AK ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଭିମୁଖ୍ୟ କେବଳ ନରମ ହୋଇନାହିଁ, ବରଂ ଆମେରିକା ଆତ୍ମସମର୍ପଣ ମୋଡରେ ଥିବା ପରି ମନେ ହେଉଛି । ଇରାନ ଅସ୍ତ୍ରବିରତି ଉଲ୍ଲଂଘନ କରିଚାଲିଥିବା ବେଳେ ଆମେରିକା ଏକ ଚୁକ୍ତି ପ୍ରସ୍ତାବ ସହିତ ଇରାନର ଦ୍ୱାର ଠକ୍ ଠକ୍ କରୁଛି। । ପ୍ରଶ୍ନ ହେଉଛି ଟ୍ରମ୍ପ ଇରାନର ଜିଦ୍ ଆଗରେ ଆତ୍ମସମର୍ପଣ କରିଛନ୍ତି କି ଏହା ଏକ ଷଡ଼ଯନ୍ତ୍ର। କାରଣ ଯଦି ପଛ ଦିନଗୁଡ଼ିକୁ ଦେଖାଯାଏ ତେବେ ଟ୍ରମ୍ପ ସର୍ବଦା ୟୁ-ଟର୍ଣ୍ଣର ହୋଇଆସିଥିବାର ବହୁ ନଜିର ରହିଛି ।

ମଧ୍ୟପ୍ରାଚ୍ୟରେ ୪୦ ଦିନର ଯୁଦ୍ଧ ପରେ ଆମେରିକା ଏବଂ ଇରାନ ମଧ୍ୟରେ ଅସ୍ତ୍ରବିରତି ଘୋଷଣା କରାଯାଇଛି, କିନ୍ତୁ ଏହି ଯୁଦ୍ଧ ଇରାନକୁ ଏକ ନୂତନ ଶକ୍ତି ଭାବରେ ଉଭା କରିଛି । ଆମେରିକା ଏକ ୧୪-ସୂତ୍ରୀ ଶାନ୍ତି ପ୍ରସ୍ତାବ ଉପରେ ବିଚାର କରୁଛି । ସୁପରପାୱାର ଆମେରିକାର ବିଶ୍ୱସନୀୟତା ଉପରେ ଇରାନ ଲଗାତାର ପ୍ରଶ୍ନ ଉଠାଉଛି। ଯଦିଓ ଆମେରିକା ଇରାନ ନେତୃତ୍ୱ ଉପରେ ଆକ୍ରମଣ କରିଛି,କିନ୍ତୁ କୌଣସି ଶାସନ ପରିବର୍ତ୍ତନ ହୋଇନାହିଁ, ପରମାଣୁ ମିଶନ ବନ୍ଦ ହୋଇନାହିଁ, କିମ୍ବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଅନ୍ତ ହୋଇନାହିଁ । ବରଂ, ଏହି ଯୁଦ୍ଧ ଇରାନକୁ ହର୍ମୁଜ୍ ପ୍ରଣାଳୀର ନିୟନ୍ତ୍ରଣ ହାସଲ କରିବାର ବଡ଼ ସୁଯୋଗ ଦେଇଛି । ଇରାନ ଅସ୍ତ୍ରବିରତି ଉଲ୍ଲଂଘନ କରି ହର୍ମୁଜ୍ ପ୍ରଣାଳୀ ଏବଂ ୟୁଏଇ ଉପରେ ବୋମା ମାଡ଼ କରିଛି । ଯେତେବେଳେ ବିଶ୍ୱ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ଅପେକ୍ଷା କରୁଥିଲା, ସେତେବେଳେ ‘ମିଷ୍ଟର ୟୁ-ଟର୍ଣ୍ଣ’ ଭାବରେ ଜଣାଶୁଣା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ତାଙ୍କର ନୀତି ପରିବର୍ତ୍ତନ କରିଥିଲେ । ଆମେରିକା ଘୋଷଣା କରିଥିଲା ଯେ, ‘ଅପରେସନ୍ ଏପିକ୍ ଫ୍ୟୁରି’ ସମାପ୍ତ ହୋଇଛି ଏବଂ ଯୁଦ୍ଧକୁ ଆହୁରି ବଢ଼ାଇବାକୁ ଆମେରିକା ଚାହୁଁନାହିଁ । ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଆମେରିକା ଏକ ଆପୋଷ ବୁଝାମଣା ଚାହୁଁଛି, ଶାନ୍ତିର ପଥ ଅନୁସରଣ କରିବାକୁ ପସନ୍ଦ କରୁଛି ଏବଂ ଜୀବନ ସ୍ୱାଭାବିକ ହେବା ପାଇଁ ହର୍ମୁଜ୍ ପ୍ରଣାଳୀ ଖୋଲିବା ବିଷୟରେ ଆଲୋଚନା କରିବାକୁ ଚାହୁଁଛି ।
ରୁବିଓଙ୍କ ବୟାନ ଦୁଇଟି ପ୍ରମୁଖ ପ୍ରଶ୍ନ ଉଠାଇଛି । ପ୍ରଥମ ପ୍ରଶ୍ନ ହେଉଛି, ଆମେରିକା କ’ଣ ଇରାନ ନିକଟରେ ଆତ୍ମସମର୍ପଣ କରିଛି କି? ଦ୍ବିତୀୟ ପ୍ରଶ୍ନ ହେଉଛି,ଇରାନର ଯୁଦ୍ଧ ରଣନୀତି ଟ୍ରମ୍ପଙ୍କୁ ପରାସ୍ତ କରିଛି କି? ଆମେରିକା ହର୍ମୁଜ୍ରେ ‘ପ୍ରୋଜେକ୍ଟ ଫ୍ରିଡମ୍’କୁ ବନ୍ଦ କରିଦେଇଛି । ଟ୍ରମ୍ପ ଦାବି କରିଛନ୍ତି, ଇରାନ ସହିତ ଏକ ଚୁକ୍ତି ପାଇଁ ଆଲୋଚନା ଭଲ ଭାବରେ ଆଗକୁ ବଢ଼ୁଛି, ଯଦିଓ ଅବରୋଧ ଜାରି ରହିବ। ଏହା ମାଧ୍ୟମରେ ଆମେରିକା ନିଜର ସାମରିକ ଶକ୍ତି ପ୍ରଦର୍ଶନ କରିବାକୁ ଚେଷ୍ଟା କରୁଥିଲା, କିନ୍ତୁ ଏହାକୁ ମାତ୍ର ୪୮ ଘଣ୍ଟା ମଧ୍ୟରେ ବନ୍ଦ କରିବାକୁ ପଡିଛି । ପ୍ରତିରକ୍ଷା ବିଶେଷଜ୍ଞମାନଙ୍କ ଅନୁସାରେ, ଇରାନ ଆମେରିକାର ଶାନ୍ତି ଦାବିକୁ ଏକ ବିଜୟ ଭାବରେ ଦେଖୁଛି । ଇରାନ ଆମେରିକାକୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିବା ପାଇଁ ନିଜର ଭୌଗୋଳିକ ସ୍ଥିତିକୁ ପରମାଣୁ ଅସ୍ତ୍ର ଭାବରେ ବ୍ୟବହାର କରୁଛି। ଆମେରିକାର ସାମରିକ ଶକ୍ତିର ବିଶ୍ୱବ୍ୟାପୀ ପର୍ଦ୍ଦାଫାସ୍ ପରେ, ଟ୍ରମ୍ପ ସ୍ଥିତି ସଜାଡ଼ିବାରେ ନିୟୋଜିତ ହୋଇଛନ୍ତି । ସେ ଦାବି କରିଛନ୍ତି ଯେ, ଆମେରିକା ନୁହେଁ, ଇରାନ ପ୍ରକୃତରେ ଏହି ଚୁକ୍ତିନାମା ନେଇ ଅସନ୍ତୁଷ୍ଟ। ଆମେରିକୀୟ ଗଣମାଧ୍ୟମ ଆକ୍ସିଓସର ଏକ ରିପୋର୍ଟ ଟ୍ରମ୍ପଙ୍କ ଦାବିକୁ ଖଣ୍ଡନ କରିଛି। ରିପୋର୍ଟ ଅନୁଯାୟୀ, ଆମେରିକା ଏବଂ ଇରାନ ମଧ୍ୟରେ ଏକ ପ୍ରସ୍ତାବ ଉପରେ ଆଲୋଚନା ଚାଲିଛି, ଏବଂ ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏକ ଚୁକ୍ତି ହୋଇପାରେ । ଉଭୟ ପକ୍ଷ ମଧ୍ୟରେ ଏକ ୧୪-ସୂତ୍ରୀ ଫର୍ମୁଲା ପ୍ରସ୍ତୁତ କରାଯାଇଛି, ଏବଂ ସହମତି ପ୍ରକାଶ ପାଇଛି । ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବାର ସମ୍ଭାବନା ମଧ୍ୟ ରହିଛି ।

ଆକ୍ସିଓସ୍ ରିପୋର୍ଟ ଅନୁଯାୟୀ, ଆମେରିକା ଦ୍ୱାରା ଇରାନକୁ ପଠାଯାଇଥିବା ଚୁକ୍ତି ପ୍ରସ୍ତାବରେ ଥିବା ପ୍ରମୁଖ ସର୍ତ୍ତଗୁଡ଼ିକ ହେଉଛି:
-ପ୍ରସ୍ତାବ ଉପରେ ଆଲୋଚନା ପାଇଁ ୩୦ ଦିନ ସମୟ
-ଇରାନକୁ ୧୨ ବର୍ଷ ପାଇଁ ୟୁରାନିୟମ ସମୃଦ୍ଧି ବନ୍ଦ କରିବାକୁ ପଡିବ
-ଇରାନର ଜବତ ପାଣ୍ଠି ମୁକ୍ତ କରାଯିବ
-ଆମେରିକା ଏବଂ ଇରାନ ଉଭୟ ମିଳିତ ଭାବରେ ହର୍ମୁଜ୍ରୁ ଅବରୋଧ ଉଠାଇବେ
-ଏହି ଆଲୋଚନା ଜେନେଭା ଏବଂ ଇସଲାମାବାଦରେ ହୋଇପାରେ
-ଉଭୟ ଦେଶ ସାମରିକ ପରିବହନ କଟକଣାକୁ ଉଠାଇ ଦେବେ
-ଇରାନ ଜାତିସଂଘର କଠୋର ଯାଞ୍ଚ୍କୁ ଗ୍ରହଣ କରିବ ଏବଂ ପରମାଣୁ ଅସ୍ତ୍ର ବିକଶିତ ନ କରିବାକୁ ପ୍ରତିଶ୍ରୁତି ଦେବ
ଏହାର ଅର୍ଥ ହେଉଛି ଏହି ଫର୍ମୁଲା ମାଧ୍ୟମରେ ଆମେରିକା ଏହି ଯୁଦ୍ଧରୁ ବାହାରିବାକୁ ଚାହୁଁଛି । ଇରାନ ଯୁଦ୍ଧ ସମୟରେ, ଟ୍ରମ୍ପ ସୋସିଆଲ ମିଡିଆରେ ବୟାନ ଦେବା ଏବଂ ପରେ ସେଗୁଡ଼ିକରୁ ଓହରି ଯିବା ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଟ୍ରମ୍ପ ହର୍ମୁଜ୍ରେ ‘ପ୍ରୋଜେକ୍ଟ ଫ୍ରିଡମ୍’ ଆରମ୍ଭ କରିଥିଲେ, କିନ୍ତୁ ଇରାନ ଆମେରିକୀୟ ଜାହାଜ ଉପରେ ଆକ୍ରମଣ କରିଥିଲା, ଯାହା ଫଳରେ ଆମେରିକା ପଛକୁ ହଟିବାକୁ ବାଧ୍ୟ ହୋଇଥିଲା । ଏହା ବ୍ୟତୀତ, ଟ୍ରମ୍ପଙ୍କ ୟୁ-ଟର୍ଣ୍ଣ ନୀତିର ସବୁଠାରୁ ଦୃଢ଼ ପ୍ରମାଣ ହେଉଛି ଫେବ୍ରୁଆରି ୨୬ ଏବଂ ୨୮ ତାରିଖରେ ଘଟଣାବଳୀ। ଫେବ୍ରୁଆରି ୨୬ ତାରିଖରେ ଆମେରିକା ଏବଂ ଇରାନ ସେମାନଙ୍କର ପରମାଣୁ କାର୍ଯ୍ୟକ୍ରମ ସମ୍ପର୍କରେ ଜେନେଭାରେ ଆଲୋଚନା କରୁଥିଲେ ଏବଂ ପରବର୍ତ୍ତୀ ସପ୍ତାହରେ ଭିଏନାରେ ଏକ ବୈଠକ ହେବାର ସ୍ଥିର ହୋଇଥିଲା। କିନ୍ତୁ ୪୮ ଘଣ୍ଟା ମଧ୍ୟରେ ଆମେରିକା ଇରାନ ଉପରେ ଆକ୍ରମଣ କରିଥିଲା । ଏହାର ଅର୍ଥ ହେଉଛି ଶାନ୍ତି ଆଲୋଚନାର ଆଳ ଦେଖାଇ ଆମେରିକା ଇରାନ ପ୍ରତି ବିଶ୍ୱାସଘାତକତା କରିଥିଲା। ଇରାନ ସହିତ ଟ୍ରମ୍ପ ପ୍ରତ୍ୟେକ ମୋର୍ଚ୍ଚାରେ ବିଫଳ ହୋଇଛନ୍ତି। ସେ ତାଙ୍କ କଥା କିମ୍ବା ନୀତି ପାଳନ କରିନାହାନ୍ତି । ଏହା ସୁପରପାୱାର ଆମେରିକାର ଭାବମୂର୍ତ୍ତିକୁ କ୍ଷୁର୍ଣ୍ଣ କରିଛି। ବର୍ତ୍ତମାନ, ଆମେରିକା ଇରାନ ସହିତ ଆଲୋଚନା କରିବାକୁ ବାଧ୍ୟ ହୋଇଛି। ଇରାନ ନିଜର ଜିଦ୍ ଏବଂ ରଣନୀତି ଉଭୟ ବଜାୟ ରଖିଛି । ଅପରପକ୍ଷରେ ଆମେରିକା ଧମକ ଦେବା ସହ ଆତ୍ମସମର୍ପଣ କରିବାକୁ ବାଧ୍ୟ ହେଉଛି। ତେହେରାନର ସର୍ତ୍ତରେ ଏବେ ଯୁଦ୍ଧରେ ବିରାମ ଲାଗିବାକୁ ଯାଉଛି ।






