ଏ.କେ ବ୍ୟୁରୋ : ୪୦୦ କେଭି ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ୍ର ଆଲୁମିନିୟମ୍ ତାର ଚୋରି ୧୦ ଅଭିଯୁକ୍ତ ଗିରଫ, ୬ ବଣ୍ଡଲ୍ ତାର ସହ ପିକ୍ଅପ୍ ଭ୍ୟାନ୍ ଜବତ। ଅନୁଗୋଳ ସଦର ଥାନା ଅଞ୍ଚଳର ହଣାଡିହା ନିକଟରେ ୪୦୦ କେଭି ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ୍ର ଆଲୁମିନିୟମ୍ କଣ୍ଡକ୍ଟର୍ ଚୋରି ମାମଲାରେ ପୁଲିସ ୧୦ ଜଣଙ୍କୁ ଗିରଫ କରିଛି। ଏନେଇ ଅନୁଗୋଳ ସଦର ଥାନାରେ କେସ୍ ନମ୍ବର ୮୧୪, ତାରିଖ ୦୧.୧୦.୨୦୨୬ରେ ମାମଲା ରୁଜୁ ହୋଇଥିଲା।

ଶ୍ରୀ ଭୂମି ପାୱାର ପ୍ରୋଜେକ୍ଟ, ଜିନ୍ଦଲର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଶତପଥୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ଅନୁସାରେ, ହଣାଡିହା ନିକଟସ୍ଥ ଏକ ଟ୍ରାନ୍ସମିସନ୍ ଟାୱାରରୁ ଏକାଧିକ ବ୍ୟକ୍ତି ମିଶି ଆଲୁମିନିୟମ୍ କଣ୍ଡକ୍ଟର୍ କାଟି ଚୋରି କରିଥିଲେ। ତଦନ୍ତ ସମୟରେ ପୁଲିସ ବିଶ୍ୱସନୀୟ ସୂଚନା ଆଧାରରେ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୦ ଜଣଙ୍କୁ ଧରି ଗିରଫ କରିଛି। ଗିରଫ ବ୍ୟକ୍ତିମାନେ ହେଲେ ଅମର ନାଏକ, ପାପୁନ ଜାଲା, ଚଗଳା ଓରଫ ଶଙ୍କର୍ଷଣ ବାରିକ, ବାପୁନ ନାଏକ, ଲିଟୁ ନାଏକ, ବିଦୁଷା ରାଉତ, ବିକାଶ ନାଏକ, ସୁବଳ ନାଏକ, ସନାତନ ନାଏକ ଓ ଲକ୍ଷ୍ମୀଧର ନାଏକ। ପୁଲିସ ସେମାନଙ୍କଠାରୁ ୪୦୦ କେଭି ବିଦ୍ୟୁତ୍ ଟ୍ରାନ୍ସମିସନ୍ ଲାଇନ୍ର ୬ ବଣ୍ଡଲ୍ ଆଲୁମିନିୟମ୍ ତାର, ଚୋରି ତାର ପରିବହନରେ ବ୍ୟବହୃତ ହୋଇଥିବା ଅଭିଯୋଗ ଥିବା OD-02-BP-1101 ନମ୍ବର ପିକ୍ଅପ୍ ଭ୍ୟାନ୍, ଗୋଟିଏ ହ୍ୟାକ୍ସଅ ତଥା କଟିଂ ଟୁଲ୍ ଏବଂ ୧୦ ହଜାର ଟଙ୍କା ନଗଦ ଜବତ କରିଛି। ପୁଲିସର ପ୍ରାଥମିକ ତଦନ୍ତ ଅନୁଯାୟୀ, ଅଭିଯୁକ୍ତମାନେ ରାତି ସମୟରେ ହଣାଡିହା ଅଞ୍ଚଳର ନୂତନ ଭାବେ ସ୍ଥାପିତ ୪୦୦ କେଭି ଟ୍ରାନ୍ସମିସନ୍ ଲାଇନ୍କୁ ଟାର୍ଗେଟ୍ କରିଥିବା ଅଭିଯୋଗ ରହିଛି। କଟିଂ ଟୁଲ୍ ବ୍ୟବହାର କରି ତାର କାଟିବା ପରେ ଏହାକୁ ପିକ୍ଅପ୍ ଭ୍ୟାନ୍ରେ ନେଇଯାଉଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ କହିଛି। ଚୋରି ହୋଇଥିବା ଆଲୁମିନିୟମ୍ ତାରକୁ ଢେଙ୍କାନାଳର ବିଦୁଷା ରାଉତଙ୍କ ମାଧ୍ୟମରେ ସ୍କ୍ରାପ୍/କବାଡ଼ି ବ୍ୟବସାୟରେ ବିକ୍ରି କରିବାକୁ ଯୋଜନା ଥିବା ତଦନ୍ତରୁ ଜଣାପଡ଼ିଥିବା ପୁଲିସ ପ୍ରେସ୍ ନୋଟ୍ରେ ଉଲ୍ଲେଖ କରିଛି। ମାମଲାରେ ଆହୁରି କେତେଜଣଙ୍କ ସମ୍ପୃକ୍ତି ରହିଛି, ଚୋରି ହୋଇଥିବା ତାରର ସମ୍ପୂର୍ଣ୍ଣ ପରିମାଣ ଓ ମୂଲ୍ୟ କେତେ ଏବଂ ଚୋରି ସାମଗ୍ରୀ କିପରି ବିକ୍ରି କରାଯାଉଥିଲା, ସେନେଇ ତଦନ୍ତ ଜାରି ରହିଛି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ଅନୁଗୋଳ SDJM କୋର୍ଟରେ ହାଜର କରାଯାଇ ନ୍ୟାୟିକ ହାଜତକୁ ପଠାଯାଇଛି।






