AK ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟା । ହିନ୍ଦୁ ପଞ୍ଚାଙ୍ଗ ଅନୁଯାୟୀ ଏହି ଦିନଟି ନୂତନ ଆରମ୍ଭ ଏବଂ ସମୃଦ୍ଧିର ପ୍ରତୀକ । ବିଶ୍ୱାସ ରହିଛି ଯେ, ଏହି ଦିନ କରାଯାଇଥିବା କାର୍ଯ୍ୟ କିମ୍ବା ନିବେଶ ‘ଅକ୍ଷୟ’ ରହେ, ଅର୍ଥାତ୍ ଏହାର କେବେ କ୍ଷୟ ହୁଏନାହିଁ। ସେଥିପାଇଁ ଭାରତୀୟ ପରମ୍ପରାରେ ଏହି ଦିନ ସୁନା କିଣିବାକୁ ଅତ୍ୟନ୍ତ ଶୁଭ ମାନନ୍ତି ଲୋକେ । ଶୁଭ ମୁହୂର୍ତ୍ତ କେଉଁ ସମୟ ଜାଣିନିଅନ୍ତୁ । ଏଥର ଅକ୍ଷୟ ତୃତୀୟା ଏପ୍ରିଲ୍ ୨୦ ଅର୍ଥାତ୍ ଶନିବାର ଦିନ ପାଳନ କରାଯାଉଛି ।

ସୁନା କିଣିବାର ମୁହୂର୍ତ୍ତ: ଏପ୍ରିଲ୍ ୧୯ ସକାଳ ୧୦:୪୯ ରୁ ଆରମ୍ଭ ହୋଇ ଏପ୍ରିଲ୍ ୨୦ ସକାଳ ୦୬:୧୯ ପର୍ଯ୍ୟନ୍ତ ରହିବ ।
ସୁନାରେ ନିବେଶ କେତେ ଲାଭଦାୟକ, ତାହା ଗତ ୫ ବର୍ଷର ରେକର୍ଡକୁ ଦେଖିଲେ ଜଣାପଡ଼େ । ଯଦି ଆପଣ ୫ ବର୍ଷ ପୂର୍ବେ ଅକ୍ଷୟ ତୃତୀୟାରେ ସୁନା କିଣିଥାନ୍ତେ, ତେବେ ଆପଣଙ୍କ ସମ୍ପତ୍ତି ପ୍ରାୟ ୧୩୫% ବୃଦ୍ଧି ପାଇଥାନ୍ତା । ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ବିଶ୍ୱସ୍ତରୀୟ ଉତ୍ତେଜନା ଏବଂ ମୁଦ୍ରାସ୍ଫୀତି ଯୋଗୁଁ ସୁନା ଦର ଆକାଶଛୁଆଁ ହେବାରେ ଲାଗିଛି । ଏକ୍ସିସ୍ ସିକ୍ୟୁରିଟିଜ୍ର ରିପୋର୍ଟ ଅନୁଯାୟୀ, ୨୦୨୬ ଶେଷ ସୁଦ୍ଧା ସୁନା ଦର ୧,୭୦,୦୦୦ ରୁ ୧,୮୫,୦୦୦ ଟଙ୍କା (ପ୍ରତି ୧୦ ଗ୍ରାମ୍) ପର୍ଯ୍ୟନ୍ତ ପହଞ୍ଚିପାରେ । ନିବେଶ ଶୈଳୀରେ ପରିବର୍ତ୍ତନ: ଯୁବପିଢ଼ି ଏବେ କେବଳ ଗହଣା ନୁହେଁ, ବରଂ ଡିଜିଟାଲ୍ ଗୋଲ୍ଡ ଏବଂ ଗୋଲ୍ଡ ETF କୁ ଅଧିକ ପସନ୍ଦ କରୁଛନ୍ତି । ବିଶେଷଜ୍ଞଙ୍କ ମତରେ, ସୁନାକୁ କେବଳ ବ୍ୟବହାର ପାଇଁ ନୁହେଁ, ବରଂ ଏକ ସୁରକ୍ଷିତ ନିବେଶ ଭାବେ ଦେଖିବା ଉଚିତ୍ । ଆପଣଙ୍କ ପୋର୍ଟଫୋଲିଓରେ ୮ ରୁ ୧୫ ପ୍ରତିଶତ ସୁନା ରଖିବା ଲାଭଦାୟକ ହୋଇଥାଏ । ଯଦିଓ ସ୍ୱଳ୍ପ ଅବଧି ପାଇଁ ଦରରେ ସାମାନ୍ୟ ହ୍ରାସବୃଦ୍ଧି ଘଟିପାରେ, କିନ୍ତୁ ଦୀର୍ଘ ଅବଧିରେ ଏହା ସବୁବେଳେ ଭଲ ରିଟର୍ଣ୍ଣ ଦେଇଥାଏ ।ଦର ଯେତେ ବଢ଼ିଲେ ବି ସୁନା ପ୍ରତି ଭାରତୀୟଙ୍କ ମୋହ କମିନାହିଁ । ଏଥର ଅକ୍ଷୟ ତୃତୀୟାରେ ବି ବଜାରରେ ପ୍ରବଳ ଗହଳି ହେବାର ସମ୍ଭାବନା ରହିଛି ।






