ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ମହଦା ଗ୍ରାମ ପଞ୍ଚାୟତରେ ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଓ ଉପଶମ ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ଓ ଅଭିଯୋଗ ଶୁଣାଯାଇଥିଲା ।

ଶିବିରରେ ମୋଟ ୧୦୫ଟି ଅଭିଯୋଗ ଗ୍ରହଣ କରାଯାଇଥିବାବେଳେ ସେଥିରୁ ୨୫ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗଗୁଡ଼ିକୁ ସମ୍ପୃକ୍ତ ବିଭାଗକୁ ପ୍ରେରଣ କରାଯାଇ ଶୀଘ୍ର ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଜନସାଧାରଣ ମୁଖ୍ୟତଃ ରାସ୍ତାଘାଟ, ପାଣିଯୋଗାଣ, ଭତ୍ତା, ଆବାସ ଯୋଜନା ଓ ଜମି ସମସ୍ୟା ସମ୍ବନ୍ଧୀୟ ଅଭିଯୋଗ ଉପସ୍ଥାପନ କରିଥିଲେ । ପ୍ରଶାସନ ପକ୍ଷରୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ସଚେତନ ଭାବରେ ପଦକ୍ଷେପ ନିଆଯାଉଥିବା କୁହାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ବିଭିନ୍ନ ବିଭାଗର ଅଧିକାରୀ, ସ୍ଥାନୀୟ ପ୍ରତିନିଧି ଓ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।






