AK ବିଜେପି ମହିଳା ସଂରକ୍ଷଣ ବାହାନାରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ, ମମତା ବାନାର୍ଜୀ ନିଜର ‘ମହିଳା ବ୍ରିଗେଡ୍’କୁ ମଇଦାନକୁ ଓହ୍ଲାଇ ରାଜନୈତିକ ପାରଦକୁ ଆକାଶଛୁଆଁ କରିଦେଇଛନ୍ତି ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ ପହଞ୍ଚିଛି, ଯେଉଁଠାରେ ତୃଣମୂଳ କଂଗ୍ରେସ ଏବଂ ଭାରତୀୟ ଜନତା ପାର୍ଟି ମଧ୍ୟରେ କଡ଼ା ମୁକାବିଲା ଦେଖିବାକୁ ମିଳୁଥିଲା । ବିଜେପି ମହିଳା ସଂରକ୍ଷଣ ବାହାନାରେ ମହିଳା ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରୁଥିବାବେଳେ, ମମତା ବାନାର୍ଜୀ ନିଜର ‘ମହିଳା ବ୍ରିଗେଡ୍’କୁ ମଇଦାନକୁ ଓହ୍ଲାଇ ରାଜନୈତିକ ପାରଦକୁ ଆକାଶଛୁଆଁ କରିଦେଇଛନ୍ତି ।ପଶ୍ଚିମବଙ୍ଗ ଦେଶର ସେହି ଅଳ୍ପ କେତୋଟି ରାଜ୍ୟ ମଧ୍ୟରୁ ଅନ୍ୟତମ, ଯେଉଁଠାରେ ମହିଳା ଭୋଟରମାନେ କେବଳ ପୁରୁଷଙ୍କ ସହ କାନ୍ଧକୁ କାନ୍ଧ ମିଶାଇ ଚାଲୁନାହାନ୍ତି, ବରଂ ରାଜ୍ୟର ସିୟାସୀ ଭାଗ୍ୟ ମଧ୍ୟ ନିର୍ଦ୍ଧାରଣ କରୁଛନ୍ତି । ୨୦୨୧ ନିର୍ବାଚନରେ ମହିଳାଙ୍କ ମତଦାନ ହାର ପ୍ରାୟ ୮୨.୩୫% ଥିଲା। ରାଜ୍ୟରେ ୩ କୋଟିରୁ ଅଧିକ ମହିଳା ଭୋଟର ଅଛନ୍ତି । ୨୦୨୪ ଲୋକସଭା ନିର୍ବାଚନରେ ବଙ୍ଗଳା ଦେଶକୁ ସର୍ବାଧିକ ୧୧ ଜଣ ମହିଳା ସାଂସଦ ପଠାଇଛି, ଯାହା ପ୍ରମାଣିତ କରେ ଯେ ଏଠାକାର ମହିଳାମାନେ ରାଜନୈତିକ ଭାବେ ବେଶ୍ ସଚେତନ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ସୁରକ୍ଷା ଏବଂ ସଶକ୍ତିକରଣକୁ ନିଜର ମୁଖ୍ୟ ନିର୍ବାଚନୀ ଅସ୍ତ୍ର କରିଛନ୍ତି । ରାଲି କରି ମୋଦୀ’ସନ୍ଦେଶଖାଲି’ ଘଟଣାଠାରୁ ଆରମ୍ଭ କରି ‘ମହିଳା ସଂରକ୍ଷଣ’ ପର୍ଯ୍ୟନ୍ତ ପ୍ରସଙ୍ଗରେ ମମତା ସରକାରଙ୍କୁ ଘେରିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ଟିଏମସି ଚାହୁଁନାହିଁ ବଙ୍ଗଳାର ଝିଅମାନେ ସାଂସଦ ବା ବିଧାୟକ ହୁଅନ୍ତୁ । ବିଜେପି ‘ଡବଲ୍ ଇଞ୍ଜିନ’ ସରକାର ଜରିଆରେ ମହିଳାଙ୍କୁ ସୁରକ୍ଷା ଓ ସମୃଦ୍ଧିର ଗ୍ୟାରେଣ୍ଟି ଦେଉଛି।ମମତା ବାନାର୍ଜୀ ମଧ୍ୟ ବିଜେପିକୁ କାଉଣ୍ଟର କରିବା ପାଇଁ ଏକ ଶକ୍ତିଶାଳୀ ରଣନୀତି ପ୍ରସ୍ତୁତ କରିଛନ୍ତି । ସେ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ , ଶତାବ୍ଦୀ ରୟ, ସାୟୋନୀ ଘୋଷ, ଜୁନ୍ ମାଲିଆ ଏବଂ ରଚନା ବାନାର୍ଜୀଙ୍କ ଭଳି ଲୋକପ୍ରିୟ ଚେହେରାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । କେବଳ ରାଜନେତା ନୁହଁନ୍ତି, ଗ୍ଲାମର ଜଗତର ନାୟିକାମାନେ ଗାଁ ଗାଁ ବୁଲି ମହିଳାଙ୍କ ସହ ସିଧାସଳଖ ଯୋଡ଼ି ହେଉଛନ୍ତି । ସାୟୋନୀ ଘୋଷଙ୍କ ତୀକ୍ଷ୍ଣ ଭାଷଣ ଏବଂ ‘ମା, ମାଟି, ମାନୁଷ’ର ନାରା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ଟିଏମସି ପାଇଁ ‘ଲକ୍ଷ୍ମୀର ଭଣ୍ଡାର’ ଯୋଜନା ସବୁଠାରୁ ବଡ଼ ଟର୍ଣ୍ଣିଂ ପଏଣ୍ଟ ସାଜିଛି। ଏହି ଯୋଜନା ମାଧ୍ୟମରେ ମହିଳାମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ସେମାନଙ୍କୁ ମମତାଙ୍କର ଏକ ମଜବୁତ ଭୋଟ୍ ବ୍ୟାଙ୍କରେ ପରିଣତ କରିଛି । ଟିଏମସି ନେତ୍ରୀମାନେ ଅଭିଯୋଗ କରୁଛନ୍ତି ଯେ କେନ୍ଦ୍ର ସରକାର ଅର୍ଥ ରୋକିଥିଲେ ମଧ୍ୟ ‘ଦିଦି’ ବଙ୍ଗଳାର ମା’ ଭଉଣୀଙ୍କ ପକେଟ୍ ଖାଲି ହେବାକୁ ଦେଇନାହାନ୍ତି।ଏହି ନିର୍ବାଚନରେ ଟିଏମସି ସର୍ବାଧିକ ୫୨ ଜଣ ମହିଳା ପ୍ରାର୍ଥୀଙ୍କୁ ଟିକେଟ୍ ଦେଇଥିବା ବେଳେ ବିଜେପି ମାତ୍ର ୩୩ ଜଣଙ୍କୁ ଓହ୍ଲାଇଛି । ରାଜନୈତିକ ବିଶେଷଜ୍ଞଙ୍କ ମତରେ, ବିଜେପି ଦିଲ୍ଲୀରୁ ଯେତେ ଶକ୍ତି ପ୍ରୟୋଗ କଲେ ମଧ୍ୟ, ଟିଏମସିର ମହିଳା ବ୍ରିଗେଡ୍ ଯେଉଁ ‘ଘର-ଘର ସମ୍ପର୍କ’ ସ୍ଥାପନ କରିଛି, ତାହାକୁ ଭାଙ୍ଗିବା କଷ୍ଟକ ର। ଏବେ ଦେଖିବାକୁ ବାକି ରହିଲା, ବଙ୍ଗଳାର ମହିଳା ଭୋଟର ବିଜେପିର ‘ଡବଲ୍ ଇଞ୍ଜିନ’କୁ ବାଛୁଛନ୍ତି ନା ନିଜ ‘ଦିଦି’ଙ୍କ ଉପରେ ପୁଣିଥରେ ଭରସା କରୁଛନ୍ତି ।






