AK କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏହା କୋଟି କୋଟି ପ୍ରଶଂସକଙ୍କ ପାଇଁ ଏକ ଭାବନା । ଏହି ଖେଳକୁ ଅଧିକ ରୋମାଞ୍ଚକର, ସ୍ୱଚ୍ଛ ଏବଂ ଆଧୁନିକ କରିବା ପାଇଁ ସମୟ ଅନୁସାରେ ନିୟମରେ ପରିବର୍ତ୍ତନ କରାଯାଇଥାଏ । କ୍ରିକେଟ୍ କେବଳ ଏକ ଖେଳ ନୁହେଁ, ବରଂ ଏହା କୋଟି କୋଟି ପ୍ରଶଂସକଙ୍କ ପାଇଁ ଏକ ଭାବନା । ଏହି ଖେଳକୁ ଅଧିକ ରୋମାଞ୍ଚକର, ସ୍ୱଚ୍ଛ ଏବଂ ଆଧୁନିକ କରିବା ପାଇଁ ସମୟ ଅନୁସାରେ ନିୟମରେ ପରିବର୍ତ୍ତନ କରାଯାଇଥାଏ। ଚଳିତ ବର୍ଷ ଅକ୍ଟୋବର ପହିଲାରୁ କ୍ରିକେଟ୍ ଦୁନିଆରେ କିଛି ବଡ଼ ଧରଣର ପରିବର୍ତ୍ତନ ଘଟିବାକୁ ଯାଉଛି । ବିଶ୍ବବ୍ୟାପୀ କ୍ରିକେଟ୍ ନିୟମର ଅଭିଭାବକ କୁହାଯାଉଥିବା ‘ମେରିଲବୋନ୍ କ୍ରିକେଟ୍ କ୍ଲବ୍’ ଖେଳର ଆତ୍ମାକୁ ବଜାୟ ରଖିବା ସହ କିଛି ନୂଆ ନିୟମ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି । ମୁମ୍ବାଇରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ଏମ୍ସିସିର କ୍ରିକେଟ୍ ମୁଖ୍ୟ ଫ୍ରେଜର୍ ଷ୍ଟିୱାର୍ଟ ଏବଂ ପୂର୍ବତନ ଇଂଲଣ୍ଡ କ୍ରିକେଟର୍ ଅଙ୍ଗୁସ ଫ୍ରେଜର୍ ଏହି ନୂତନ ପରିବର୍ତ୍ତନ ସମ୍ପର୍କରେ ସୂଚନା ଦେଇଛନ୍ତି ।

ଏହି ପରିବର୍ତ୍ତନଗୁଡ଼ିକ ମଧ୍ୟରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଟେଷ୍ଟ କ୍ରିକେଟ୍ରେ ଦିନର ଶେଷ ଓଭର ପୂର୍ବରୁ ଯଦି ଦିନର ଶେଷ ଓଭରରେ କୌଣସି ୱିକେଟ୍ ପଡ଼ୁଥିଲା, ତେବେ ଖେଳ ସେଇଠି ବନ୍ଦ କରିଦିଆଯାଉଥିଲା। ମାତ୍ର ନୂଆ ନିୟମ ଅନୁସାରେ, ଏଣିକି ସମ୍ପୃକ୍ତ ଓଭରକୁ ସମ୍ପୂର୍ଣ୍ଣ କରାଯିବ । ନୂଆ ବ୍ୟାଟର୍ ପଡ଼ିଆକୁ ଆସିବେ ଏବଂ ବାକି ଥିବା ବଲ୍ଗୁଡ଼ିକ ଖେଳାଯିବ । ଏହାଦ୍ୱାରା ଖେଳରେ ଆକସ୍ମିକ ବିରାମ ଘଟିବ ନାହିଁ ।ସେହିପରି ବାଉଣ୍ଡରି ନିକଟରେ ଫିଲ୍ଡରଙ୍କ ‘ସର୍କସ୍ କ୍ୟାଚ୍’ ଉପରେ କଟକଣା ଲଗାଯାଇଛି । ଏଣିକି ଫିଲ୍ଡର କେବଳ ଥରେ ମାତ୍ର ବାଉଣ୍ଡରି ବାହାରକୁ ଡେଇଁ ପାରିବେ । କ୍ୟାଚ୍ ନେବା ସମୟରେ ଫିଲ୍ଡରଙ୍କ ସ୍ଥିତି ପଡ଼ିଆ ଭିତରେ ରହିବା ବାଧ୍ୟତାମୂଳକ । ଏହା ଫିଲ୍ଡିଂର ମାନକୁ ଅଧିକ ଶାଣିତ କରିବ । ବ୍ୟାଟ୍ ବ୍ୟବହାର କ୍ଷେତ୍ରରେ ମଧ୍ୟ କିଛି କୋହଳ ନୀତି ଆପଣାଯାଇଛି। ପୂର୍ବରୁ ଜୁନିୟର କ୍ରିକେଟରେ ନିଷିଦ୍ଧ ଥିବା ‘ଟାଇପ୍-ଡି’ ବା ଲାମିନେଟେଡ୍ ବ୍ୟାଟ୍ ଏବେ ଆନ୍ତର୍ଜାତୀୟ ସ୍ତରରେ ଅନୁମତି ପାଇବ । ଏହି ବ୍ୟାଟ୍ଗୁଡ଼ିକ ଅଧିକ ଦୃଢ଼ ଏବଂ ପାୱାର ହିଟିଂ ପାଇଁ ସହାୟକ ହେବ।
ୱିକେଟକିପିଂ ଏବଂ ରନ୍ ଆଉଟ୍ ନିୟମରେ ମଧ୍ୟ ସାମାନ୍ୟ ପରିବର୍ତ୍ତନ କରାଯାଇଛି। ଏଣିକି ୱିକେଟରକ୍ଷକଙ୍କୁ ବଲ୍ ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ହେ ବ। କେବଳ ବଲ୍ ହାତରେ ବାଜିବା କିମ୍ବା ଛୁଇଁଦେଲେ ତାହା ଷ୍ଟମ୍ପିଂ ଭାବେ ଗ୍ରହଣ କରାଯିବ ନାହିଁ। ଏହାଛଡ଼ା ଓଭର ଥ୍ରୋ ନିୟମକୁ ଅଧିକ ସ୍ପଷ୍ଟ କରାଯାଇଛି । ବାଉଣ୍ଡରି ନିକଟରେ ସାଧାରଣ ମିସ୍ଫିଲ୍ଡକୁ ଏଣିକି ଓଭର ଥ୍ରୋ କୁହାଯିବ ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ରନ୍ ରୋକିବାକୁ ଯାଇ ଯଦି ବଲ୍ ବାହାରକୁ ଯାଏ, ତେବେ ହିଁ ଏହା ଓଭର ଥ୍ରୋ ବିବେଚିତ ହେବ । ଶେଷରେ, ହିଟ୍ ୱିକେଟ୍ ନିୟମକୁ ଅଧିକ କଠୋର କରାଯାଇଛି। ଯଦି ଜଣେ ବ୍ୟାଟର୍ ସଟ୍ ଖେଳିବା ପରେ ସନ୍ତୁଳନ ହରାଇ ଷ୍ଟମ୍ପରେ ବାଜନ୍ତି, ତେବେ ତାଙ୍କୁ ଆଉଟ୍ ଘୋଷଣା କରାଯିବ । ଏହି ସମସ୍ତ ପରିବର୍ତ୍ତନ ଆଗାମୀ ଦିନରେ କ୍ରିକେଟ୍ ଖେଳକୁ ଅଧିକ ସ୍ୱଚ୍ଛ ଏବଂ ତ୍ରୁଟିଶୂନ୍ୟ କରିବ ବୋଲି ଆଶା କରାଯାଉଛି। ଖେଳାଳିମାନଙ୍କୁ ଏବେ ନିଜର କୌଶଳ ସହ ଏହି ନୂଆ ନିୟମ ସହିତ ଖାପଖୁଆଇ ଚଳିବାକୁ ପଡ଼ିବ ।






