AK ବୁଧବାର ବିଳମ୍ବିତ ରାତିରେ ପଶ୍ଚିମବଙ୍ଗର ଉତ୍ତର ୨୪ ପ୍ରଗଣା ଜିଲ୍ଲା ଅନ୍ତର୍ଗତ ପାଣିହାଟି ଅଞ୍ଚଳ ତଥା ନବନିର୍ବାଚିତ ବିଜେପି ବିଧାୟିକା ରତ୍ନା ଦେବନାଥଙ୍କ ବାସଭବନ ନିକଟରେ ଏକ ବୋମା ବିସ୍ଫୋରଣ ଘଟି ୫ ଜଣ ବିଜେପି କର୍ମୀ ଗୁରୁତର ଭାବେ ଆହତ ହୋଇଛନ୍ତି । ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ନିକଟତମ ସହଯୋଗୀ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ହତ୍ୟା କରାଯିବାର ମାତ୍ର କିଛି ଘଣ୍ଟା ପରେ ଏହି ବୋମାମାଡ଼ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବିଜେପି କର୍ମୀମାନେ ଦତ୍ତ ରୋଡ୍ ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରୁଥିବା ସମୟରେ ମୋଟରସାଇକେଲରେ ଆସିଥିବା କିଛି ଦୁର୍ବୃତ୍ତ ସେମାନଙ୍କୁ ଲକ୍ଷ୍ୟ କରି ବୋମା ନିକ୍ଷେପ କରି ଫେରାର ହୋଇଯାଇଥିଲେ। ଆହତମାନଙ୍କୁ ତୁରନ୍ତ କୋଲକାତାର ଆର.ଜି. କର ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିଜେପି ଏହି ଆକ୍ରମଣ ପାଇଁ ଶାସକ ତୃଣମୂଳ କଂଗ୍ରେସ (ଟିଏମସି) କୁ ଦାୟୀ କରିଥିବା ବେଳେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଦଳ ଏହି ଅଭିଯୋଗକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛି। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଅଞ୍ଚଳରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପୋଲିସ ଏହି ମାମଲାରେ ଏକ ଅଭିଯୋଗ ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତମାନଙ୍କୁ ଚିହ୍ନଟ କରିବା ପାଇଁ ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଶାନ୍ତି ବଜାୟ ରଖିବା ସହ କୌଣସି ପ୍ରକାର ଗୁଜବ ସୃଷ୍ଟି ନକରିବାକୁ ପୋଲିସ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି। ବର୍ତ୍ତମାନ ପରିସ୍ଥିତି ଉପରେ ପୋଲିସ କଡ଼ା ନଜର ରଖିଛି।






