ଏ.କେ ବ୍ୟୁରୋ : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ମହାରଣା ପଡ଼ାର ପ୍ରସିଦ୍ଧ ଗଞ୍ଜପା ଚିତ୍ରଶିଳ୍ପୀ ଶ୍ରୀ ସତ୍ୟନାରାୟଣ ମହାରଣାଙ୍କୁ ତାଙ୍କ ଅଦ୍ଭୁତ କଳା ଦକ୍ଷତା ଓ ଓଡ଼ିଶାର ପାରମ୍ପରିକ ଗଞ୍ଜପା କଳାର ସୁରକ୍ଷା ଓ ପ୍ରଚାର ପାଇଁ “ଷଷ୍ଠ ଦୀନନାଥ ପୀଠ କଳା ସମ୍ମାନ” ରେ ସମ୍ମାନିତ କରାଯାଇଛି।

ଭୁବନେଶ୍ୱର ସ୍ଥିତ କେତକୀ ଫାଉଣ୍ଡେସନ ଟ୍ରଷ୍ଟ ପକ୍ଷରୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା।ଶାରୀରିକ ଅସୁସ୍ଥତା କାରଣରୁ ଶ୍ରୀ ମହାରଣା ସ୍ୱୟଂ ଉପସ୍ଥିତ ହୋଇପାରିନଥିବା ବେଳେ ତାଙ୍କ ପକ୍ଷରୁ ସୁପୁତ୍ର ଶ୍ରୀ ପିତବାସ ମହାରଣା ସମ୍ମାନ ଗ୍ରହଣ କରିଥିଲେ।ଗଞ୍ଜପା ଚିତ୍ରକଳା ଭଳି ହଜି ଯାଉଥିବା ପାରମ୍ପରିକ ଲୋକକଳାକୁ ଜୀବନ୍ତ ରଖିବାରେ ଶ୍ରୀ ସତ୍ୟନାରାୟଣ ମହାରଣାଙ୍କ ଅବଦାନ ଅତ୍ୟନ୍ତ ସ୍ମରଣୀୟ। ଏପରି ପ୍ରତିଭାଶାଳୀ କଳାକାରମାନଙ୍କୁ ଚିହ୍ନଟ କରି ସମ୍ମାନିତ କରିବା ନିଶ୍ଚୟ ଅଞ୍ଚଳ ପାଇଁ ଗର୍ବ ଓ ପ୍ରେରଣାର ବିଷୟ ବୋଲି ବୁଦ୍ଧିଜୀବୀ ମହଳରେ ମତ ପ୍ରକାଶ ପାଇଛି।






