AK ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତି-ମହତ୍ତ୍ୱାକାଂକ୍ଷୀ ତଥା ୪୦୦ ମିଲିୟନ୍ ଡଲାର ବ୍ୟୟବହୁଳ ‘ହ୍ୱାଇଟ୍ ହାଉସ୍ ବଲ୍ରୁମ୍’ ପ୍ରକଳ୍ପକୁ ଏକ ବଡ଼ ଧରଣର ନ୍ୟାୟିକ ସଫଳତା ମିଳିଛି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅତି-ମହତ୍ତ୍ୱାକାଂକ୍ଷୀ ତଥା ୪୦୦ ମିଲିୟନ୍ ଡଲାର ବ୍ୟୟବହୁଳ ‘ହ୍ୱାଇଟ୍ ହାଉସ୍ ବଲ୍ରୁମ୍’ ପ୍ରକଳ୍ପକୁ ଏକ ବଡ଼ ଧରଣର ନ୍ୟାୟିକ ସଫଳତା ମିଳିଛି । ଶନିବାର କଲମ୍ବିଆ ଜିଲ୍ଲା କୋର୍ଟଙ୍କ ଏକ ତିନି ଜଣିଆ ଖଣ୍ଡପୀଠ ନିମ୍ନ ଅଦାଲତଙ୍କ ପୂର୍ବ ସ୍ଥଗିତାଦେଶ ଉପରେ ରୋକ୍ ଲଗାଇବା ସହ ଏହି ବିବାଦୀୟ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ଗ୍ରୀନ୍ ସିଗ୍ନାଲ୍ ଦେଇଛନ୍ତି ।

ପ୍ରାୟ ୩,୩୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ଭବ୍ୟ ପ୍ରକଳ୍ପରେ ଏକ ବିଶାଳ ବଲ୍ରୁମ୍ ସହିତ ଅତ୍ୟାଧୁନିକ ଭୂତଳ ସାମରିକ ବଙ୍କର ନିର୍ମାଣ କରାଯାଉଛି, ଯାହାକୁ ନେଇ କଂଗ୍ରେସର ଅନୁମୋଦନ ଏବଂ ଐତିହ୍ୟ ସୁରକ୍ଷା ନିୟମକୁ ନେଇ ଆଇନଗତ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା । ଏହି ମାମଲାର ପରବର୍ତ୍ତୀ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଆସନ୍ତା ଜୁନ୍ ୫ ତାରିଖରେ ହେବାକୁ ସ୍ଥିର ହୋଇଥିବା ବେଳେ ବର୍ତ୍ତମାନ ପାଇଁ ଟ୍ରମ୍ପ ପ୍ରଶାସନକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଏହି ସମଗ୍ର ବିବାଦର ମୂଳ କାରଣ ହେଉଛି ବିଚାରପତି ରିଚାର୍ଡ ଲିଓନଙ୍କ ପୂର୍ବ ରାୟ, ଯେଉଁଥିରେ ସେ କଂଗ୍ରେସର ସ୍ୱିକୃତି ବିନା ହ୍ୱାଇଟ୍ ହାଉସର ଐତିହାସିକ ‘ଇଷ୍ଟ୍ ୱିଙ୍ଗ୍’କୁ ଭାଙ୍ଗିବା ପ୍ରକ୍ରିୟାକୁ ବେଆଇନ ଘୋଷଣା କରିଥିଲେ ।
ନ୍ୟାସନାଲ ଟ୍ରଷ୍ଟ ଫର୍ ହିଷ୍ଟୋରିକ୍ ପ୍ରିଜର୍ଭେସନ୍ ପକ୍ଷରୁ ଦାୟର ଏହି ମାମଲାରେ ଅଭିଯୋଗ ହୋଇଛି ଯେ ପ୍ରଶାସନ ଏହି ପ୍ରକଳ୍ପକୁ ତ୍ୱରାନ୍ୱିତ କରିବା ପାଇଁ ସମସ୍ତ ପୁରାତନ ନିୟମାବଳୀକୁ ଜଳାଞ୍ଜଳି ଦେଇଛି। ଗତ ଡିସେମ୍ବର ମାସରୁ ଆରମ୍ଭ ହୋଇଥିବା ଏହି ଉଚ୍ଛେଦ କାର୍ଯ୍ୟ ଦ୍ୱାରା ହ୍ୱାଇଟ୍ ହାଉସର ଦୀର୍ଘକାଳୀନ ପରିଚୟ ନଷ୍ଟ ହେବାର ଆଶଙ୍କା ଥିବା ଦର୍ଶାଇ ଅନେକ ସ୍ଥପତି ଓ ଐତିହାସିକ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି । ତେବେ ରାଷ୍ଟ୍ରପତି ଟ୍ରମ୍ପ ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି ଏହି ନୂତନ ୯୦,୦୦୦ ବର୍ଗଫୁଟର କମ୍ପ୍ଲେକ୍ସକୁ ଆମେରିକାର ସୁରକ୍ଷା ଓ ସୁବିଧା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ ବୋଲି ବର୍ଣ୍ଣନା କରିଛନ୍ତି। ତାଙ୍କ ମତରେ ଏହି ବଲ୍ରୁମ୍ ତଳେ ନିର୍ମାଣ ହେଉଥିବା ବିଶାଳ ସାମରିକ ବଙ୍କର ବୁଲେଟପ୍ରୁଫ୍ ସୁରକ୍ଷା, ଡ୍ରୋନ୍ ପ୍ରତିରୋଧକ ବ୍ୟବସ୍ଥା ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ସମ୍ପନ୍ନ ହେବ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ପାଇଁ ସରକାରୀ ପାଣ୍ଠି ପରିବର୍ତ୍ତେ କେବଳ ଘରୋଇ ଦାତାମାନେ ଅର୍ଥ ଯୋଗାଇ ଦେଉଛନ୍ତି। ପ୍ରାୟ ୧,୦୦୦ ଅତିଥିଙ୍କ ପାଇଁ ଉଦ୍ଦିଷ୍ଟ ଏହି ଭବ୍ୟ ସଭାଗୃହ ବିଶ୍ୱର ସବୁଠାରୁ ଚମତ୍କାର ନିର୍ମାଣ ହେବ ବୋଲି ଟ୍ରମ୍ପ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।






