AK ବହୁ ବର୍ଷ ତଳର ପୁରୁଣା ଭୁଲ୍ ପାଇଁ ଓମ୍ ପୁରୀଙ୍କୁ ଏଯାଏଁ କ୍ଷମା କରିପାରି ନାହାଁନ୍ତି ଅନ୍ନୁ କପୁର । ସିଦ୍ଧାର୍ଥ କନ୍ନନଙ୍କ ସହ ବାର୍ତ୍ତାଳାପ କରିବା ବେଳେ ସେହି ପୁରୁଣା ଦିନକୁ ମନେ ପକାଇ ଅଭିନେତାଙ୍କ ଉପରେ ଜୋରଦାର୍ ବର୍ଷିଲେ ଅନ୍ନୁ କପୁର । କହିଲେ, ଜଣେ ସାମ୍ବାଦିକାଙ୍କ ସହ ଓମ୍ ପୁରୀଙ୍କ ଅଫେୟାର ଥିଲା । ସେ ମୋ ଭଉଣୀକୁ ଧୋକା ଦେଇଛନ୍ତି । ତା ଜୀବନ ବର୍ବାଦ୍ କରିଛନ୍ତି । ଏଥିପାଇଁ ମୁଁ ଆଜି ଯାଏଁ ଦୁଃଖୀ, ଏବଂ ତାଙ୍କୁ କେବେ କ୍ଷମା କରିବି ନାହିଁ ।

ଅନ୍ନୁ କପୁର ତାଙ୍କ ଭଉଣୀ ସୀମା ଏବଂ ଓମ୍ ପୁରୀଙ୍କ ବୈବାହିକ ଜୀବନ ବିଷୟରେ ଖୁଲାସା କରିଥିଲେ । ସେ କହିଥିଲେ ଯେ, “ଦିବଙ୍ଗତ ଅଭିନେତା ଓମ୍ ପୁରୀ ଜଣେ ଅସାଧାରଣ ଷ୍ଟାର୍ ଥିଲେ । ତାଙ୍କ ଭଳି କେହି ମହାନ ଅଭିନେତା ନାହାଁନ୍ତି । ହେଲେ ସେ ଜଣେ ମହିଳାଙ୍କୁ ଧୋକା ଦେଇଛନ୍ତି । ସେହି ମହିଳା ଜଣଙ୍କ ଆଉ କେହି ନୁହଁନ୍ତି… ସେ ମୋ ଭଉଣୀ ସୀମା । ଓମ୍ ପୁରୀଙ୍କ ଶେଷ ସମୟରେ ସୀମା ହିଁ ତାଙ୍କର ଦେଖାଶୁଣା କରିଥିଲେ । ଏବେ ତାଙ୍କ ମନରେ କାହା ପ୍ରତି ଦ୍ଵେଷ ନାହିଁ । ଏବେ ଓମ୍ ପୁରୀ ନାହାଁନ୍ତି । ତାଙ୍କ ପୁଅ ଏବଂ ନନ୍ଦିତାଙ୍କ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ହେଲେ ସେ ମୋ ଭଉଣୀ ସୀମାକୁ ଧୋକା ଦେଇଛନ୍ତି । ତାର ଜୀବନ ବର୍ବାଦ୍ କରିଛନ୍ତି। ଯାହାର ଅବଶୋଷ ସାରା ଜୀବନ ରହିବ ।”
ଅନ୍ନୁ ପୁଣି କହିଥିଲେ ଯେ, “ସେହି ପୁରୁଣା କଥା ହେଲେ ମାମଲା ବିଗିଡ଼ି ଯିବ । ମୋ ଭିତରୁ ଜଣେ ଭାଇ ବାହାରି ଆସିବ। ଓମ୍ ପୁରୀ ମୋତେ ଡରୁଥିଲେ । କାରଣ ମୁଁ ଖୋଲାଖୋଲି କଥା ହୁଏ । ମୁଁ ସେତେବେଳେ ବିବଶ ଥିଲି, କିଛି କରିପାରି ନଥିଲି ।”
ସୂଚନାନୁଯାୟୀ, ଅନ୍ନୁ କପୁରଙ୍କ ଭଉଣୀ ସୀମା କପୁର ମାତ୍ର ୧୯ ବର୍ଷ ବୟସରେ ଓମ୍ ପୁରୀଙ୍କ ସହ ଦେଖା ହୋଇଥିଲେ । ୧୧ ବର୍ଷ ବୟସ ତାରତମ୍ୟ ସତ୍ତ୍ଵେ ସେ ଓମ୍ ଙ୍କ ପ୍ରେମରେ ପଡିଯାଇଥିଲେ। ବହୁ ଦିନ ଯାଏଁ ଦୁହେଁ ଦୁହିଁଙ୍କୁ ଡେଟ୍ କରିଥିଲେ । ଶେଷରେ ୧୯୯୦ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ହେଲେ ବିବାହର କିଛି ମାସ ପରେ ନନ୍ଦିତା ନାମକ ଜଣେ ସାମ୍ବାଦିକାଙ୍କ ପ୍ରେମରେ ଓମ୍ ପୁରୀ ପଡିଯାଇଥିଲେ । ସେତେବେଳେ ସୀମା ଗର୍ଭବତୀ ଥିଲେ ।






