AK ସରକାରୀ ଯୋଜନାରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଅକାମୀ ଯୋଜନା ଗୁଡ଼ିକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଯୋଜନାଗୁଡ଼ିକର କାର୍ଯ୍ୟକାରିତାକୁ ଅଧିକ ପ୍ରଭାବଶାଳୀ ଓ ଫଳପ୍ରଦ କରିବା ଲକ୍ଷ୍ୟରେ, ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗତ ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ୨୩ଟି ବିଭାଗର ଯୋଜନାଗୁଡ଼ିକୁ ସମୀକ୍ଷା କରାଯାଇଛି । ଏଥିରେ ଅକାମୀ ଯୋଜନା ଗୁଡ଼ିକୁ ବନ୍ଦ କରିବାକୁ ଆଲୋଚନା ହୋଇଛି ।

ସରକାର ସମସ୍ତ ରାଜ୍ୟ ପରବର୍ତ୍ତୀ ଯୋଜନା (State Sector Schemes) ଗୁଡ଼ିକୁ ସେଗୁଡ଼ିକର ପ୍ରଭାବ ଆଧାରରେ ଉଚ୍ଚ, ମଧ୍ୟମ ଏବଂ ନିମ୍ନ ପ୍ରାଥମିକତା ବର୍ଗରେ ବିଭକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚ ପ୍ରାଥମିକତା ପ୍ରାପ୍ତ ଯୋଜନାଗୁଡ଼ିକୁ ଅଗ୍ରାଧିକାର ଦିଆଯିବ । ଏଥିସହିତ, ଗତ ତିନିରୁ ଚାରି ବର୍ଷ ଧରି କୌଣସି ବଜେଟ୍ ବରାଦ ପାଇନଥିବା କିମ୍ବା କେବଳ ନାମମାତ୍ର ବରାଦ ହୋଇଥିବା ଯୋଜନାଗୁଡ଼ିକୁ ବନ୍ଦ କରିବା ନେଇ ବିଚାର କରାଯାଇଛି । ସେହିପରି ସମାନ ପ୍ରକୃତିର ଯୋଜନାଗୁଡ଼ିକୁ ଏକତ୍ର କରି ଗୋଟିଏ Umbrella Scheme ଅଧୀନରେ ଆଣିବାକୁ କୁହାଯାଇଛି । ଏହାଛଡ଼ା, କେନ୍ଦ୍ରୀୟ ଯୋଜନାଗୁଡ଼ିକରୁ ସର୍ବାଧିକ ହିତାଧିକାରୀ ଯେପରି ଉପକୃତ ହୋଇପାରିବେ, ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯିବ । କୌଣସି ଅବଶିଷ୍ଟ ତ୍ରୁଟି ରହିଲେ ତାହା ରାଜ୍ୟ ସରକାର ପୂରଣ କରିବେ। ଯୋଜନାଗୁଡ଼ିକର ସଠିକ୍ କାର୍ଯ୍ୟକାରିତା ଓ ତଥ୍ୟଭିତ୍ତିକ ଆକଳନ ପାଇଁ ‘ଅନୁସନ୍ଧାନ, ମୂଲ୍ୟାୟନ ଏବଂ ନୀରିକ୍ଷଣ’ (REM) ବାବଦରେ ପ୍ରତ୍ୟେକ ବଡ଼ ଯୋଜନାରେ କିଛି ଅର୍ଥ ବରାଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି । ଏହି ସମସ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ବିଭାଗ ସେମାନଙ୍କର ରାଜ୍ୟ କ୍ଷେତ୍ରୀୟ ଯୋଜନାଗୁଡ଼ିକର ଚୂଡ଼ାନ୍ତ ତାଲିକା ଆସନ୍ତା ୧୫ ଦିନ ମଧ୍ୟରେ ଯୋଜନା ଓ ସମନ୍ୱୟ ବିଭାଗକୁ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।






