AK ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ ଦାବିରେ ଶତାଧିକ ଚାଷୀଙ୍କ ବାଇକ୍ ରାଲି ସୁବର୍ଣ୍ଣପୁର ଜିଲ୍ଲାରେ ନିର୍ମାଣ କୃଷକ ସଂଗଠନର ରାଜ୍ୟବ୍ୟାପୀ “କୃଷକ ସ୍ୱାଭିମାନ ଯାତ୍ରା” ପହଞ୍ଚିଥିବା ବେଳେ ଚାଷୀଙ୍କ ବିଭିନ୍ନ ଦାବିକୁ ନେଇ ଶତାଧିକ ଚାଷୀ ବାଇକ୍ ରାଲିରେ ସାମିଲ ହୋଇଥିଲେ । ଚାଷୀଙ୍କ ପାଇଁ “ପ୍ରାଇସ, ପ୍ରେଷ୍ଟିଜ୍ ଓ ପେନସନ” ଦାବିକୁ ନେଇ ଏହି ଯାତ୍ରା ଜିଲ୍ଲାରେ ବ୍ୟାପକ ସମର୍ଥନ ପାଇଥିଲା ।ସୋନପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସୁରେଶ୍ୱରୀଙ୍କ ପୀଠରେ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାରଙ୍କ ନେତୃତ୍ୱରେ ପହଞ୍ଚିଥିବା ଜିଲ୍ଲାର ଛଅଟି ବ୍ଲକର ପ୍ରତିନିଧିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା ।

ପରେ ମା’ ସୁରେଶ୍ୱରୀଙ୍କ ନିକଟରେ ପୂଜାର୍ଚ୍ଚନା କରାଯାଇଥିଲା ଏହାପରେ ଏକ ବିରାଟ ବାଇକ୍ ରାଲି ସୋନପୁର ସହର ପରିକ୍ରମା କରି ପଟଭାଡ଼ି ସ୍ଥିତ ରୟାଲ କନଫରେନ୍ସ ହଲ୍ରେ ପହଞ୍ଚିଥିଲା । ରାଲି ସମୟରେ “ସୂତାକଳ ପୁନଃ ଉଦ୍ଧାର ହେଉ”, “ଚାଷୀ ଏକତା ଜିନ୍ଦାବାଦ”, “ଚାଷୀଙ୍କ ଉପରେ ଜୁଲୁମ୍ ଚାଲିବ ନାହିଁ” ଭଳି ସ୍ଲୋଗାନରେ ପରିବେଶ ପ୍ରକମ୍ପିତ ହୋଇଥିଲା ।ଏହି ଅବସରରେ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର କହିଥିଲେ ଯେ, ଚାଷୀମାନଙ୍କ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକ ବିଶେଷ ଆପ୍ ଲଞ୍ଚ କରାଯାଇଛି । ଏହି ଆପ୍ ମାଧ୍ୟମରେ ଚାଷୀମାନେ ସେମାନଙ୍କ ସମସ୍ୟା ସିଧାସଳଖ ଭାବେ ଜଣାଇ ପାରିବେ । ସଂଗୃହୀତ ସମସ୍ୟାଗୁଡ଼ିକୁ ସରକାରଙ୍କ ନିକଟରେ ଉପସ୍ଥାପନ କରାଯିବ ବୋଲି ସେ କହିଥିଲେ ।ସେ ଆହୁରି କହିଥିଲେ ଯେ, ଆଗାମୀ ଦିନରେ ଚାଷୀମାନଙ୍କ ସ୍ୱାର୍ଥରକ୍ଷା ପାଇଁ ଏକ “ଚାଷୀ ସରକାର” ଗଠନ କରିବାର ଯୋଜନା ରହିଛି । ଏହି କୃଷକ ସ୍ୱାଭିମାନ ଯାତ୍ରା ମାଧ୍ୟମରେ ଚାଷୀଙ୍କ ଅଧିକାର ଓ ସମ୍ମାନ ପାଇଁ ଆନ୍ଦୋଳନକୁ ଆହୁରି ଜୋରଦାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।






