ଏ.କେ ବ୍ୟୁରୋ : ଗ୍ରାହକଙ୍କ ମୋବାଇଲ୍ ନମ୍ବର ବଦଳାଇ ୭ଟି FD ଭାଙ୍ଗିଥିବା ଅଭିଯୋଗ; ମାମଲା ରୁଜୁର ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତ ଗିରଫ ଅନୁଗୋଳ ଜିଲ୍ଲାରେ ଏକ ବଡ଼ ଧରଣର ବ୍ୟାଙ୍କ ଠକେଇ ଘଟଣାର ପର୍ଦ୍ଦାଫାସ କରିଛି ଅନୁଗୋଳ ସାଇବର କ୍ରାଇମ୍ ଓ ଇକୋନୋମିକ୍ ଅଫେନ୍ସ ପୋଲିସ। ଗ୍ରାହକଙ୍କ ଅଜାଣତରେ ବ୍ୟାଙ୍କ ଆକାଉଣ୍ଟ ପରିଚାଳନା କରି ଲକ୍ଷ ଲକ୍ଷ ଟଙ୍କା ହେରଫେର କରିଥିବା ଅଭିଯୋଗରେ ICICI ବ୍ୟାଙ୍କ ତାଳଚେର ଶାଖାର Relationship Manager ଅଭିମନ୍ୟୁ ସାହୁ (୨୯)ଙ୍କୁ ପୋଲିସ ଗିରଫ କରିଛି। ଅନୁଗୋଳ ପୋଲିସ ପକ୍ଷରୁ ଜାରି ପ୍ରେସ୍ ରିଲିଜ୍ ଅନୁଯାୟୀ, ଏହି ଘଟଣାରେ ପ୍ରଥମେ ₹୭୩,୯୮,୯୧୪ ଟଙ୍କାର କ୍ଷତି ହୋଇଥିବା ଅଭିଯୋଗ ହୋଇଥିଲା। ତେବେ ତଦନ୍ତ ସମୟରେ ପ୍ରକୃତ ହେରଫେର ରାଶି ₹୮୩,୯୯,୨୦୧ ଟଙ୍କା ବୋଲି ଜଣାପଡ଼ିଥିଲା।
ଗ୍ରାହକଙ୍କ ମୋବାଇଲ୍ ନମ୍ବର ବଦଳାଇ ଠକେଇ
ପୋଲିସର ତଦନ୍ତ ଅନୁଯାୟୀ, ଅଭିଯୁକ୍ତ ନିଜ ବ୍ୟାଙ୍କ ପଦବୀର ଦୁରୁପଯୋଗ କରି ଦୁଇଜଣ ଗ୍ରାହକଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ପରିବର୍ତ୍ତନ କରି ନିଜ ନିୟନ୍ତ୍ରଣରେ ଥିବା ନମ୍ବର ସହ ଯୋଡ଼ିଥିବା ଅଭିଯୋଗ ହୋଇଛି। ଏହାପରେ ଗ୍ରାହକଙ୍କ ଅଜାଣତରେ ସେମାନଙ୍କ ଡିଜିଟାଲ୍ ବ୍ୟାଙ୍କିଂ ସୁବିଧା ବ୍ୟବହାର କରାଯାଇଥିଲା।

ତଦନ୍ତରୁ ଜଣାପଡ଼ିଛି ଯେ, ଗ୍ରାହକଙ୍କ ନାମରେ ଥିବା ୭ଟି Fixed Deposit (FD) ବନ୍ଦ କରାଯାଇ, ଏଥିରୁ ମିଳିଥିବା ଟଙ୍କା ସେମାନଙ୍କ Savings Accountକୁ ସ୍ଥାନାନ୍ତର କରାଯାଇଥିଲା। ପରବର୍ତ୍ତୀ ସମୟରେ ବିଭିନ୍ନ ଅନଧିକୃତ ଟ୍ରାଞ୍ଜାକ୍ସନ୍ ମାଧ୍ୟମରେ ଟଙ୍କା ହେରଫେର କରାଯାଇଥିବା ଅଭିଯୋଗ ରହିଛି। ଏଥିସହ ଗ୍ରାହକଙ୍କ ଅଜାଣତରେ ଏକ Personal Loan ମଧ୍ୟ ନିଆଯାଇଥିବା ପୋଲିସ କହିଛି।
ଏହି ସମସ୍ତ କାରବାର ମାର୍ଚ୍ଚ ୨୦୨୪ରୁ ଅକ୍ଟୋବର ୨୦୨୫ ମଧ୍ୟରେ ହୋଇଥିବା ତଦନ୍ତରୁ ସାମ୍ନାକୁ ଆସିଛି।
ମାମଲା ରୁଜୁର ୪୮ ଘଣ୍ଟାରେ ଗିରଫ ମୋବାଇଲ୍ ସମେତ ବିଭିନ୍ନ ସାମଗ୍ରୀ ଜବତ ଘଟଣା ସମ୍ପର୍କରେ ଅଭିଯୋଗ ମିଳିବା ପରେ ଅନୁଗୋଳ ଏସ୍ପିଙ୍କ ତତ୍ତ୍ୱାବଧାନରେ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ଗଠନ କରାଯାଇଥିଲା। ତଦନ୍ତକାରୀ ଦଳ ବ୍ୟାଙ୍କ ରେକର୍ଡ, ଡିଜିଟାଲ୍ ପ୍ରମାଣ, ମୋବାଇଲ୍ ଡାଟା ଓ ବିଭିନ୍ନ ଦସ୍ତାବିଜ୍ର ଯାଞ୍ଚ କରିଥିଲା। ପୋଲିସ ପକ୍ଷରୁ କୁହାଯାଇଛି ଯେ, ତଦନ୍ତରେ ଅଭିଯୁକ୍ତଙ୍କ ସମ୍ପୃକ୍ତି ସମ୍ପର୍କରେ ତଥ୍ୟ ମିଳିବା ପରେ ମାମଲା ରୁଜୁ ହେବାର ୪୮ ଘଣ୍ଟା ମଧ୍ୟରେ ଅଭିମନ୍ୟୁ ସାହୁଙ୍କୁ ଗିରଫ କରାଯାଇଥିଲା।
ଅଭିଯୁକ୍ତଙ୍କ ନିକଟରୁ ପୋଲିସ VIVO V50, iPhone 15 ଓ Infinix HOT 10 ସମେତ ୩ଟି ମୋବାଇଲ୍ ଫୋନ୍ ଜବତ କରିଛି। ଏଥିସହ ଗୋଟିଏ ICICI ବ୍ୟାଙ୍କ ପାସ୍ବୁକ୍, PAN କାର୍ଡ, ଭୋଟର ପରିଚୟପତ୍ର, ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ଏବଂ ୫ଟି ATM କାର୍ଡ ଜବତ ହୋଇଛି।

ବିଳାସପୂର୍ଣ୍ଣ ଖର୍ଚ୍ଚରେ ଟଙ୍କା ବ୍ୟବହାର ଅଭିଯୋଗ
ପୋଲିସ ପ୍ରେସ୍ ରିଲିଜ୍ ଅନୁଯାୟୀ, ପଚରାଉଚରା ସମୟରେ ହେରଫେର ହୋଇଥିବା ଟଙ୍କାର ଏକ ବଡ଼ ଅଂଶ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ, ମୋବାଇଲ୍ ଫୋନ୍ ଏବଂ ବ୍ୟକ୍ତିଗତ ଖର୍ଚ୍ଚରେ ବ୍ୟବହାର ହୋଇଥିବା ତଥ୍ୟ ସାମ୍ନାକୁ ଆସିଛି। ଏହି ଘଟଣାରେ CC & EO Police Station, Angul Case No. 15, ତାରିଖ ୨୯.୦୭.୨୦୨୬ରେ ମାମଲା ରୁଜୁ ହୋଇଛି। ପ୍ରେସ୍ ରିଲିଜ୍ରେ BNSର ବିଭିନ୍ନ ଧାରା ସହ IT Actର ସମ୍ପୃକ୍ତ ଧାରାରେ ମାମଲା ହୋଇଥିବା ଉଲ୍ଲେଖ ରହିଛି। ଅନୁଗୋଳ ପୋଲିସର ଏହି ତ୍ୱରିତ ତଦନ୍ତ ଓ ୪୮ ଘଣ୍ଟା ମଧ୍ୟରେ ଗିରଫ ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।






