AK ସିନ୍ଧୁ ଜଳ ଚୁକ୍ତି ସମ୍ପର୍କିତ ଭାରତର କଠୋର ମନୋଭାବ ନେଇ ଭୟଭୀତ ପାକିସ୍ତାନ ବର୍ତ୍ତମାନ ଆନ୍ତର୍ଜାତିକ ମଞ୍ଚର ଶରଣ ପଶିଛି । ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘ ସାଧାରଣ ସଭା ସମ୍ମୁଖରେ ଭାରତର ନିଷ୍ପତ୍ତି ପ୍ରସଙ୍ଗ ଉଠାଇ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟକାରୀ ଦାବି କରିଛି । ଭାରତର କଠୋର ମନୋଭାବ ନେଇ ଭୟଭୀତ ପାକିସ୍ତାନ ବର୍ତ୍ତମାନ ଆନ୍ତର୍ଜାତିକ ମଞ୍ଚର ଶରଣ ପଶିଛି । ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦ ଏବଂ ଜାତିସଂଘ ସାଧାରଣ ସଭା ସମ୍ମୁଖରେ ଭାରତର ନିଷ୍ପତ୍ତି ପ୍ରସଙ୍ଗ ଉଠାଇ ଚୁକ୍ତିର ପୂର୍ଣ୍ଣ କାର୍ଯ୍ୟକାରୀ ଦାବି କରିଛି । ପହଲଗାମ ଆତଙ୍କବାଦୀ ଆକ୍ରମଣ ଘଟଣା ପରେ ଗତବର୍ଷ ଭାରତ ପକ୍ଷରୁ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖାଯାଇଥିଲା । ଏବେ ଏହାକୁ ଲାଗୁ କରିବାକୁ ପାକିସ୍ତାନ ଜାତିସଂଘ ସୁରକ୍ଷା ପରିଷଦରେ ଆବେଦନ କରିଛି ।

୧୯୬୦ ମସିହାରେ ସିନ୍ଧୁ ଜଳ ଚୁକ୍ତି ହୋଇଥିବାବେଳେ ପ୍ରଥମ ଥର କୌଣସି ପକ୍ଷ ଏହାକୁ ସ୍ଥଗିତ ରଖିଛି । ଜାତିସଂଘରେ ପାକିସ୍ତାନର ସ୍ଥାୟୀ ମିଶନର ରାଷ୍ଟ୍ରଦୂତ ଅସୀମ ଇଫତିଖାର ଅହମ୍ମଦ ଗୁରୁବାର ଜାତିସଂଘ ସୁରକ୍ଷା ପରିଷଦ ଅଧ୍ୟକ୍ଷ ଜମାଲ ଫାରେସ୍ ଅଲରୋବାଇଙ୍କୁ ଭେଟିଛନ୍ତି । ଏହି ଅବସରରେ ଅହମଦ ପାକିସ୍ତାନର ଉପ ପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସାକ ଦାର୍ଙ୍କ ଦ୍ୱାରା ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କିତ ଏକ ଚିଠି ପ୍ରଦାନ କରିଥିଲେ । ଏହାସହିତ ଏହି ଚିନ୍ତାଜନକ ସ୍ଥିତିକୁ ସଂଜ୍ଞାନକୁ ନେଇ ଭାରତକୁ ସିନ୍ଧୁ ଜଳ ଚୁକ୍ତି ପୂରାପୂରି ଲାଗୁ କରିବାକୁ କହିବାକୁ ଚିଠିରେ କୁହାଯାଇଛି । ଇଫତିଖାର୍ ଅହମଦ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏ ସମ୍ପର୍କରେ ସୂଚନା ଦେବା ସହିତ ଚିଠିରେ ସିନ୍ଧୁ ଜଳ ଚୁକ୍ତିନାମାକୁ ଭାରତ ସ୍ଥଗିତ ରଖିବା ଆଞ୍ଚଳିକ ଶାନ୍ତି ଓ ସୁରକ୍ଷା ପାଇଁ ଗମ୍ଭୀର ବିପଦ ବୋଲି ବର୍ଣ୍ଣନା କରିଛନ୍ତି । ଭାରତର ଏହି ନିଷ୍ପତ୍ତି ଗମ୍ଭୀର ମାନବୀୟ ସଙ୍କଟ ଉତ୍ପନ୍ନ କରିପାରେ ବୋଲି ସେ କହିଛନ୍ତି । ଏହାସହିତ ଭାରତ ଉପରେ ପ୍ରଚାର ଅଭିଯାନ ଚଳାଇଥିବା ଅଭିଯୋଗ କରି କାଶ୍ମୀର ପ୍ରସଙ୍ଗକୁ ପୁଣି ଥରେ ଅନ୍ତର୍ଜାତୀୟ ମଞ୍ଚରେ ଉଠାଇଛି ।
ସୂଚନାଯୋଗ୍ୟ, ପହଲଗାମ ଆକ୍ରମଣ ପରେ ଭାରତ ସ୍ପଷ୍ଟ କରିଥିଲା ଯେ, ରକ୍ତ ଓ ଜଳ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ । ୧୯୬୦ ସିନ୍ଧୁ ଜଳ ଚୁକ୍ତି ଭାରତ-ପାକିସ୍ତାନ ମଧ୍ୟରେ ତିନିଟି ଯୁଦ୍ଧ, କାର୍ଗିଲ ଯୁଦ୍ଧ, ସଂସଦ ଉପରେ ଆକ୍ରମଣ, ୨୬/୧୧, ଉରି ଓ ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ବି ଜାରି ରହିଥିଲା । ଗତ ୬୫ ବର୍ଷରେ ଭାରତ ଏହାକୁ ପ୍ରଥମ ଥର ପାଇଁ ଅସ୍ଥାୟୀ ଭାବେ ସ୍ଥିଗିତ ରଖିବାକୁ ନିଷ୍ପତ୍ତି ନେଇଛି । ଚୁକ୍ତି ଅନୁଯାୟୀ ପଶ୍ଚିମ ନଦୀ ଝେଲମ୍, ଚେନ୍ନାବ ଓ ସିନ୍ଧୁ ଜଳ ପାକିସ୍ତାନ ଓ ପୂର୍ବ ନଦୀ ରାବି, ବ୍ୟାସ ଓ ସତଲେଜର ପାଣି ଭାରତ ବ୍ୟବହାର କରିପାରିବ । କିନ୍ତୁ ଗତବର୍ଷ ଏପ୍ରିଲ ୨୨ରେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ଦେଇ ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା । ଅନ୍ତର୍ଜାତୀୟ ବିଶ୍ଳେଷକମାନେ ବିଶ୍ୱାସ କରନ୍ତି ଯେ, ଭାରତ ପ୍ରଥମ ଥର ପାଇଁ ପାଣିକୁ ଏକ ରଣନୈତିକ ଏବଂ ସର୍ତ୍ତମୂଳକ ପ୍ରସଙ୍ଗ କରିଛି । ୟୁରୋପାୱାୟାର ପାଇଁ ଗ୍ରୀକ୍ ବିଶ୍ଳେଷକ ଡିମିତ୍ରା ଷ୍ଟାଇକୋ ଲେଖିଛନ୍ତି ଯେ, ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସ୍ପଷ୍ଟ କରିଦେଇଛି ଯେ ରକ୍ତ ଏବଂ ପାଣି ଏକାଠି ପ୍ରବାହିତ ହୋଇପାରିବ ନାହିଁ । ଭାରତର ନିଷ୍ପତ୍ତି ପାକିସ୍ତାନକୁ ଉଭୟ କୂଟନୈତିକ ଓ ରଣନୈତିକ ଦୃଷ୍ଟିକୋଣରୁ ବ୍ୟାକଫୁଟ୍କୁ ଆଣିଦେଇଥିବାବେଳେ ପାକିସ୍ତାନ ଆନ୍ତର୍ଜାତିକ ମଞ୍ଚରେ ନିଜକୁ ପୀଡ଼ିତ ଦେଖାଇବାକୁ ଜାତିସଂଘର ଦ୍ବାରସ୍ଥ ହୋଇଛି ।






