ଏ.କେ ବ୍ୟୁରୋ : ଦକ୍ଷିଣ ସିନେ ଜଗତର ସୁପରଷ୍ଟାର ବିଜୟ ଥାଲାପତି, ରାଜନୀତିରେ ଭୂକମ୍ପ ସୃଷ୍ଟି କରି ଏବେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ନିର୍ବାଚନ ଫଳାଫଳ ପ୍ରକାଶ ପରେ ଗତ ୬ ଦିନ ଧରି ଚାଲିଥିବା ଛକାପଞ୍ଝାର ଅନ୍ତ ହୋଇଛି । ଆଉ ତାମିଲନାଡ଼ୁର ପ୍ରଥମ ଅଣଦ୍ରାବିଡ଼ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ବିଜୟ । ଆଉ ଶପଥ ନେଉ ନେଉ ରାଜ୍ୟବାସୀଙ୍କୁ ପ୍ରଚାର ରାଲିରେ ଦେଇଥିବା ୩ଟି ବଡ଼ ପ୍ରତିଶ୍ରୁତି ପୂରଣ କରିଛନ୍ତି ।
ଚେନ୍ନାଇର ଜବାହାରଲାଲ ନେହରୁ ଷ୍ଟାଡିଅମରେ ଭବ୍ୟ ସମାରୋହ । ଉତ୍ସାହିତ ତାମିଲନାଡ଼ୁ ଜନତା, ହଜାର ହଜାର ସମର୍ଥକଙ୍କ କରତାଳିରେ ଫାଟି ପଡ଼ୁଥିଲା ପୂରା ପରିବେଶ । ତାରି ଭିତରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ସି.ଜୋସେଫ ବିଜୟ । ତାଙ୍କ ସହ ୯ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ କରାଇଛନ୍ତି ରାଜ୍ୟପାଳ । ଶପଥ ସମାରୋହରେ ନିମନ୍ତ୍ରିତ ଅତିଥିଙ୍ଗ ଗହଣରେ ବିଜୟଙ୍କ ପାଖରେ ରାହୁଲ ଗାନ୍ଧୀଙ୍କ ଉପସ୍ଥିତି ବଡ଼ ବାର୍ତ୍ତା ଦେଇଛି । ଶପଥ ସମାରୋହକୁ ସମ୍ୱୋଧିତ କରି ବିଜୟ କହିଛନ୍ତି, ଆଜିଠୁ ଧର୍ମ ନିରପେକ୍ଷ ଓ ସାମାଜିକ ନ୍ୟାୟର ଯୁଗ ଆରମ୍ଭ ହୋଇଛି । ଏଥିସହ ସେ ସ୍ପଷ୍ଟ କରିଛନ୍ତି ସରକାରରେ ଦ୍ୱିତୀୟ କ୍ଷମତା କେନ୍ଦ୍ର କେହି ହେବେ ନାହିଁ । ଅନ୍ୟପଟେ ରାହୁଲ ବିଜୟଙ୍କୁ ଶୁଭେଚ୍ଛା ଜଣାଇ କହିଛନ୍ତି ରାଜ୍ୟ ନୂଆ ପିଢ଼ି, ନୂଆ ସ୍ୱର ଓ ନୂଆ କଳ୍ପନାକୁ ବାଛିଛି । ଆଶା ବିଜୟ ରାଜ୍ୟବାସୀଙ୍କ ଆକାଂକ୍ଷା ପୂରଣ କରିବେ ।

ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଉ ନେଉ ତାମିଲନାଡ଼ୁବାସୀଙ୍କୁ ବିଜୟ ଭେଟି ଦେଇଛନ୍ତି ବଡ଼ ଉପହାର । ଶପଥ ସମାରୋହ ସ୍ଥଳରୁ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିବା ଆରମ୍ଭ କରିଛନ୍ତି ଥାଲାପତି । ଶପଥ ଗ୍ରହଣ ପରେ ୩ଟି ପ୍ରତିଶ୍ରୁତି ପୂରଣ କରିଛନ୍ତି । ଯେଉଁଥିରେ ଅଛି ପ୍ରତିମାସରେ ଉପଭୋକ୍ତାଙ୍କୁ ୨୦୦ ୟୁନିଟ୍ ବିଜୁଳି ମାଗଣା । ସବୁ ଜିଲ୍ଲାରେ ଆଣ୍ଟି ଡ୍ରଗ୍ସ ୟୁନିଟ୍ ଗଠନ । ମହିଳା ସୁରକ୍ଷାବଳ ଗଠନ ଆଦେଶରେ ଦସ୍ତଖତ କରିଛନ୍ତି ବିଜୟ । ଏଥିସହ ରାଜ୍ୟର ଆର୍ଥିତ ସ୍ଥିତି ସଂପର୍କରେ ସୂଚନା ଦେଇ କହିଛନ୍ତି, ଉତ୍ତରାଧିକାରୀ ସୂତ୍ରରେ ପୂର୍ବ ସରକାରଙ୍କ ଠାରୁ ଋଣ ବୋଝ ମିଳିଛି । ହେଲେ ତାଙ୍କ ସରକାର ଶିକ୍ଷା, ପାଣି ଭଳି ମୌଳିକ ସୁବିଧା ଯୋଗାଇବା ସହ ଜନତାଙ୍କ ସମସ୍ୟାକୁ ଦୂର କରିବାକୁ ପ୍ରାଥମିକତା ଦେବ ।
ଚଳିତ ବିଧାନସଭା ନିର୍ବାଚନରେ ବିଜୟ ଥାଲାପତିଙ୍କ ଟିଭିକେ ବଡ଼ ଦଳ ଭାବେ ଉଭା ହୋଇ କଂଗ୍ରେସ, ବାମ ଦଳ ଓ ଅନ୍ୟ ଦଳ ସହ ମେଣ୍ଟ କରି ସରକାର ଗଢ଼ିଛି । ନିର୍ବାଚନ ପ୍ରତିଶ୍ରୁତି ପୂରଣ କରି ବିଜୟ ମାଳ ମାଳ ମାଗଣା ଯୋଜନା କାର୍ଯ୍ୟକାରୀ କଲେ ଆଗକୁ ଏହାର ପ୍ରଭାବ ରାଜ୍ୟ ରାଜକୋଷ ଉପରେ ପଡ଼ିବ ବୋଲି ଅର୍ଥନୀତି ବିଶେଷଜ୍ଞ କହିଛନ୍ତି ।






