AK ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ପୋଷ୍ଟ କରିବାର କ୍ରେଜ୍ କେତେବେଳେ ଜୀବନ ନେଇପାରେ, ତାହାର ଏକ ଦୁଃଖଦ ଉଦାହରଣ ଇଣ୍ଡୋନେସିଆର ମାଉଣ୍ଟ ଡୁକୋନୋ ଜ୍ୱାଳାମୁଖୀରେ ଦେଖିବାକୁ ମିଳିଛି ।

ସୋସିଆଲ ମିଡିଆରେ ଭିଡିଓ ଓ ଫଟୋ ପୋଷ୍ଟ କରିବାର କ୍ରେଜ୍ କେତେବେଳେ ଜୀବନ ନେଇପାରେ, ତାହାର ଏକ ଦୁଃଖଦ ଉଦାହରଣ ଇଣ୍ଡୋନେସିଆର ମାଉଣ୍ଟ ଡୁକୋନୋ ଜ୍ୱାଳାମୁଖୀରେ ଦେଖିବାକୁ ମିଳିଛି। ଶୁକ୍ରବାର ଦିନ ଏହି ସକ୍ରିୟ ଜ୍ୱାଳାମୁଖୀରେ ହଠାତ୍ ବିସ୍ଫୋରଣ ଘଟିବାରୁ ୩ ଜଣ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ମୃତକଙ୍କ ମଧ୍ୟରେ ଦୁଇଜଣ ସିଙ୍ଗାପୁରର ପର୍ଯ୍ୟଟକ ଏବଂ ଜଣେ ସ୍ଥାନୀୟ ବାସିନ୍ଦା ଅଛନ୍ତି। କର୍ତ୍ତୃପକ୍ଷଙ୍କ ପକ୍ଷରୁ ବାରମ୍ବାର ଚେତାବନୀ ଓ ସେହି ଅଞ୍ଚଳକୁ ନିଷେଧ କରାଯାଇଥିଲେ ହେଁ, ସୋସିଆଲ ମିଡିଆ କଣ୍ଟେଣ୍ଟ୍ ପ୍ରସ୍ତୁତ କରିବା ପାଇଁ ୨୦ ଜଣ ପର୍ବତାରୋହୀ ବିପଦକୁ ଅଣଦେଖା କରି ପାହାଡ଼ ଉପରକୁ ଚଢ଼ିଥିଲେ। ବିସ୍ଫୋରଣ ସମୟରେ ଆକାଶ ପ୍ରାୟ ୧୦ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ କଳା ଧୂଆଁରେ ପରିପୂର୍ଣ୍ଣ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଗତ ଡିସେମ୍ବର ମାସରୁ ଭୂକମ୍ପ ଗତିବିଧି ବୃଦ୍ଧି ପାଇବା ଯୋଗୁଁ ଦୁର୍ଘଟଣା ଘଟିଥିବା ଅଞ୍ଚଳର ପ୍ରାୟ ୪ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଯାତ୍ରା ନକରିବାକୁ ପରାମର୍ଶ ଦିଆଯାଇଥିଲା। ପ୍ରଶାନ୍ତ ମହାସାଗରର “ରିଙ୍ଗ୍ ଅଫ୍ ଫାୟାର”ରେ ଅବସ୍ଥିତ ଇଣ୍ଡୋନେସିଆରେ ପ୍ରାୟ ୧୩୦ଟି ସକ୍ରିୟ ଜ୍ୱାଳାମୁଖୀ ରହିଛି, ଯେଉଁଥିପାଇଁ ଏଠାରେ ବାରମ୍ବାର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଘଟିଥାଏ। ସ୍ଥାନୀୟ ପ୍ରଶାସନ ପକ୍ଷରୁ ପର୍ଯ୍ୟଟକମାନଙ୍କୁ ନିଜ ଜୀବନକୁ ବିପଦରେ ନପକାଇବାକୁ ନିବେଦନ କରାଯାଇଛି ।






