AK ଭିଡିଓରେ ଦେଖିବାକୁ ମିଳୁଛି ଯେ ୨ଟି ବ୍ୟାଗରେ ୫୦୦ ଟଙ୍କିଆ ନୋଟ ଭର୍ତ୍ତି ହୋଇ ବିଲଡିଂ ଚଟଣାରେ ପଡ଼ିଛି। ସେହିପରି ଆଉ କିଛି ନୋଟ ବାହାରେ ଏଣେତେଣେ ପଡ଼ି ରହିଛି । ଦୁଇଟି ବ୍ୟାଗରୁ ମୋଟ ୨୫ ଲକ୍ଷ ଟଙ୍କା ମିଳିଛି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ର ରେଡ୍ ବେଳେ ହୋଇଛି ଟଙ୍କାର ବର୍ଷା। ଉପରକୁ ଖସିଛି ବିଡ଼ିବିଡ଼ା ୫୦୦ ଟଙ୍କିଆ ନୋଟ୍ । ଏହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । କିନ୍ତୁ ଆଜି ପଞ୍ଜାବର ଚଣ୍ଡିଗଡ଼ ଓ ମୋହାଲିରେ ଇଡି ପକ୍ଷରୁ ବିଭିନ୍ନ ବିଲଡର୍ସଙ୍କ ଠିକଣାରେ ରେଡ ଚାଲିଥିବା ବେଳେ ଟଙ୍କା ବର୍ଷାର ଚିତ୍ର ସାମ୍ନାକୁ ଆସିଛି ।

ରିପୋର୍ଟ ଅନୁସାରେ, ମୋହାଲିର ଗୋଟିଏ ବିରାଟକାୟ ବିଲଡିଂରେ ଇଡି ରେଡ୍ କରିବା ବେଳେ ଆସିଥିଲା ରୋଚକ ଦୃଶ୍ୟ। ରେଡ୍ ସମୟରେ ବିଲଡିଂର ୯ମ ମହଲାରେ ଥିବା ଫ୍ଲାଟରୁ ଏକାଧିକ ବ୍ୟାଗରେ ଭର୍ତ୍ତି ହୋଇ ରହିଥିବା ୫୦୦ ଟଙ୍କିଆ ନୋଟ ହଠାତ୍ ତଳକୁ ଫିଙ୍ଗା ଯାଇଥିଲା । ଫ୍ଲାଟରୁ ଟଙ୍କା ଭର୍ତ୍ତି ବ୍ୟାଗ ଫିଙ୍ଗା ଯାଉଥିବା ଦେଖି ପ୍ରତ୍ୟେକ୍ଷଦର୍ଶୀମାନେ ମଧ୍ୟ ଚକିତ ହୋଇଥିଲେ । ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ୨ଟି ବ୍ୟାଗରେ ୫୦୦ ଟଙ୍କିଆ ନୋଟ ଭର୍ତ୍ତି ହୋଇ ବିଲଡିଂ ଚଟଣାରେ ପଡ଼ିଛି । ସେହିପରି ଆଉ କିଛି ନୋଟ ବାହାରେ ଏଣେତେଣେ ପଡ଼ି ରହିଛି । ପ୍ରାଥମିକ ଆକଳନ ଅନୁସାରେ, ଦୁଇଟି ବ୍ୟାଗରୁ ମୋଟ ୨୫ ଲକ୍ଷ ଟଙ୍କା ମିଳିଛି । ଫ୍ଲାଟରୁ ଟଙ୍କା ଭର୍ତ୍ତି ବ୍ୟାଗ ଫିଙ୍ଗା ଯାଉଥିବା ଦେଖି ଇଡିର ଅଧିକାରୀମାନେ ତୁରନ୍ତ ଦୌଡ଼ାଦୌଡ଼ି ହୋଇ ଆସିଥିଲେ । ଉଡ଼ି ଯାଉଥିବା ନୋଟ ଓ ବ୍ୟାଗରେ ଥିବା ଟଙ୍କାକୁ ସେମାନେ ଜବତ କରିଛନ୍ତି । ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି । ସୂତ୍ର ଅନୁସାରେ, ଗ୍ରେଟର ମୋହାଲି ଏରିଆ ଡେଭଲପମେଣ୍ଟ ଅଥୋରୀଟି ଠାରୁ ଚେଞ୍ଜ ଅଫ ଲାଣ୍ଡ ୟୁଜ ଲାଇସେନ୍ସ ପାଇବାରେ ବ୍ୟାପକ ବେଆଇନ ଆର୍ଥିକ କାରବାର ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଠାରୁ ଶହଶହ କୋଟି ଟଙ୍କା ଠକେଇ କରାଯାଇଥିବା ଅଭିଯୋଗ ପରେ ଇଡି ପକ୍ଷରୁ ଏପରି ରେଡ ହୋଇଥିବା ଜଣାପଡ଼ିଛି । ରେଡ ବେଳେ ଇଡି ଅଧିକାରୀମାନେ ମାମଲା ସହ ଜଡ଼ିତ ଦସ୍ତାବିଜ, ଆର୍ଥିକ କାରବାରର ରେକର୍ଡ ଓ ସନ୍ଦିଗ୍ଧ ଟ୍ରାଞ୍ଜାକସନର ଖୋଳତାଡ଼ କରିଛନ୍ତି । ଏବେ ବି ରେଡ ଚାଲିଥିବାରୁ ଏ ସମ୍ପର୍କରେ କୌଣସି ପ୍ରକାରର ବିସ୍ତୃତ ତଥ୍ୟ ଆସିନାହିଁ ।






