ଏ.କେ ବ୍ୟୁରୋ : ଏକାଧିକ ବିଭାଗର ଦାୟିତ୍ବ ନେଇ ବହୁ ମନ୍ତ୍ରୀ ଚାପରେ ଥିବାରୁ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ବଢ଼ିଛି। ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ଦେଖିବା ପରେ ଶାସନତନ୍ତ୍ରରେ ଦେଖିବାକୁ ମିଳିପାରେ ବଡ ହଲଚଲ। ଜୁନ୍ ୧୨, ସରକାରଙ୍କୁ ୨ ବର୍ଷ ପୂରିବ। ସମୟ ଯେତିକି ପାଖଉଛି, ମନ୍ତ୍ରୀଙ୍କ ମନରେ ଛନକା ସେତିକି ପଶୁଛି।
ଏକାଧିକ ବିଭାଗର ଦାୟିତ୍ବ ନେଇ ବହୁ ମନ୍ତ୍ରୀ ଚାପରେ ଥିବାରୁ ଆଗକୁ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ବଢ଼ିଛି। ମୁଖ୍ୟମନ୍ତ୍ରୀ ରିପୋର୍ଟ କାର୍ଡ ଦେଖିବା ପରେ ଶାସନତନ୍ତ୍ରରେ ଦେଖିବାକୁ ମିଳିପାରେ ବଡ ହଲଚଲ। ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଠାରୁ ଗ୍ରିନ୍ ସିଗନାଲ ପାଇବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ଅଙ୍କକଷା ଚାଲିଛି। ଯାହାକୁ ନେଇ ପାୱାର କରିଡରରେ ଆରମ୍ଭ ହୋଇଗଲାଣି ଲବି ପଲିଟିକ୍ସ । 
ପୃଥ୍ବୀରାଜ ହରିଚନ୍ଦନ : ଅବକାରୀ, ପୂର୍ତ୍ତ, ଆଇନ
ମୁକେଶ ମହାଲିଙ୍ଗ : ସ୍ବାସ୍ଥ୍ୟ, ସଂସଦୀୟ ବ୍ୟାପାର, ଆଇଟି
ରବି ନାଏକ : ପଞ୍ଚାୟତିରାଜ ଓ ପାନୀୟଜଳ, ଗ୍ରାମ୍ୟ ଉନ୍ନୟନ
ସୂର୍ଯ୍ୟବଂଶୀ ସୂରଜ: କ୍ରୀଡ଼ା ଓ ଯୁବବ୍ୟାପାର, ଉଚ୍ଚଶିକ୍ଷା, ଭାଷା, ସାହିତ୍ୟ ଓ ସଂସ୍କୃତି
ନିତ୍ୟାନନ୍ଦ ଗଣ୍ଡ : ସ୍କୁଲ ଓ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ
କେବଳ ଏମାନେ ନୁହନ୍ତି । ସୁରେଶ ପୂଜାରୀଙ୍କୁ ଛାଡିଦେଲେ ବିଜେପି ସରକାର ଏକାଧିକ ବିଭାଗ ଦାୟିତ୍ବରେ ରହିଛନ୍ତି ସବୁ ମନ୍ତ୍ରୀ। ଯାହାର ପ୍ରଭାବ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ବିଭାଗୀୟ କାର୍ଯ୍ୟରେ ପଡୁଛି। କାରଣ ଚାପରେ ରହୁଛନ୍ତି ମନ୍ତ୍ରୀ। ଏକକାଳୀନ ଏକାଧିକ ବିଭାଗ ଉପରେ ନଜର ରଖିବାକୁ ସମୟ ଅଣ୍ଟୁନି। ଭଲ ପ୍ରଦର୍ଶନ ପାଇଁ ସୁଯୋଗ ଥିଲେ ମଧ୍ୟ କାର୍ଯ୍ୟ ଚାପ ଏଥିରେ ବାଧକ ସାଜୁଛି। ଆସନ୍ତା ଜୁନ୍ ୧୨ରେ ସରକାରକୁ ୨ ବର୍ଷ ପୂରୁଛି। ରାଜ୍ୟବାସୀଙ୍କ ଆଗରେ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ସରକାରଙ୍କ ସଫଳତା ବଖାଣିବେ। ସେଥିପାଇଁ ଏବେଠୁ ଆରମ୍ଭ ହେଲାଣି କସରତ। ବର୍ଷକର ରିପୋର୍ଟ କାର୍ଡ ପ୍ରସ୍ତୁତ କରି ଲୋକଙ୍କ ସାମ୍ନାରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ପାୱାର କରିଡର ଓ ଦଳୀୟ ମହଲରେ ଚର୍ଚ୍ଚା ହେଉଛି, ୨ ବର୍ଷ ପୂର୍ତ୍ତି ପାଳନ ସମୟରେ ହୋଇପାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ। ରିପୋର୍ଟ କାର୍ଡ ସାଜିପାରେ ସବୁଠୁ ବଡ଼ ଆଧାର। ଏବେ ୬ଟି ମନ୍ତ୍ରୀ ପଦ ଫାଙ୍କା ରହିଛି। ତେଣୁ ଏହି ପଦବୀ ହାତେଇବାକୁ ଏକାଧିକ ବିଧାୟକ ଆଶାୟୀ। ଏଥିପାଇଁ ନିଜ ନିଜ ସ୍ତରରେ ମନ୍ତ୍ରୀପଦ ପାଇବାକୁ କସରତ ଆରମ୍ଭ କଲେଣି ବିଧାୟକ। ୩ ଦିନ ପୂର୍ବରୁ ଓଡ଼ିଶା ଆସିଥିବା ରାଷ୍ଟ୍ରୀୟ ବିଜେପି ସଭାପତି ଅଧୁରା ଥିବା କାମକୁ ସାରିବାକୁ ଗ୍ରିନ୍ ସିଗ୍ନାଲ ଦେଇଥିଲେ। କୋର କମିଟି ଓ ମନ୍ତ୍ରୀସ୍ତରୀୟ ବୈଠକରେ ଏ ବାବଦରେ ଚର୍ଚ୍ଚା ହୋଇଥିବା ନେଇ ସୂଚନା ରହିଛି।ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ବେଳେ ପ୍ରଦର୍ଶନ ଆଧାରରେ କିଛି ମନ୍ତ୍ରୀଙ୍କ ବିଭାଗ ଅଦଳବଦଳ କରିପାରନ୍ତି ମୁଖ୍ୟମନ୍ତ୍ରୀ।






