AK ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକର ଖରିଡା ଗାଁ ର ଘଟଣା। Instagram ରୁ ପୂଜା ଓ ଚିଣ୍ଟୁ ଭିତରେ ଗଢ଼ିଉଠେ ପ୍ରେମ। ତାପରେ ଘରୁ ଫେରାର ହୋଇ ଉଭୟ ବିବାହ କରନ୍ତି। ହସଖୁସିରେ ସଂସାର ଚାଲେ। ଏହାପରେ ସେମାନଙ୍କ କୋଳକୁ ଆସେ ଝିଅଟିଏ। ବିବାହ ପରେ ଚିଣ୍ଟୁ ବଦଳି ଯାଏ। ଭଲ ପାଉଥିବା ଲୋକଟା ଅଚାନକ ବେଳେବେଳେ ଭାରି ନୃଶଂସ ହୋଇଯାଏ। ମଦ ପିଇ ପୂଜାକୁ ବାଡାଏ। ହେଲେ ପୂଜା ସହିଯାଏ, ଭାବେ ପୁଣି କାଳେ ବଦଳି ଯିବ…

ଏ ଭିତରେ ପୂଜା ପୁଣି ୪ ମାସର ଗର୍ଭବତୀ ହୁଏ। ଆଉ ଅଚାନକ ଗର୍ଭବତୀ ସ୍ତ୍ରୀ, କୁନି ଝିଅକୁ ଛାଡ଼ି କୁଆଡେ ଚାଲିଯାଏ ଚିଣ୍ଟୁ। ଅନେକ ଦିନ ଅପେକ୍ଷା ପରେ ବି ସେ ଆଉ ଫେରେନି କି ଯୋଗାଯୋଗ ବି ରଖିଲାନି । ଶେଷରେ ଆଜି ୩ ବର୍ଷର ଝିଅଟିକୁ ଧରି ଶଶୁର ଘର ସାମ୍ନାରେ ଯାଇ ବସିଥିଲା ପୂଜା। ଭାବିଥିଲା, ସ୍ବାମୀ ଫେରିବ । ପଚାରି ବୁଝିବ କାହିଁକି ଛାଡ଼ି ଗଲା! ରାଗିଥିଲେ ମନେଇ ନେବ । ମିଡିଆ, ପୋଲିସ ସମସ୍ତେ କଥା ହୋଇ ଚାଲିଯିବା ପରେ ଅପରାହ୍ନରେ ଚିଣ୍ଟୁର ସାନ ଭାଇ ଆସି ଏକ କାତି ସାହାଯ୍ୟରେ ପୂଜାକୁ ହାଣି ଦେଇଥିଲା। ଆଉ ଛଟପଟ ହୋଇ ସେଇଠି ହିଁ ୪ ମାସର ଗର୍ଭବତୀ ଥିବା ପୂଜାର #ପ୍ରାଣବାୟୁ ଉଡି ଯାଇଥିଲା । ଏବେ ମାଆର ଶବ ପାଖରେ ରଡ଼ି ଛାଡ଼ି କାନ୍ଦୁଛି ଅବୋଧ କୁନି ଝିଅ। ଜାଣିବି ପାରୁନି ତା ମାର କଣ ହେଲା… ଏଇ ଟିକେ ପୁର୍ବରୁ ତାକୁ କୋଳରେ ଧରିଥିଲା ହେଲେ ଏବେ କାହିଁକି ଡାକିଲେ ଶୁଣୁନି, ଯେତେ କହିଲେ ବି ଉଠୁନି । ପୋଲିସ ମାମଲା ରୁଜୁ କରିବ, ଅଭିଯୁକ୍ତ ଦାଦା ଦଣ୍ଡ ପାଇବ। ହେଲେ ଗୋଟେ ଛୁଆ ଦୁନିଆ ଦେଖିବା ଆଗରୁ ମରିଗଲା ତ ଆଉ ଗୋଟେ ଛୁଆ ସାରା ଜୀବନ ମରି ମରି ବଞ୍ଚିବ…






