ଏ.କେ.ବ୍ୟୁରୋ : ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଜନ୍ମଭୂମି ପଶ୍ଚିମବଙ୍ଗରେ ଐତିହାସିକ ବିଜୟ ସହିତ ବିଜେପି ପ୍ରଥମ ଥର ସରକାର ଗଠନ କରିଛି। ଶୁଭେନ୍ଦୁ ଅଧିକାରୀ ବିଜେପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶନିବାର ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବ ଯେତିକି ଖୁସି ଓ ଆନନ୍ଦର ମାହୋଲ ସୃଷ୍ଟି କରିଥିଲା ସେତିକି ଭାବପ୍ରବଣ ମଧ୍ୟ ଥିଲା। ଶପଥ ଗ୍ରହଣ ଉତ୍ସବରେ ଉପସ୍ଥିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜଣେ ୯୭ ବର୍ଷୀୟ ବୃଦ୍ଧଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ। ବୃଦ୍ଧ ଜଣକ ବିଜେପିର ଜଣେ ବରିଷ୍ଠ କାର୍ୟ୍ୟକର୍ତ୍ତା ମାଖନ ଲାଲ ସରକାର ବୋଲି ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ମାଖନ ଲାଲଙ୍କ ପାଦ ଛୁଇଁବା ସହିତ ତାଙ୍କୁ ଆଲିଙ୍ଗନ କରିଥିଲେ। ମାଖନ ଲାଲ ସିଲିଗୁଡ଼ିର ବାସିନ୍ଦା ଓ ବିଜେପିର ବହୁ ପୁରୁଣା ନେତା।

ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ସମିକ୍ ଭଟ୍ଟାଚାର୍ୟ୍ୟ କହିଛନ୍ତି, ମାଖନ ଲାଲ ସରକାର ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଥିଲେ। ଶ୍ୟାମା ପ୍ରସାଦ କାଶ୍ମୀର ଗସ୍ତରେ ଯାଇଥିବାବେଳେ ସେତେବେଳେ ମାଖନ ଲାଲ ସରକାର ମଧ୍ୟ ତାଙ୍କ ସହିତ ଥିଲେ। କାଶ୍ମୀରରେ ଭାରତୀୟ ତ୍ରିରଙ୍ଗା ଉଡ଼ାଇବାକୁ ନେଇ ହୋଇଥିବା ଆନ୍ଦୋଳନ ସମୟରେ ଶ୍ୟାମାପ୍ରସାଦ ଓ ମାଖନ ଲାଲଙ୍କୁ ଗିରଫ କରି ଜେଲ୍ ପଠାଯାଇଥିଲା। ଶ୍ୟାମା ପ୍ରସାଦଙ୍କର କାଶ୍ମୀର ଜେଲରେ ସନ୍ଦେହଜନକ ସ୍ଥିତିରେ ମୃତ୍ୟୁ ହୋଇଥିଲା। ସେତେବେଳେ ମାଖନ ଲାଲ ତାଙ୍କ ନିକଟରେ ଥିଲେ। ସେ ଶ୍ୟାମା ପ୍ରସାଦଙ୍କ ଶେଷ ଯାତ୍ରାର ସାଥୀ ଥିଲେ।
୧୯୮୦ରେ ଭାରତୀୟ ଜନତା ପାର୍ଟି ଗଠନ ହେବା ପରେ ମାଖନ ଲାଲଙ୍କୁ ପଶ୍ଚିମ ଦିନାଜପୁର, ଜଲପାଇଗୁଡ଼ି ଓ ଦାର୍ଜିଲିଂ ଜିଲ୍ଲାର ସଙ୍ଗଠନ ପ୍ରଭାରୀ କରାଯାଇଥିଲା। ମାତ୍ର ବର୍ଷକ ଭିତରେ ସେ ପାଖାପାଖି ୧୦,୦୦୦ ଲୋକଙ୍କୁ ବିଜେପି ସହିତ ଯୋଡ଼ିଥିଲେ। ୧୯୮୧ରୁ ଲଗାତାର ୭ ବର୍ଷ ପର୍ୟ୍ୟନ୍ତ ସେ ଜିଲ୍ଲା ଅଧ୍ୟକ୍ଷ ରହିଥିଲେ। ସମିକ୍ ଭଟ୍ଟାଚାର୍ୟ୍ୟ ଆହୁରି କହିଛନ୍ତି, କଂଗ୍ରେସ ଶାସନ କାଳରେ ମାଖନ ଲାଲଙ୍କୁ ଦେଶଭକ୍ତି ଗୀତ ଗାଇବାକୁ ନେଇ ଦିଲ୍ଲୀ ପୁଲିସ ଗିରଫ କରିଥିଲା। କୋର୍ଟରେ ତାଙ୍କୁ କ୍ଷମା ମାଗିବାକୁ କୁହାଯାଇଥିଲା। କିନ୍ତୁ ସେ କ୍ଷମା ପ୍ରାର୍ଥନା କରିବାକୁ ମନା କରିଦେବା ସହିତ ପୁଣି ଥରେ ସେହି ଗୀତ ଗାଇଥିଲେ। କୋର୍ଟ ତାଙ୍କ ସାହସରେ ପ୍ରଭାବିତ ହୋଇ ତାଙ୍କୁ ଘରକୁ ଫେରିବାକୁ ପ୍ରଥମ ଶ୍ରେଣୀ ଟ୍ରେନ୍ ଟିକଟ ଓ ୧୦୦ ଟଙ୍କା ଦେଇଥିଲେ। ୯୭-୯୮ ବର୍ଷରେ ମଧ୍ୟ ମାଖନଲାଲ ତୃଣମୂଳ ସ୍ତରରେ ବିଜେପିର ଜଣେ ସମର୍ପିତ କାର୍ୟ୍ୟକର୍ତ୍ତା ଭାବେ ପରିଗଣିତ ହୁଅନ୍ତି।






