AK ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଜଣେ ବୃଦ୍ଧ ଦମ୍ପତି ନ୍ୟାୟ ଦାବିରେ ଅନଶନରେ ବସିଥିବା ଦେଖିବାକୁ ମିଳିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି। ଅନଶନରେ ବସିଥିବା ବୃଦ୍ଧ ଦମ୍ପତି ହେଲେ ତମାମୁରା ଗ୍ରାମର ଗୁପ ସାହୁ ଓ ଅମୃତ ସାହୁ।

ସେମାନଙ୍କ ଅଭିଯୋଗ ଅନୁଯାୟୀ, ଗ୍ରାମର କିଛି ବ୍ୟକ୍ତି—ମହେନ୍ଦ୍ର ସାହୁ, ବିଶିକେଶନ୍ ସାହୁ ଓ ପଏଧର ସାହୁ—ବର୍ଷା ପାଣି ଯିବା ପାଇଁ ଥିବା ନାଲାକୁ ବନ୍ଦ କରିଦେଇଛନ୍ତି। ଏହି ସମସ୍ୟା ସମାଧାନ ପାଇଁ ବୃଦ୍ଧ ଦମ୍ପତି ଦୀର୍ଘଦିନ ଧରି ପୋଲିସ ଓ ସ୍ଥାନୀୟ ପ୍ରଶାସନଙ୍କୁ ଅଭିଯୋଗ କରିଆସୁଥିବା ସତ୍ୱେ ମଧ୍ୟ କୌଣସି ପ୍ରତିକାର ମିଳିନଥିବା ଦାବି କରିଛନ୍ତି। ଶେଷରେ ବାଧ୍ୟ ହୋଇ ସେମାନ ତହସିଲ କାର୍ଯ୍ୟାଳୟ ଆଗରେ ଅନଶନ ଆରମ୍ଭ କରିଛନ୍ତି। “ନ୍ୟାୟ ମିଳିବା ପର୍ଯ୍ୟନ୍ତ ଆମେ ଅନଶନ ଜାରି ରଖିବୁ,” ବୋଲି ବୃଦ୍ଧ ଦମ୍ପତି ସଂକଳ୍ପ ବ୍ୟକ୍ତ କରିଛନ୍ତି। ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନେ ପ୍ରଶାସନର ଦୃଷ୍ଟିଆକର୍ଷଣ କରିବା ସହ ଶୀଘ୍ର ସମାଧାନ ପାଇଁ ଦାବି କରୁଛନ୍ତି । ଏବେ ଦେଖିବାକୁ ଥାଏ, କେବେ ପ୍ରଶାସନ ଏହି ଅଭିଯୋଗକୁ ଗୁରୁତ୍ୱର ସହ ନେଇ ବୃଦ୍ଧ ଦମ୍ପତିଙ୍କୁ ନ୍ୟାୟ ଯୋଗାଇଦେଉଛି ।






