AK ବିଭିନ୍ନ କଟକଣା ଓ ଚାପ ମାଧ୍ୟମରେ ଇରାନକୁ ଅଣନିଶ୍ବାସୀ କରିଦେଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚେତାବନୀ ଦେଇଛନ୍ତି ଯେ ବିଶ୍ୱ ଶକ୍ତି ପରିବହନକୁ ବାଧାପ୍ରାପ୍ତ କରିବା ପାଇଁ ଇରାନର କୌଣସି ବି ପ୍ରୟାସକୁ କଠୋର ହସ୍ତରେ ଦମନ କରାଯିବ ଅନ୍ୟପଟେ, ଆମେରିକା ଏବଂ ଇରାନ ମଧ୍ୟରେ ସିଧାସଳଖ ଯୋଗାଯୋଗର ଅଭାବ ଯୋଗୁଁ ସୃଷ୍ଟି ହୋଇଥିବା ଶୂନ୍ୟସ୍ଥାନକୁ ପୂରଣ କରିବା ପାଇଁ ପାକିସ୍ତାନ ଏବେ ଶେଷ ପ୍ରୟାସ ଚଳାଇଛି। ଇସଲାମାବାଦରେ ପୁଣି ଥରେ ଆଲୋଚନା ପାଇଁ ପଛଦ୍ବାର କୂଟନୀତି ତୀବ୍ର ହୋଇଛି । ଆଜି ଆମେରିକା ନୌସେନାର ମାଇନ ସଫେଇ ୟୁନିଟ୍ ଗୁଡ଼ିକ ହର୍ମୁଜ ପ୍ରଣାଳୀରେ ସେମାନଙ୍କ ଅଭିଯାନକୁ ଜୋରଦାର କରିଛନ୍ତି। ଯଦି କୌଣସି ଇରାନୀୟ ଜାହାଜ ସମୁଦ୍ରରେ ବିସ୍ଫୋରକ ବିଛାଉଥିବା ଦେଖାଯାଏ, ତେବେ ସେମାନଙ୍କୁ ଦେଖିବା ମାତ୍ରେ ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ସାମରିକ ଉତ୍ତେଜନା ଯୋଗୁଁ ସାମୁଦ୍ରିକ ଜାହାଜ ଚଳାଚଳ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି। ବୀମା ରାଶି ଅହେତୁକ ଭାବେ ବୃଦ୍ଧି ପାଇବା ଫଳରେ ବାଣିଜ୍ୟିକ ଜାହାଜ ପରିବହନ ଅସମ୍ଭବ ହୋଇପଡ଼ିଛି। ଅନ୍ତର୍ଜାତୀୟ ସିପିଂ ସଂସ୍ଥାଗୁଡ଼ିକ ଉଭୟ ୱାସିଂଟନ ଏବଂ ତେହେରାନକୁ ଏଥିପାଇଁ ଦାୟୀ କରିବା ସହ ଏହାକୁ ଅନ୍ତର୍ଜାତୀୟ ସାମୁଦ୍ରିକ ଆଇନର ଉଲ୍ଲଂଘନ ବୋଲି କହିଛନ୍ତି।

ସେହିପରି ଇରାନ ମଧ୍ୟରେ ଇଣ୍ଟରନେଟ୍ ସେବା ବନ୍ଦ ରହିଥିବାରୁ ସେଠାକାର ଆଭ୍ୟନ୍ତରୀଣ ବାଣିଜ୍ୟ ଏବଂ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଇସଲାମାବାଦରେ ଗତକାଲି ଇରାନ-ଆମେରିକା ମଧ୍ୟରେ ପ୍ରସ୍ତାବିତ ଯୁଦ୍ଧବିରତି ଓ ସ୍ଥାୟୀ ଶାନ୍ତି ଚୁକ୍ତି ଆଲୋଚନା ବାତିଲ ହେବା ସହ ମଧ୍ୟପ୍ରାଚ୍ୟର ଭୂ-ରାଜନୈତିକ ପରିଦୃଶ୍ୟ ଏବେ ଏକ ଅତ୍ୟନ୍ତ ବିପଜ୍ଜନକ ପର୍ଯ୍ୟାୟରେ ପ୍ରବେଶ କରିଛି । ଇରାନ ପ୍ରତି ଆମେରିକା ରାଷ୍ଟ୍ରପତିଙ୍କ ଦମନ ଓ ଚାପ ରଣନୀତି ସତ୍ତ୍ବେ ଇରାନ ସର୍ତ୍ତଭିତ୍ତିକ ଯୁଦ୍ଧବିରତିକୁ ପ୍ରତ୍ୟାଖ୍ୟାନ କରିଛି । ଏଭଳି ସ୍ଥିତି ବିଶ୍ୱ ଅର୍ଥନୈତିକ ସ୍ଥିରତା ପାଇଁ ଏକ ବଡ଼ ଆହ୍ୱାନରେ ପରିଣତ ହୋଇଛି। ଇସଲାମାବାଦର କୂଟନୈତିକ ମଞ୍ଚରେ ବର୍ତ୍ତମାନ ପରିସ୍ଥିତି ଅତ୍ୟନ୍ତ ଜଟିଳ ଏବଂ ଅସ୍ଥିର ରହିଛି । ଇରାନର ବୈଦେଶିକ ମନ୍ତ୍ରୀ ଅବ୍ବାସ ଆରାଘଚି ପ୍ରାଥମିକ ଆଲୋଚନାରେ ବିଫଳ ହେବା ପରେ ଗତରାତିରେ ପାକିସ୍ତାନ ଛାଡ଼ିଥିଲେ ମଧ୍ୟ ଓମାନ ଏବଂ ରୁଷ୍ ସହ ପରାମର୍ଶ କରି ପୁଣି ଫେରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି ।
ପାକିସ୍ତାନୀ ମଧ୍ୟସ୍ଥିମାନେ ଏକ ନୂଆ ନୀତିରେ କାମ କରୁଛନ୍ତି, ଯେଉଁଥିରେ ଇରାନ ମାଇନ ବିଛାଇବା ବନ୍ଦ କରିବା ବଦଳରେ ଆମେରିକା ନୌସେନା ନିଜର ଆକ୍ରମଣାତ୍ମକ ଯାଞ୍ଚ ପ୍ରକ୍ରିୟାକୁ ସ୍ଥଗିତ ରଖିବ । ଆମେରିକା ବିଦେଶ ବିଭାଗ ଏବଂ ପାକିସ୍ତାନ ନେତୃତ୍ୱ ମଧ୍ୟରେ ପରଦା ପଛରେ ଚାଲିଥିବା ଆଲୋଚନା ଯୋଗୁଁ ଅସ୍ତ୍ରବିରତିର ଏକ କ୍ଷୀଣ ଆଶା ଏବେ ମଧ୍ୟ ଜୀବିତ ରହିଛି । ଏହି ସମୟରେ ଇସ୍ରାଏଲ -ଲେବାନନ ସୀମାରେ ମଧ୍ୟ ଉତ୍ତେଜନା ଚରମରେ ପହଞ୍ଚିଛି । ଇସ୍ରାଏଲ ପ୍ରତିରକ୍ଷା ବାହିନୀ ଦକ୍ଷିଣ ଲେବାନନ ଏବଂ ବେରୁତରେ ଚେତାବନୀ ପତ୍ର ପକାଇ ଲୋକଙ୍କୁ ସ୍ଥାନ ଛାଡ଼ିବାକୁ କହିଛି, ଯାହା ଏକ ବଡ଼ ଧରଣର ସ୍ଥଳ ସେନା ଅଭିଯାନର ସୂଚନା ଦେଉଛି । ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟଣାକୁ ନେଇ ତୁର୍କୀ ସମେତ ଅନ୍ୟ ଆଞ୍ଚଳିକ ଶକ୍ତିମାନେ ଆମେରିକା -ଇସ୍ରାଏଲ ମେଣ୍ଟକୁ ମାନବାଧିକାର ଉଲ୍ଲଂଘନ ପାଇଁ ସମାଲୋଚନା କରିଛନ୍ତି ।






