AK ସଲିମ୍ ୧୯୯୫ ମସିହାରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ୧୩ ବର୍ଷର ପୁଅକୁ ଅପହରଣ, ଦାଦାବଟି ଆଦାୟ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । ଲୋକପ୍ରିୟ ୟୁଟ୍ୟୁବର ସଲିମ୍ ୱାସ୍ତିକ ଓରଫ ‘ଏକ୍ସ ମୁସଲିମ୍’କୁ ୩୧ ବର୍ଷ ତଳର ଏକ ହତ୍ୟାକାଣ୍ଡ ମାମଲାରେ ପୁଲିସ ଗିରଫ କରିଛି । ସଲିମ୍ ୧୯୯୫ ମସିହାରେ ଦିଲ୍ଲୀର ଜଣେ ବ୍ୟବସାୟୀଙ୍କ ୧୩ ବର୍ଷର ପୁଅକୁ ଅପହରଣ, ଦାଦାବଟି ଆଦାୟ ଓ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲା । କିନ୍ତୁ ଜାମିନ୍ ଆସି ଫେରାର୍ ହୋଇଯାଇଥିଲା ଓ ଏକ ନୂଆ ପରିଚୟ ସହିତ ରହୁଥିଲା । ଗତମାସ ଗାଜିଆବାଦସ୍ଥିତ ଘରେ ଦୁଇଜଣ ଦୁର୍ବୃତ୍ତ ସଲିମ୍ ଉପରେ ଆକ୍ରମଣ କରି ଛୁରାମାଡ଼ କରିଥିବାବେଳେ ଏବେ ସଲିମ୍ର ପୁରୁଣା ଅପରାଧ ମାମଲା ସାମ୍ନାକୁ ଆସିଛି । ସଲିମ୍ ନିଜ ପରିଚୟ ଗୋପନ ରଖି ଗାଜିଆବାଦର ଲୋନି ଅଞ୍ଚଳରେ ୨୦୧୦ ମସିହାରୁ ରହିଆସୁଥିଲା । ତେବେ ପୁଲିସ ସୂଚନା ଆଧାରରେ ସଲିମ୍ର ପୁରୁଣା ରେକର୍ଡ଼, ଫିଙ୍ଗରପ୍ରିଣ୍ଟ ଓ ଫଟୋଗ୍ରାଫ୍ ଯାଞ୍ଚ କରି ତାକୁ ଗିରଫ କରିଛି ।

ସୂଚନାଯୋଗ୍ୟ, ୧୯୯୫ ମସିହା ଜାନୁଆରି ୨୦ ତାରିଖରେ ଦିଲ୍ଲୀର ସିମେଣ୍ଟ ବ୍ୟବସାୟୀଙ୍କ ୧୩ ବର୍ଷ ପୁଅ ସନ୍ଦୀପ ବଂଶଲ ସ୍କୁଲ ଯାଇ ଆଉ ଫେରିନଥିଲା । ପରିବାର ପକ୍ଷରୁ ବହୁ ଖୋଜାଖୋଜି କରିବା ପରେ ବି ପୁଅର ସନ୍ଧାନ ମିଳିନଥିଲା । ପରଦିନ ତାଙ୍କ ଘରକୁ ଫୋନ ଆସିଥିଲା ଯେ, ପୁଅର ଅପହରଣ କରାଯାଇଛି, ୩୦,୦୦୦ ଟଙ୍କା ଦେଲେ ପୁଅକୁ ସୁରକ୍ଷିତ ପାଇବ ବୋଲି ଅପହରଣକାରୀ କହିଥିଲେ । ପୁଲିସକୁ ସୂଚନା ଦେଲେ ପୁଅକୁ ହତ୍ୟା କରାଯିବ ବୋଲି ଧମକ ଦିଆଯାଇଥିଲା । ତେବେ ପରିବାର ପକ୍ଷରୁ ପୁଲିସକୁ ଖବର ଦିଆଯାଇଥିଲା ଓ ଗୋକୁଲପୁରୀ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ତଦନ୍ତ ବେଳେ ବ୍ୟବସାୟୀଙ୍କ ପଡ଼ୋଶୀ ପିଲାକୁ ଏକ ସ୍କୁଲର ମାର୍ଶଲ ଆର୍ଟ ପ୍ରଶିକ୍ଷକ ସଲିମ ସହିତ ଦେଖିଥିବା ସୂଚନା ଦେଇଥିଲେ । ପୁଲିସ ସଲିମକୁ ଧରି ଜେରା କରିବା ପରେ ସେ ଓ ଅନିଲ ନାମକ ଅନ୍ୟ ଜଣେ ବ୍ୟକ୍ତି ଏହି ଅପହରଣ ଷଡ଼ଯନ୍ତ୍ର ଓ ହତ୍ୟାକାଣ୍ଡ ପଛରେ ଥିବା ସ୍ବୀକାର କରିଥିଲେ । ନାବାଳକଙ୍କ ମୃତଦେହ ମୁସ୍ତାଫାବାଦର ଏକ ଡ୍ରେନ୍ରୁ ଉଦ୍ଧାର କରାଯାଇଥିଲା। ଉଭୟ ସଲିମ୍ ଓ ଅନିଲକୁ ଗିରଫ କରାଯାଇଥିଲା । ୧୯୯୭ ମସିହାରେ କାର୍କୋର୍ଡୁମା କୋର୍ଟ ସଲିମ୍ ଖାନ୍ ଓରଫ୍ ସଲିଫ ୱାସ୍ତିକକୁ ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ । ସଲିମ୍କୁ ୨୦୦୦ ମସିହା ନଭେମ୍ବର ୨୪ ତାରିଖରେ ଜାମିନ୍ ମିଳିବା ପରେ ସେ ଜେଲ୍ରୁ ବାହାରି ଫେରାର୍ ହୋଇଯାଇଥିଲା ଓ ଆଉ ଫେରି ନଥିଲା । ୨୦୧୧ରେ ଦିଲ୍ଲୀ ହାଇକୋର୍ଟ ତା’ର ଦଣ୍ଡ ବଳବତ୍ତର ରଖିଥିଲେ । ସଲିମ୍ ନିଜକୁ ମୃତକ ଘୋଷଣା କରି ନୂଆ ପରିଚୟରେ ଏତେ ବର୍ଷ ହେଲା ରହିଆସୁଥିଲା ।






