AK ରାଜ୍ୟରେ କମୁଛନ୍ତି ତରୁଣ, ବଢୁଛନ୍ତି ବୟସ୍କ । ଦ୍ରୁତ ଗତିରେ ବୁଢା ହେଉଛି ଓଡ଼ିଶା । ଆଉ ମାତ୍ର ୫ ବର୍ଷର ଅପେକ୍ଷା। ୨୦୩୧ ବେଳକୁ ସମ୍ପୂର୍ଣ୍ଣ ବୁଢା ହୋଇଯିବ ଓଡ଼ିଶା । ହରାଇବ ତରୁଣ ରାଜ୍ୟ ମାନ୍ୟତା। ଜନସଂଖ୍ୟାରେ ହେଉଛି ନିରବ ପରିବର୍ତ୍ତନ । ବାହାରକୁ ଜଣା ପଡୁନଥିଲେ ବି ରାଜ୍ୟ ପାଇଁ ଖୁବ୍ ସାଙ୍ଘାତିକ୍। ଜାତୀୟ ହାରଠୁ ଅଧିକ ବେଗରେ ବୁଢା ହେଉଛି ଓଡ଼ିଶା । ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଗବେଷଣା ଶାଖା ପକ୍ଷରୁ ଜାରି ହୋଇଥିବା ରିପୋର୍ଟରେ ଆକଳନ ।

୨୦୧୧ରେ ଓଡ଼ିଶାର ମୋଟ ଜନସଂଖ୍ୟାରେ ୬୦ ବର୍ଷରୁ ଅଧିକ ବୟସର ଲୋକଙ୍କ ଭାଗ ଥିଲା ୯.୩ ପ୍ରତିଶତ। ୨୦୧୬ ସୁଦ୍ଧା ତାହା ୧୦.୩ ପ୍ରତିଶତ ଏବଂ ୨୦୨୧ରେ ୧୧.୫ ପ୍ରତିଶତକୁ ବୃଦ୍ଧି ପାଇଛି। ଚଳିତ ବର୍ଷ ଏହି ହାର ୧୩ ପ୍ରତିଶତ ହୋଇଯିବ। ୨୦୩୬ ବେଳକୁ ବୟସ୍କଙ୍କ ସଂଖ୍ୟା ୧୭ ପ୍ରତିଶତକୁ ବୃଦ୍ଧି ପାଇବ। ଅନ୍ତର୍ଜାତୀୟ ଶ୍ରମ ସଙ୍ଗଠନ ସଜ୍ଞା ଅନୁସାରେ ରାଜ୍ୟର ମୋଟ ଜନସଂଖ୍ୟାର ବରିଷ୍ଠ ନାଗରିକଙ୍କ ଭାଗ ୧୪ ପ୍ରତିଶତରେ ପହଞ୍ଚିଲେ ବୟସ୍କ ବିଚାର କରାଯିବ । ସେହି ଅନୁଯାୟୀ ୨୦୩୧ ବେଳକୁ କେରଳ, ତାମିଲନାଡୁ, ହିମାଚଳପ୍ରଦେଶ, ପଞ୍ଜାବ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ଓଡ଼ିଶା ଓ କର୍ଣ୍ଣାଟକ ବୁଢା ହୋଇଯିବେ । ୨୦୩୬ ବେଳକୁ ଗୁଜରାଟ ଏବଂ ଜାମ୍ମୁ କାଶ୍ମୀର ଏହି ବର୍ଗରେ ଯୋଡ଼ି ହେବେ । ରିପୋର୍ଟ କହୁଛି, ୨୦୧୧ ପରଠୁ ରାଜ୍ୟରେ ପ୍ରଜନନ ହାର କମିଛି। ଜନଗଣନା ହୋଇନଥିବାରୁ ଏହା ଜଣାପଡ଼ୁନାହିଁ । ୨୦୩୧ ବେଳକୁ ବୟସ୍କ ରାଜ୍ୟବର୍ଗରେ ସାମିଲ ହେବ ଓଡ଼ିଶା । ମୋଟ ଜନସଂଖ୍ୟାର ବରିଷ୍ଠ ନାଗରିକଙ୍କ ଭାଗ ୧୫ ପ୍ରତିଶତକୁ ବୃଦ୍ଧି ପାଇବ । ୨୦୩୬ ସୁଦ୍ଧା ୧୭ ପ୍ରତିଶତରେ ପହଞ୍ଚିଯିବ । ଅର୍ଥନୀତି ପ୍ରଭାବିତ ହେବ । ଚିକିତ୍ସା ଓ ଔଷଧ ଖର୍ଚ୍ଚ ବଢିବ। ଡାକ୍ତରୀ ପରାମର୍ଶ ବାବଦରେ ଅଧିକ ଖର୍ଚ୍ଚ ହେବ । ସେମାନଙ୍କ ଦେଖାଶୁଣା ପାଇଁ ଅଧିକ ସହାୟକ ଆବଶ୍ୟକ ପଡ଼ିବ। ଅର୍ଥନୀତି ପ୍ରତି ସେମାନଙ୍କ ଅବଦାନ କମିବ ।
ରାଜ୍ୟର ମୋଟ ଜନସଂଖ୍ୟାରେ ତରୁଣଙ୍କ ସଂଖ୍ୟା ଅଧିକା ରହିଲେ ଅର୍ଥନୀତି ପାଇଁ ଶୁଭଙ୍କର । କାରଣ ଅଳ୍ପ ବୟସ୍କମାନେ ସର୍ବଦା କାମ କରିବାକୁ ତତ୍ପର । ବୁଢାଙ୍କ ତୁଳନାରେ ତରୁଣଙ୍କ ସଂଖ୍ୟା ଅଧିକା ରହିଲେ ଅର୍ଥନୀତି ଦ୍ରୁତ ଗତିରେ ଦୌଡ଼େ । ଏବେ ରାଜ୍ୟରେ ୬୫ ପ୍ରତିଶତ ଯୁବକ ଅଛନ୍ତି । ସେମାନଙ୍କ ଉପରେ ପରିବାର ଓ ରାଜ୍ୟର ଅର୍ଥନୀତି ନିର୍ଭର କରୁଛି । ୨୦୩୧ ବେଳକୁ ସେମାନେ ବୁଢା ହୋଇଯିବେ । ଭବିଷ୍ୟତରେ ବଡ଼ ଆହ୍ଵାନର ସାମ୍ନା କରିବେ । ଯୁବପୀଢିଙ୍କ ଉତ୍ପାଦକତା ବଢାଇବା ପାଇଁ ସେମାନଙ୍କ ଦକ୍ଷତା ବିକାଶ ସହ ନିଯୁକ୍ତି ଜରୁରୀ। ସେଥିପାଇଁ ନୀତି ନିର୍ଦ୍ଧାରକଙ୍କୁ ଏବେଠୁ ପ୍ରସ୍ତୁତ ହେବାକୁ ପଡିବ ।






