AK ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତୁରନ୍ତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ମଧ୍ୟ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି । ସପ୍ତାହକ ମଧ୍ୟରେ ରାଜ୍ୟରେ ୪ଟି ବର୍ବୋରଚିତ ନୃଶଂସ ଘଟଣା ସମଗ୍ର ସଭ୍ୟସମାଜ ପାଇଁ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି। ଆଜି ବାଲିଅନ୍ତା ଅଂଚଳରେ ଜଣେ ଜିଆରପି ପୁଲିସ କନେଷ୍ଟବଳଙ୍କୁ ପିଟିପିଟି ହତ୍ୟା କରାଯାଇଛି। ଏହି ଘଟଣା ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏନେଇ ପୁଲିସ ଡିଜିଙ୍କୁ ତୁରନ୍ତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ମହିଳା ଆୟୋଗ ଅଧ୍ୟକ୍ଷାଙ୍କୁ ମଧ୍ୟ ଆସନ୍ତାକାଲି ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବାକୁ ପରାମର୍ଶ ଦେଇଛନ୍ତି। ତେବେ ପୁଲିସର ନିଷ୍କ୍ରିୟତାକୁ ନେଇ ପ୍ରଶ୍ନ ଉଠୁଥିବାବେଳେ ସରକାର କୌଣସି କଠୋର କାର୍ଯ୍ୟାନୁଷ୍ଠାନ ନନେବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଚଳିତମାସ ୨ତାରିଖରେ କଣାସ, ୫ତାରିଖରେ ହିଞ୍ଜିଳି ଓ ଆଜି ବାଲିଅନ୍ତା ଅଂଚଳରେ ହୃଦୟ ବିଦାରକ ଅପରାଧିକ ଘଟଣା ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିଛି । ଏହା ପୂର୍ବରୁ ଏପ୍ରିଲ ୨୮ତାରିଖରେ ଭଉଣୀର କଙ୍କାଳ ଖୋଳି ଜିତୁ ମୁଣ୍ଡା ନାମକ ଜଣେ ଆଦିବାସୀ ବ୍ୟକ୍ତି ବ୍ୟାଙ୍କକୁ ନେବା ଘଟଣା ମଧ୍ୟ ସଭ୍ୟସମାଜକୁ ସ୍ତବ୍ଧ କରିଦେଇଥିଲା। କଣାସରେ ଅପରାଧୀମାନେ ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟକ୍ତିଙ୍କୁ ଗାଡ଼ି ଚଢ଼ାଇ ନୃଶଂସ ଭାବେ ହତ୍ୟା ଉଦ୍ୟମ କରୁଛନ୍ତି ତ ହିଞ୍ଜିଳିରେ ନ୍ୟାୟ ପାଇବା ନିମନ୍ତେ ଧାରଣାରେ ବସିଥିବା ଜଣେ ଯୁବତୀଙ୍କୁ କୁରାଢ଼ୀରେ ହାଣି ଦିଆଯାଉଛି । ଆଜି ସବୁ ସୀମା ଟପି ଜଣେ ଜିଆରପି ପୁଲିସ କନେଷ୍ଟବଳକୁ କିଛି ଲୋକେ ପିଟିପିଟି ମାରିଦେଇଛନ୍ତି। ଆଉ ଏସବୁ ଘଟଣାରେ ପୁଲିସର ଭୂମିକା ନାକେବଳ ସନ୍ଦେହଘେରରେ ବରଂ ମାନବାଧିକାର ଉଲ୍ଲଘଂନ ଭଳି କାର୍ଯ୍ୟରେ ପୁଲିସ ନିଜେ ସମ୍ପୃକ୍ତ ରହିଛି । ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ସମସ୍ତ ଘଟଣାରେ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କରିଥିବାବେଳେ ଜାତୀୟସ୍ତରରେ ଏସବୁ ଖବର ଯୋଗୁ ଶାନ୍ତିପ୍ରିୟ ଓଡ଼ିଶାର ଚିତ୍ର ମିଳନ ପଡ଼ିବାରେ ଲାଗିଥିବା ଚର୍ଚ୍ଚା ହେଉଛି। ଅପରାଧିକ ମାନସିକତା ଥିବା ଲୋକମାନଙ୍କର ଆଇନ ଓ ପୁଲିସ ପ୍ରତି କାହିଁକି ଭୟ ରହୁନି ଓ ସେମାନେ କିଭଳି ଏପରି ଅମାନବୀୟ କୃତ୍ୟ ପାଇଁ ସାହାସ କରୁଛନ୍ତି ତାହା ଏବେ ଚିନ୍ତାର ବିଷୟ ପାଲଟିଛି।

ଜିଆରପି କନେଷ୍ଟବଳକୁ ପିଟିପିଟି ମାରିଦେଲେ, ପୋଲିସ ନିରବଦ୍ରଷ୍ଟା ସାଜିଲା
କଟକ ଜିଆରପିରେ କାର୍ଯ୍ୟରତ ଥିବା ସୌମ୍ୟରଞ୍ଜନ ସ୍ୱାଇଁ ନାମକ ଜଣେ କନଷ୍ଟେବଳଙ୍କୁ ଅମାନବୀୟ ନୃଶଂସ ଭାବେ ପିଟିପିଟି ମାରି ଦିଆଯାଇଛି । ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଅଧୀନରେ ଥିବା ହଂସପାଳ-ନିମାପଡ଼ା ରାସ୍ତାର ରାମଚନ୍ଦ୍ରପୁର ବ୍ରିଜ ନିକଟରେ ଆଜି ମଧ୍ୟାହ୍ନ ସମୟରେ ଏହି ଅଭାବନୀୟ ଓ ହୃଦୟବିଦାରକ ଘଟଣା ଘଟିଛି । ଅଭିଯୋଗ ଅନୁଯାୟୀ, ସୌମ୍ୟ ଓ ତାଙ୍କ ବନ୍ଧୁ ଓମପ୍ରକାଶ ଏକ ବାଇକରେ ଯାଉଥିବାବେଳେ ଦୁଇଜଣ ଯୁବତୀଙ୍କ ସ୍କୁଟିକୁ ଧକ୍କା ଦେବାକୁ ନେଇ ପାଟିତୁଣ୍ଡ ହୋଇଥିଲା । ଉଭୟ ପକ୍ଷ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ଚାଲିଥିଲା ଓ ଯୁବତୀ ଦ୍ୱୟ ଅସଦାଚରଣର ଅଭିଯୋଗ ଆଣିବାରୁ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ସମ୍ପୃକ୍ତ ଯୁବକଙ୍କୁ ମାରପିଟ୍ କରିଥିଲେ । ପ୍ରତ୍ୟକ୍ଷଦର୍ଶୀ ବିରଂଚି ନାରାୟଣ ଜେନାଙ୍କ କହିବା ଅନୁସାରେ, ଯୁବତୀଙ୍କୁ ଅସଦାଚରଣ ପାଇଁ ଉଦ୍ୟମ କରିବାବେଳେ ସ୍ଥାନୀୟ ଲୋକେ ଓ ଅନ୍ୟ ଯାତ୍ରୀମାନେ ଉତ୍ତ୍ୟକ୍ତ ହୋଇ ଆଇନକୁ ହାତକୁ ନେଇଥିଲେ। ସେମାନେ ଓମପ୍ରକାଶ ଓ ସୌମ୍ୟରଞ୍ଜନଙ୍କୁ କାବୁ କରି ଅତି ନିର୍ମମ ଭାବେ ବାଉଁଶରେ ପିଟିଥିଲେ । ସୌମ୍ୟରଞ୍ଜନଙ୍କ ମାଆ କବିତା ସ୍ୱାଇଁ ଅତ୍ୟନ୍ତ କ୍ଷୋଭର ସହ କହିଛନ୍ତି, ଯେ, “ମୋ ପୁଅକୁ ପୁଲିସ ଆଗରେ ପିଟି ପିଟି ମାରିଦେଲେ, କିନ୍ତୁ କେହି ଜଣେ ବି ପୁଲିସ ତାକୁ ବଂଚାଇବାକୁ ଆସିଲେନି । ଯଦି ପୁଲିସ ଚାହିଁଥାନ୍ତା, ମୋ’ ପୁଅ ଆଜି ବଂଚିଥାନ୍ତା । ମୋ’ ପୁଅ ଭଳି ମୋତେ ବି ମାରିଦିଅ ବୋଲି କବିତା କ୍ଷୋଭ ସହ କହିଛନ୍ତି । ପୁଅର ରକ୍ତାକ୍ତ ଶରୀର ଦେଖି ମାଆଙ୍କ ଆକ୍ରୋଶ ସରକାର ଓ ପ୍ରଶାସନ ପାଇଁ ଏକ ବଡ଼ ପ୍ରଶ୍ନ ।
ପୁଲିସ ଡିସିପି ଜଗମୋହନ ମୀନା କହିଛନ୍ତି ଯେ, କେହି ବି ଆଇନକୁ ନିଜ ହାତକୁ ନେବା ଉଚିତ୍ ନୁହେଁ । ଏହି ଲିଂଚି ଘଟଣାରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କୁ ଚିହ୍ନଟ କରିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି ଓ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଉଭୟ ପକ୍ଷରୁ ଦୁଇଟି ଅଭିଯୋଗ ମଧ୍ୟ ଥାନାରେ ରୁଜୁ କରାଯାଇଛି । ଲୋକଙ୍କ ମାଡ଼ରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ଘଟିଥିବା ବେଳେ ଓମପ୍ରକାଶଙ୍କ ଅବସ୍ଥା ଗୁରୁତର ରହିଛି ।
କଣାସ ଓ ହିଞ୍ଜିଳି: ବରିଷ୍ଠ ପୁଲିସ ଅଫିସର ନିରବ କାହିିଁକି
କେବଳ ନିଆଳି ନୁହେଁ, ପୁରୀର କଣାସ ଅଂଚଳରେ ଚଳିତମାସ ୨ତାରିଖରେ ମୃତ୍ୟୁଞ୍ଜୟ ବରିମଲଙ୍କୁ ସର୍ବସମ୍ମୁଖରେ ଗୋଡ଼ାଇ ଗୋଡ଼ାଇ ହାଣିବା ସହ ରକ୍ତାକ୍ତ ଅବସ୍ଥାରେ ସେ ରାସ୍ତାରେ ପଡ଼ି ଛଟପଟ ହେଉଥିବାବେଳେ ତାଙ୍କ ଉପରେ ବାଇକ୍ ଚଢ଼ାଇ ଦିଆଯାଇଥିଲା । ସେ ଏବେବି ହସ୍ପିଟାଲରେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ଏହି ଅମାନବୀୟ କାଣ୍ଡର ଭିଡିଓ ଭାଇରାଲ ହେବାକୁ ନେଇ ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ମେ’ ୫ତାରିଖରେ ଗଞ୍ଜାମର ହିଞ୍ଜିଳି ଅଂଚଳରେ ଜଣେ ଗର୍ଭବତୀଙ୍କୁ କୁରାଢ଼ୀରେ ହାଣି ହତ୍ୟା କରାଯାଇଥଲା। ନିଜର ଗର୍ଭରେ ଥିବା ପିଲାକୁ ପିତୃ ପରିଚୟ ଦେବାକୁ ନିଜର ୩ବର୍ଷର ଝିଅ ସହ ପ୍ରେମିକର ଘର ଆଗରେ ଧାରଣାରେ ବସିଥିବା ଗର୍ଭବତୀଙ୍କୁ ସମ୍ପୃକ୍ତ ପ୍ରେମିକର ସାନଭାଇ କୁରାଢ଼ୀରେ ହାଣି ହତ୍ୟା କରିଥିଲା ।
ଏହି ହୃଦୟ ବିଦାରକ ଘଟଣାରେ ପୁଲିସର ନିଷ୍କ୍ରିୟତା ଉପରେ ପ୍ରଶ୍ନ ଉଠାଇ ଗତ ଦୁଇଦିନ ତଳେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଥିଲେ । ଆଜି ବାଲିଅନ୍ତା ଅଂଚଳରେ ଯୁବକଙ୍କୁ ପିଟିପିଟି ହତ୍ୟା ପରେ ସରକାରଙ୍କ ଅସମ୍ଭବ ନୀରବତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପୁଲିସ ଉପସ୍ଥିତିରେ ଯଦି ଏପରି ଘଟଣା ଘଟୁଛି, ତେବେ ଲୋକେ କାହାକୁ ସୁରକ୍ଷା ମାଗିବେ ? ଅପରାଧୀଙ୍କ ଆଗରେ ପୁଲିସ ପ୍ରଶାସନ, ସରକାର ଏତେ ଅସହାୟ କାହିଁକି? ଭୁବନେଶ୍ୱର ଉପକଣ୍ଠରେ ଯଦି ସରକାର ଏପରି ଘଟଣାକୁ ରୋକିବାରେ ଅସମର୍ଥ, ତେବେ ସାରା ରାଜ୍ୟର ଅବସ୍ଥା କ’ଣ ତାହା ସ୍ପଷ୍ଟ ଅନୁମେୟ । ନିକଟରେ ହିଞ୍ଜିଳି, କଣାସ ଓ ଢେଙ୍କାନାଳରେ ଘଟିଥିବା ବର୍ବର କାଣ୍ଡରେ ସରକାର କ’ଣ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ବୋଲି ପ୍ରଶ୍ନ କରିବା ସହ ତୁରନ୍ତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଲୋକଙ୍କ ସୁରକ୍ଷା ତଥା ଓଡ଼ିଶାରେ ଆଇନଶୃଙ୍ଖଳା ସୁନିଶ୍ଚିତ ନିମନ୍ତେ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏଭଳି ଅଭାବନୀୟ ଘଟଣା ସବୁ ରାଜ୍ୟରେ ବଢ଼ି ଚାଲିଥିଲେ ମଧ୍ୟ ପୁଲିସ ଡିଜି କିମ୍ବା ଆଇନଶୃଙ୍ଖଳା ଦାୟିତ୍ୱରେ ଥିବା ଅତିରିକ୍ତ ଡିଜି କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନେବାକୁ ଉଚିତ୍ ମଣିନାହାନ୍ତି । ଅପରାଧୀଙ୍କ ମନୋବଳ ବୃଦ୍ଧି ପାଇବାରେ ଲାଗିଛି ଓ ସରକାରଙ୍କୁ ଏନେଇ ବଦନାମ ହେବାକୁ ମଧ୍ୟ ପଡ଼ୁଛି । ତଥାପି ପୁଲିସର ଚେତା ପଶିନାହିଁ ।






