AK କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅଧୀନ ଗରଜଙ୍ଗା କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେବୀପ୍ରସାଦ ଦାସ ଓରଫ ଲିଟୁ ନିଖୋଜ ପଛରେ ଗ୍ୟାଙ୍ଗ୍ ୱ।ର ବୋଲି ପରିବାର ଲୋକ ଅଭିଯୋଗ ଆଣିଛନ୍ତି । କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଦେବୀପ୍ରସାଦ ଦାସ ଓରଫ ଲିଟୁ ହଠାତ୍ ଡିସେମ୍ବର ୧୯ ତାରିଖରେ ନିଖୋଜ ହୋଇଯାଇଥିଲେ । ସେବଠାରୁ ଲିଟୁ କେଉଁଠି ତାଙ୍କର ପତ୍ତା ମିଳୁ ନାହିଁ । ଲିଟୁ ନିଖୋଜ ପଛରେ ଗ୍ୟାଙ୍ଗ୍ ୱ।ର ବୋଲି ତାଙ୍କ ମା’ ଅଭିଯୋଗ ଆଣିଛନ୍ତି । ଗ୍ୟାଙ୍ଗଷ୍ଟାର ଦେବୀପ୍ରସାଦ ଘରୁ ଯାଇ ଆଉ ଫେରି ନ ଥିଲେ । ପରିବାର ଲୋକ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ପରେ ଲିଟୁଙ୍କ ମା’ ବିଜୟଲଷ୍ମୀ ଦାସ ଡିସେମ୍ବର ୨୫ ତାରିଖରେ ମାର୍ଶାଘାଇ ଥାନାରେ ଏତଲା ଦେଇଥିଲେ। ହେଲେ ମାର୍ଶାଘାଇ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । କେବଳ ଏକ ମିସିଙ୍ଗ ରିପୋର୍ଟ କରି ଚୁପ୍ ବସିଯାଇଥିଲା ବୋଲି ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି ।

ତାଙ୍କ ମା’ ବିଜୟଲକ୍ଷ୍ମୀ ଦାସ ଆଜି ଗଣମାଧ୍ୟମ ଆଗରେ ଅଭିଯୋଗ ଆଣିଛନ୍ତି କି- ନିଖୋଜ ହେବା ଦିନ ପୁଅ ତାଙ୍କୁ କହିଥିଲା ଗଡ଼କୁ ବୁଲିବା ପାଇଁ ଯାଉଛି। ଫେରିଆସିବି। ହେଲେ ଫେରିନଥିଲା। ପରେ ସେ ଜାଣିବାକୁ ପାଇଥିଲେ ସେହିଦିନ ରାତିରେ ସ୍ଥାନୀୟ ଏକ ଢାବାରେ ଅନ୍ୟ ଏକ ଗ୍ୟାଙ୍ଗଷ୍ଟର ଓ ତାର ସହଯୋଗୀମାନଙ୍କ ସହ ପୂର୍ବବିବାଦ ଓ ଟଙ୍କା ଭାଗ ବଣ୍ଟାକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା। ତା’ ପରେ ଉକ୍ତ ଢାବା ୨ରୁ ୩ଦିନ ଧରି ଅଚାନକ ପାଇଁ ବନ୍ଦ ରହିଥିଲା। ବିଗତ ଦିନରେ ଉକ୍ତ ଗ୍ୟାଙ୍ଗଷ୍ଟାର ସଦସ୍ୟ ଲିଟୁ ସହ କାମ କରିଛନ୍ତି। ତେଣୁ ଲିଟୁ ନିଖୋଜ ହେବା ପଛରେ ତା ପୁରୁଣା ସହଯୋଗୀମାନଙ୍କ ହାତ ଥାଇପାରେ ବୋଲି ସେ ସନ୍ଦେହ କରୁଥିବା କହିଛନ୍ତି । ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଏସଡିପିଓ ଜ୍ୟୋତି ରଞ୍ଜନ ଗୌଡଙ୍କୁ ପଚାରିବାରୁ କହିଛନ୍ତି କି ଲିଟୁଙ୍କ ନିଖୋଜ ଅଭିଯୋଗ ସଂକ୍ରାନ୍ତରେ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ହୋଇଛି । ହେଲେ ଆମକୁ କୌଣସି ସୁରାକ ମିଳିନାହିଁ । ଯାହା ପାଖରେ ଏ ବାବଦରେ କୌଣସି ପ୍ରମାଣ ଥିଲେ ପୁଲିସକୁ ଦେବା ପାଇଁ ସେ ନିବେଦନ କରିଛନ୍ତି । ଲିଟୁ ନିଖୋଜ ହେବା ସମ୍ପର୍କରେ ଜାତୀୟ ମାନବାଧିକାର କମିଶନଙ୍କ ନିକଟରେ ଏକ ମାମଲା ମଧ୍ୟ ଦାଏର ହୋଇଛି । ନ୍ୟାୟ ପାଇଁ ଲଢେଇ ପରିବାର ସଂଗଠନ (ଓଡିଶା) ତରଫରୁ ସୁବ୍ରତ କୁମାର ଦାଶ ଏନଏଚଆରସି ମାମଲା ରୁଜୁ କରିଥିଲେ । ଲିଟୁ ନାଁରେ କେନ୍ଦ୍ରାପଡ଼ା, ଜଗତସିଂହପୁର ଓ କଟକ ଜିଲ୍ଲାରେ ୩୩ଟି ଅପରାଧିକ ମାମଲା ବିଚାରାଧୀନ ରହିଛି ।






