AK ପୁରୀ ଚନ୍ଦନ ଯାତ୍ରାରେ ନରେନ୍ଦ୍ର ପୁଷ୍କରିଣୀରେ ଫୁଟିବନି ବାଣ। ୨୧ ଦିନ ବ୍ୟାପୀ ବାହାର ଚନ୍ଦନଯାତ୍ରା ବେଳେ ବାଣ ଫୁଟାଯିବନି । ବାଣ ଫୁଟାଇଲେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ। ସୁରକ୍ଷା ଦୃଷ୍ଟିରୁ ୫ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ । ସିସିଟିଭି ନଜରରେ ସମଗ୍ର ଅଞ୍ଚଳ ରହିବ । ଏନେଇ ପୁରୀ ଏସପି ପ୍ରତୀକ ସିଂ ସୂଚନା ଦେଇଛନ୍ତି ।

ଆଉ ଦିନକ ପରେ ପବିତ୍ର ଚନ୍ଦନ ଯାତ୍ରା। ଆସନ୍ତା ୨୦ ତାରିଖରେ ଚନ୍ଦନଯାତ୍ରା ଥିବାରୁ ଏହାକୁ ନେଇ ପୁରୀ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ଏସପି ପ୍ରତୀକ ସିଂଙ୍କ ସୂଚନା ଅନୁଯାୟୀ, ନରେନ୍ଦ୍ର ପୁଷ୍କରିଣୀରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସମ୍ପୂର୍ଣ୍ଣ ଅଞ୍ଚଳ ସିସିଟିଭି ବଳୟ ମଧ୍ୟରେ ରହିବ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ବିମାନ ବାହାରି ନରେନ୍ଦ୍ର ପୁଷ୍କରିଣୀ ଆସିବା ସମୟରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ସୁରକ୍ଷା ଦାୟିତ୍ବରେ ଜଣେ ଅତିରିକ୍ତ ଏସପିଙ୍କ ସହ ୫ ଡିଏସପି, ୮ ଇନ୍ସପେକ୍ଟର, ୨୦ ଏଏସଆଇ ଏବଂ ଏସଆଇ, ପାଞ୍ଚ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ। ଆଣ୍ଟି ସବୋଟାଜ୍ ଚେକିଂ ବ୍ୟବସ୍ଥାକୁ ମଧ୍ୟ ଜୋରଦାର କରାଯିବ । ଗତ ୨୦୨୪ ମସିହାରେ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରୀକ୍ଷେତ୍ର ଭଉଁରୀ ଦିନ ବାଣ ବିସ୍ଫୋରଣ ଘଟି ୧୭ ଜଣଙ୍କ ଜୀବନ ଚାଲି ଯାଇଥିଲା। ତେଣୁ ଚଳିତ ବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣଫୁଟା ଉପରେ ସମ୍ପୂର୍ଣ୍ଣ କଟକଣା ଲାଗିଛି। ଯଦି କୌଣସି ଅମାନିଆ ବ୍ୟକ୍ତି ନିୟମ ଉଲଘଂନ କରି ନରେନ୍ଦ୍ର ପୁଷ୍କରିଣୀରେ ବାଣ ଫୁଟାନ୍ତି ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପରମ୍ପରା ମୁତାବକ ଯାହାକିଛି କାର୍ଯ୍ୟ ରହିଛି ତାହା କରାଯିବ ବୋଲି ପୁରୀ ଏସପି କହିଛନ୍ତି । ସେହିପରି ଭିଡ଼ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷାକୁ ପଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି ।






