍ଷୀମାନଙ୍କ ପାଇଁ ଜଳପାତ୍ର ରଖିବା, ପ୍ଲାଷ୍ଟିକ୍ ବ୍ୟବହାର କମାଇବା, ପ୍ଲାଷ୍ଟିକ୍ ବୋତଲ ପରିବର୍ତ୍ତେ ଷ୍ଟିଲ୍ କିମ୍ବା ତମ୍ବା ବୋତଲ ବ୍ୟବହାର କରିବା, ଜଳ ସଂରକ୍ଷଣ ଓ ଆବର୍ଜନାର ସଠିକ୍ ପରିଚାଳନା ଉପରେ ସଚେତନ କରାଯାଇଥିଲା।
ଅତିଥି ପରିଚୟ ପ୍ରଦାନ କରିଥିଲେ ଗୀତାଞ୍ଜଳି ପଣ୍ଡା ଏବଂ ଧନ୍ୟବାଦ ଅର୍ପଣ କରିଥିଲେ ତନୁ ବେହେରା। ବିଦ୍ୟାଳୟର ସେବିକା ମା’ମାନେ କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।ଶିଶୁମାନେ ଆଗାମୀ ସମାଜର ଭବିଷ୍ୟତ। ସେମାନଙ୍କ ମଧ୍ୟରେ ଯୋଗାଭ୍ୟାସ, ପ୍ରକୃତିପ୍ରେମ ଓ ପରିବେଶ ସୁରକ୍ଷାର ମନୋଭାବ ସୃଷ୍ଟି ହେଲେ ଏକ ସୁସ୍ଥ, ସୁନ୍ଦର ଓ ସବୁଜ ସମାଜ ଗଠନ ସମ୍ଭବ ବୋଲି ମତ ପ୍ରକାଶ ପାଇଥିଲା।
ସୋନପୁର ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ






