ଏ.କେ ବ୍ୟୁରୋ : ମଙ୍ଗଳବାର ଦିନ ଉତ୍ତର-ପଶ୍ଚିମ ପାକିସ୍ତାନର ଏକ ବଜାରରେ ରିକ୍ସାରେ ଖଞ୍ଜାଯାଇଥିବା ବୋମା ବିସ୍ଫୋରଣ ଘଟି ନଅ ଜଣଙ୍କର ମୃତ୍ୟୁ ହେବା ସହିତ ୨୪ରୁ ଅଧିକ ଆହତ ହୋଇଥିବା ପୁଲିସ କହିଛି । ସ୍ଥାନୀୟ ପୁଲିସ ମୁଖ୍ୟ ଆଜମତ ଉଲ୍ଲା କହିଛନ୍ତି , ଖାଇବର ପଖତୁନଖ୍ୱା ପ୍ରଦେଶର ଲକ୍କି ମାରୱାଟ ଜିଲ୍ଲାରେ ଏହି ଆକ୍ରମଣ ଘଟିଛି ।

ସେ କହିଛନ୍ତି ଯେ, ମୃତକଙ୍କ ମଧ୍ୟରେ ଦୁଇଜଣ ଟ୍ରାଫିକ ପୁଲିସ ଅଧିକାରୀ ଏବଂ ଜଣେ ମହିଳା ଅଛନ୍ତି । ଏହି ବିସ୍ଫୋରଣ ପାଇଁ କୌଣସି ଗୋଷ୍ଠୀ ନିଜକୁ ଦାୟୀ ହୋଇନାହାନ୍ତି, କିନ୍ତୁ ସନ୍ଦେହ ହେଉଛି ଯେ, ତେହରିକ-ଏ-ତାଲିବାନ ପାକିସ୍ତାନ (ଟିଟିପି)ର ହାତ ଏହା ପଛରେ ରହିଛି । ଏହି ଗୋଷ୍ଠୀ ଆଫଗାନିସ୍ତାନର ତାଲିବାନ ସରକାରଙ୍କଠାରୁ ଅଲଗା କିନ୍ତୁ ତାଙ୍କ ସହଯୋଗୀ । ପାକିସ୍ତାନୀ ସୁରକ୍ଷା ବାହିନୀ ବିରୋଧରେ ଟିଟିପି ନିଜର ଏହାର ଅଭିଯାନକୁ ଜୋରଦାର୍ କରିଛି । ନିକଟବର୍ତ୍ତୀ ବାନ୍ନୁ ଜିଲ୍ଲାରେ ଏକ ସୁରକ୍ଷା ପୋଷ୍ଟ ଉପରେ ଆତ୍ମଘାତୀ ବିସ୍ଫୋରଣ ଏବଂ ବନ୍ଧୁକ ଆକ୍ରମଣରେ ୧୫ ଜଣ ପୁଲିସ ଅଧିକାରୀ ପ୍ରାଣ ହରାଇବାର କିଛି ଦିନ ପରେ ଏହି ସଦ୍ୟତମ ଆକ୍ରମଣ ଘଟିଛି । ପାକିସ୍ତାନୀ କର୍ତ୍ତୃପକ୍ଷ ଦୀର୍ଘ ଦିନ ଧରି ଆଫଗାନିସ୍ତାନର ତାଲିବାନ ସରକାର ଉପରେ ଟିଟିପି ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ କରିଆସୁଛନ୍ତି । କାବୁଲ ଏହି ଅଭିଯୋଗକୁ ଖଣ୍ଡନ କରି କହିଛି ଯେ, ଆତଙ୍କବାଦୀମାନଙ୍କୁ ଅନ୍ୟ ଦେଶ ବିରୋଧରେ ଆକ୍ରମଣ କରିବା ପାଇଁ ଆଫଗାନିସ୍ତାନ ନିଜ ମାଟି ବ୍ୟବହାର କରିବାକୁ ଅନୁମତି ଦିଏ ନାହିଁ ।






