ଦୀର୍ଘ ୧୫ ବର୍ଷ କ୍ଷମତାରେ ରହିବା ପରେ ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତା ବାନାର୍ଜୀଙ୍କ ଟିଏମସିକୁ ବିଜେପି ଠାରୁ ହାରିବାକୁ ପଡ଼ିଛି। ଏହି ପରାଜୟକୁ ଏଯାଏ ଦିଦି ସହଜରେ ଗ୍ରହଣ କରି ପାରି ନାହାନ୍ତି। କିନ୍ତୁ ସେ ପରାଜୟ ପରେ ଦଳୀୟ ନେତା ଓ କର୍ମୀଙ୍କୁ ଚରମବାଣୀ ଶୁଣାଇଛନ୍ତି।
ଯେଉଁମାନେ ଦଳ ଛାଡ଼ିବାକୁ ଚାହୁଁଛନ୍ତି କିମ୍ବା ଅନ୍ୟତ୍ର ଯିବାକୁ ଚାହୁଁଛନ୍ତି, ସେମାନେ ବେଶ ମୁକ୍ତ ଭାବେ ଚାଲି ଯାଆନ୍ତୁ। ସେମାନଙ୍କୁ କେହି ବି ଅଟକାଇବେ ନାହିଁ। ସେହିପରି ନିକଟରେ ବିଧାନସଭା ନିର୍ବାଚନ ଲଢ଼ିଥିବା ନେତାମାନେ ପୁଣି ସଂଗଠନକୁ ତିଆରି କରନ୍ତୁ ବୋଲି ସେ କହିଛନ୍ତି।
ନିର୍ବାଚନ ଲଢ଼ିଥିବା ଟିଏମସି ନେତାଙ୍କ ସହ ମମତା ଶୁକ୍ରବାର କାଳୀଘାଟ ସ୍ଥିତ ବାସଭବନରେ ବୈଠକ କରିଥିଲେ। ଏହି ବୈଠକରେ ଦଳୀୟ ସାଂସଦ ଓ ଦଳର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। ବଡ଼ ପରାଜୟ ସତ୍ତ୍ୱେ ଦଳୀୟ ସଂଗଠନର ପୁଣି ଉତ୍ଥାନ ହେବ ବୋଲି ସେ ବୈଠକରେ ଦମ୍ଭୋକ୍ତି କରିଛନ୍ତି।
ସେ କହିଛନ୍ତି, “ଯେଉଁମାନେ ଅନ୍ୟ ଦଳକୁ ଯିବାକୁ ଚାହୁଁଛନ୍ତି, ସେମାନଙ୍କୁ ଯିବାକୁ ଦିଆଯାଉ। ମୁଁ ଦଳକୁ ପୁଣି ନୂଆ ଭାବେ ତିଆରି କରିବି। ଯେଉଁମାନେ ରହିବାକୁ ଚାହୁଁଛନ୍ତି, ସେମାନଙ୍କୁ ମୁଁ କହିବାକୁ ଚାହୁଁଛି ଯେ କ୍ଷତିଗ୍ରସ୍ତ ଦଳୀୟ ଅଫିସକୁ ମରାମତି କରନ୍ତୁ, ରଙ୍ଗ ଲଗାନ୍ତୁ ଓ ସେଗୁଡ଼ିକୁ ପୁଣି ଖୋଲନ୍ତୁ। ଯଦି ଆବଶ୍ୟକ ପଡ଼ିବ, ମୁଁ ନିଜେ ସେଗୁଡ଼ିକୁ ରଙ୍ଗ କରିବି। ତୃଣମୂଳ କଂଗ୍ରେସ କେବେ ହେଲେ ମୁଣ୍ଡ ନୁଆଁବ ନାହିଁ। ଲୋକଙ୍କ ଜନାଦେଶକୁ ଲୁଟ କରାଯାଇଛି।”
ନିକଟରେ ଶେଷ ହୋଇଥିବା ବେଙ୍ଗଲ ବିଧାନସଭା ନିର୍ବାଚନରେ ଟିଏମସିକୁ ବଡ଼ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ଦଳ ୨୯୪ଟି ଆସନରୁ କେବଳ ୮୦ଟିରେ ଜିତି ପାରିଛି। ମମତା ବାନାର୍ଜୀ ନିଜର ଗଡ଼ ଭବାନୀପୁରରେ ବି ପରାସ୍ତ ହୋଇଛନ୍ତି।
ଟିଏମସି ୨୯୧ଟି ଆସନରେ ପ୍ରାର୍ଥୀ ଦେଇଥିଲା ଓ ୩ଟି ଆସନ ଭାରତୀୟ ଗୋର୍ଖା ପ୍ରଜାତାନ୍ତ୍ରିକ ମୋର୍ଚ୍ଚ ପାଇଁ ଛାଡ଼ିଥିଲା। ୨୯୧ ପ୍ରାର୍ଥୀଙ୍କ ମଧ୍ୟରୁ ୮୦ ଜଣ ଜିତିଥିବା ବେଳେ ୨୧୧ ଜଣଙ୍କୁ ହାରିବାକୁ ପଡ଼ିଛି।

ପରାଜୟ ପରେ ଅଧିକାଂଶ ପ୍ରାର୍ଥୀ ଆଭ୍ୟନ୍ତରୀଣ କନ୍ଦଳର ସାମ୍ନା କରିଛନ୍ତି ଓ ଦଳ ଛାଡ଼ିବାକୁ ଚିନ୍ତା କରୁଥିବା ରିପୋର୍ଟ ମଧ୍ୟରେ ମମତା କାଳୀଘାଟ ବାସଭବନରେ ଶୁକ୍ରବାର ବୈଠକ କରିଥିଲେ। ଏହି ସମୟରେ ସେ ଦଳ ଛାଡ଼ିବାକୁ ଚାହୁଁଥିବା ନେତାଙ୍କୁ ତୁରନ୍ତ ଚାଲି ଯିବାକୁ କହିଛନ୍ତି।
ଏହାପୂର୍ବରୁ ରେଜଲ୍ଟ ଆସିବାର ଦିନକ ପରେ ଅର୍ଥାତ ମେ’ ୫ରେ ମଧ୍ୟ ମମତା ସମାନ କଥା କହିଥିଲେ। ସେ କହିଥିଲେ, “ମୁଁ ଜାଣିଛି ଅନେକ ନେତା ଅଲଗା ଦଳକୁ ଚାଲିଯିବେ। ସେମାନଙ୍କର ନିଜସ୍ୱ ବାଧ୍ୟବାଧକତା ରହିଥାଇ ପାରେ। ସେଥିରେ ମୁଁ କିଛି ବି କହିବି ନାହିଁ। ଯେଉଁମାନେ ଯିବାକୁ ଚାହୁଁଛନ୍ତି, ସେମାନେ ଯାଇ ପାରିବେ। ମୁଁ କାହାକୁ ବଳପୂର୍ବକ ଅଟକାଇବାରେ ବିଶ୍ୱାସ କରେ ନାହିଁ।”
ବ୍ୟୁରୋ ରିପୋର୍ଟ ଆପଣଙ୍କ ଖବର






