ନୂଆପଡ଼ା: ଚିକିତ୍ସା ସାରି ଆମ୍ବୁଲାନ୍ସରେ ଘରକୁ ଫେରୁଥିବା ବେଳେ ଘଟିଲା ଭୟଙ୍କର ସଡ଼କ ଦୁର୍ଘଟଣା। ଛିଡ଼ା ହୋଇଥିବା ଏକ ଟ୍ରକ୍କୁ ପଛପଟୁ ଆମ୍ବୁଲାନ୍ସ ଧକ୍କା ଦେବାରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ତିନିଜଣ ଗୁରୁତର ଆହତ ହୋଇଛନ୍ତି। ଏଭଳି ଏକ ଦୁଃଖଦ ଘଟଣା ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ବାଗବାହାରା ସହରରେ ଘଟିଛି।
ମୃତକ ଦୁଇଜଣ ହେଲେ ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଟୁର୍ଲା ଗ୍ରାମର ବସନ୍ତା ପ୍ରଧାନ (୬୦) ଏବଂ ଆଗଲପୁର ଥାନା ଅନ୍ତର୍ଗତ ଉଚ୍ଛବାହାଲ ଗ୍ରାମର ଉତ୍ତରା ଦୋରା (୬୦)।
ସୂଚନା ଅନୁଯାୟୀ, କିଛିଦିନ ତଳେ ବସନ୍ତା ଓ ଉତ୍ତରା ଚିକିତ୍ସା ପାଇଁ ଛତିଶଗଡ଼ର ରାୟପୁରସ୍ଥିତ ଏକ ଘରୋଇ ହସ୍ପିଟାଲକୁ ଯାଇଥିଲେ। ସେଠାରେ ଚିକିତ୍ସିତ ହେବା ପରେ ଗତକାଲି ବିଳମ୍ବିତ ରାତିରେ ଉଭୟଙ୍କୁ ଡିସଚାର୍ଜ କରାଯାଇଥିଲା। ଆଜି ଭୋର୍ ସମୟରେ ଦୁଇ ପରିବାରର ସଦସ୍ୟମାନେ ଏକ ଆମ୍ବୁଲାନ୍ସ (ସିଜି ୦୪ ଏନ୍ଏଚ୍ ୭୭୪୬) ଯୋଗେ ସେମାନଙ୍କୁ ନେଇ ଘରକୁ ଫେରୁଥିଲେ।
ଏହି ସମୟରେ ରାୟପୁର-ଗୋପାଳପୁର ଜାତୀୟ ରାଜପଥ-୩୫୩ରେ ମହାସମୁନ୍ଦ ଜିଲ୍ଲା ବାଗବାହାରାସ୍ଥିତ ଦେବାଶିଷ ଘରୋଇ ସ୍କୁଲ ନିକଟରେ ଏକ ଟ୍ରକ୍ ରାସ୍ତାରେ ଛିଡ଼ା ହୋଇଥିଲା। ଏହି ସମୟରେ ଦ୍ରୁତଗତିରେ ଆସୁଥିବା ଆମ୍ବୁଲାନ୍ସଟି ଟ୍ରକ୍ର ପଛପଟେ ଜୋରଦାର ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଆମ୍ବୁଲାନ୍ସଟି ଓଲଟି ପଡ଼ିବା ସହ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହୋଇଥିଲା।
ଏହି ଦୁର୍ଘଟଣାରେ ବସନ୍ତା ପ୍ରଧାନ ଓ ଉତ୍ତରା ଦୋରାଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଅନ୍ୟପଟେ ବସନ୍ତାଙ୍କ ସ୍ୱାମୀ ବରିହା ପ୍ରଧାନ, ଉତ୍ତରାଙ୍କ ସମ୍ପର୍କୀୟ ଲକ୍ଷ୍ମୀ ଦୋରାଙ୍କ ସମେତ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ।
ଖବର ପାଇ ବାଗବାହାରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ଉଦ୍ଧାର କରି ବାଗବାହାରା ହସ୍ପିଟାଲରେ ଭର୍ତ୍ତି କରିଥିଲା। ପ୍ରାଥମିକ ଚିକିତ୍ସା ପରେ ତିନିଜଣ ଗୁରୁତରଙ୍କୁ ମହାସମୁନ୍ଦ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ରାୟପୁରର ଏକ ଘରୋଇ ହସ୍ପିଟାଲକୁ ପଠାଯାଇଛି। ଅନ୍ୟ ଦୁଇଜଣ ମହାସମୁନ୍ଦରେ ଚିକିତ୍ସିତ ହେଉଛନ୍ତି।
ଏପଟେ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ଆମ୍ବୁଲାନ୍ସକୁ ପୁଲିସ ଜବତ କରି ଘଟଣାର ତଦନ୍ତ ଚଳାଇଛି।
ଚିକିତ୍ସା ସାରି ସୁସ୍ଥ ହୋଇ ଘରକୁ ଫେରିବା ଆଶାରେ ବାହାରିଥିବା ଦୁଇ ମହିଳାଙ୍କ ଏଭଳି ଅକାଳ ମୃତ୍ୟୁ ଦୁଇ ପରିବାରରେ ଶୋକର ଛାୟା ଖେଳାଇ ଦେଇଛି। ଅନ୍ୟପଟେ ଦୁର୍ଘଟଣାରେ ଆହତ ତିନିଜଣ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି।






