AK ମୃତକ ଦ୍ୱୟ ହେଲେ ୬୨ ବର୍ଷୀୟ ରାକେଶ ସୁଦ ଓ ତାଙ୍କ ୨୭ ବର୍ଷୀୟ ପୁଅ କରନ ସୁଦ। ଆକ୍ରମଣରେ କରନଙ୍କ ଭାଇ ରାହୁଲ ସୁଦ ମଧ୍ୟ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି । ଦେଶର ରାଜଧାନୀ ଦିଲ୍ଲୀରେ ଘଟିଛି ଚାଞ୍ଚଲ୍ୟକର ଘଟଣା। ଚିତ୍ତରଞ୍ଜନ ପାର୍କ ସ୍ଥିତ ଗୋଟିଏ ଆବାସିକ କମ୍ପ୍ଲେକ୍ସରେ ଘଟିଛି ଭୟଙ୍କର ଘଟଣା। ବାପ-ପୁଅଙ୍କୁ ଛୁରୀ ଭୁଷି ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଛି ସେମାନଙ୍କ ପଡ଼ୋଶୀ ଭାବେ ରହୁଥିବା ଜଣେ ବ୍ୟକ୍ତି । ଟଙ୍କା କାରବାରକୁ ନେଇ ରହିଥିବା ବିବାଦ କାରଣରୁ ପଡ଼ୋଶୀ ଜଣକ ଏଭଳି କାଣ୍ଡ ଘଟାଇଛି ।

ମୃତକ ଦ୍ୱୟ ହେଲେ ୬୨ ବର୍ଷୀୟ ରାକେଶ ସୁଦ ଓ ତାଙ୍କ ୨୭ ବର୍ଷୀୟ ପୁଅ କରନ ସୁଦ। ଆକ୍ରମଣରେ କରନଙ୍କ ଭାଇ ରାହୁଲ ସୁଦ ମଧ୍ୟ ଆହତ ହୋଇଛନ୍ତି । ତାଙ୍କର ଚିକିତ୍ସା ଏବେ ହସ୍ପିଟାଲରେ ଚାଲିଛି । ପୂରା ଘଟଣା ତାରା ଆପାର୍ମେଣ୍ଟର ଗୋଟିଏ ଫ୍ଲାଟରେ ଘଟିଛି। ଅଭିଯୁକ୍ତ ଅସଦ ଶୁକ୍ରବାର ରାତିରେ ଘରକୁ ଫେରିଥିଲା। ଏହାପରେ ଟଙ୍କା ନେଣଦେଣକୁ ନେଇ ରାକେଶ ଓ କରନଙ୍କ ସହ ପାଟିତୁଣ୍ଡ କରିଥିଲେ । ଯୁକ୍ତିତର୍କ ହାତାହାତିର ରୂପ ନେଇଥିଲା । ଏହି ସମୟରେ ଅସଦ ନିଜ ପାଖରେ ରଖିଥିବା ଛୁରୀକୁ ବାହାର କରିବା ସହ କରନଙ୍କୁ ପ୍ରଥମେ ଆକ୍ରମଣ କରିଥିଲା । ପୁଅକୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ରାକେଶ ଆକ୍ରମଣର ଶୀକାର ହୋଇଥିଲେ। ଅସଦ ଏକାଧିକ ଥର ଉଭୟଙ୍କୁ ଛୁରୀ ଭୁଷିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା ।
ଖବର ପାଇ ପୁଲିସ୍ ରାତି ପ୍ରାୟ ୯.୩୦ରେ ପହଞ୍ଚିଥିଲା । ରାକେଶ ଓ କରନ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସେମାନଙ୍କୁ ତୁରନ୍ତ ମାକ୍ସ ହସ୍ପିଟାଲକୁ ନେଇ ଯାଇଥିଲା । ହେଲେ ସେଠାରେ ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର। ପୁଲିସ୍ ତୁରନ୍ତ ସିସିଟିଭି ଫୁଟେଜକୁ ଯାଞ୍ଚ କରି ଫେରାର ଅସଦର ଗତିବିଧିକୁ ଟ୍ରାକ କରିଥିଲା। ବିଳମ୍ବିତ ରାତିରେ ପୁଲିସ୍ ତା’କୁ ଧରିବାକୁ ମଧ୍ୟ ସକ୍ଷମ ହୋଇଛି । ପୁଲିସ୍ କହିଛି ଯେ ଅଭିଯୁକ୍ତ ଜଣକ ବେଶ ଯୋଜନାବଦ୍ଧ ଭାବେ ରାକେଶଙ୍କ ଘରକୁ ଯାଇଥିଲା । ଆକ୍ରମଣ ବେଳେ ସେ କରନ, ରାହୁଲ ଓ ରାକେଶଙ୍କ ବେକ ଓ ଶରୀରର ଅନ୍ୟ ସ୍ଥାନରେ ବାରମ୍ବାର ଛୁରୀ ଭୁଷିଥିଲା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଅଭିଯୁକ୍ତ ଓ ପୀଡ଼ିତଙ୍କ ମଧ୍ୟରେ ଆର୍ଥିକ କାରବାରକୁ ନେଇ ବିବାଦ ଲାଗି ରହିଥିଲା। କରନ ଓ ଅସଦ ମଧ୍ୟରେ ଶୁକ୍ରବାର ଦିନ ବେଳା ପାଟିତୁଣ୍ଡ ହୋଇଥିଲା । ଏହାପରେ ରାତି ସମୟରେ ଅସଦ ଏତେ ବଡ଼ କାଣ୍ଡ ଘଟାଇଛି । ପୁଲିସ୍ ଏବେ ଘଟଣାର ଅଧିକ ତଦନ୍ତ କରୁଛି ।






