AK ଅଭିଯୁକ୍ତମାନେ ବାଡ଼ି ସହ ଲାତ ଗୋଇଠା ମାରିଥିଲେ । ଆଉ ସହ୍ୟ କରିପାରିନଥିଲେ ସୁଧୀର । ଶେଷରେ କହିଥିଲେ ଆଉ ମାରନାହିଁ ମୋତେ, ଗୁଳି କରିଦିଅ । ଏପରିକି ମଦ୍ୟପାନ କରି ଅଭିଯୁକ୍ତମାନେ ସୁଧୀରଙ୍କୁ ମାଡ଼ ମାରୁଥିବା ବେଳେ ତାଙ୍କର ମୃତ୍ୟୁ ହେବା ପରେ ମଧ୍ୟ ଆକ୍ରମଣ କରିଚାଲିଥିଲେ । ବ୍ୟବସାୟୀ ସୁଧୀରଙ୍କୁ ହତ୍ୟା କରିବା ପାଇଁ କରାଯାଇନଥିଲା ଅପହରଣ ବରଂ ମାଡ଼ ମାରୁ ମାରୁ ସୁଧୀରଙ୍କ ଜୀବନ ଯାଇଛି । ୫ଅଭିଯୁକ୍ତଙ୍କୁ ନେଇ ୩ଦିନିଆ ରିମାଣ୍ଡରେ ଜେରା ଓ କ୍ରାଇମସିନ୍ ରିକ୍ରିଏସନ୍ ପରେ ଏଭଳି କିଛି ସଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଛି ।

ବ୍ୟବସାୟୀ ସୁଧୀର ପାତ୍ର ହତ୍ୟା ମାମଲାରେ ଦିନକୁ ଦିନ ଆସୁଛି ସାଂଘାତିକ ତଥ୍ୟ। ୫ ଅଭିଯୁକ୍ତଙ୍କୁ ତିନିଦିନିଆ ରିମାଣ୍ଡରେ ଆଣି ପଚରାଉଚୁରା କରିବା ସମୟରେ ଅଭିଯୁକ୍ତମାନେ ଏଭଳି ବୟାନ ଦେଇଛନ୍ତି । ଅପହରଣ ପରେ ଅଭିଯୁକ୍ତମାନେ ସୁଧୀରଙ୍କୁ ବୁଗୁଡ଼ାର ରାମପାଦ ଜଙ୍ଗଲକୁ ନେଇ ଅକଥନୀୟ ନିର୍ଯାତନା ଦେଇଥିଲେ। ତାଙ୍କୁ ତଳେ ପକାଇ ବାଡ଼ି, ଲାତ ଓ ଗୋଇଠାରେ ମାରିବା ସମୟରେ ହିଁ ସୁଧୀରଙ୍କ ମୃତ୍ୟୁ ହୋଇଥିଲା । ରାତି ପ୍ରାୟ ସାଢ଼େ ୧୨ଟାରୁ ଭୋର୍ ପ୍ରାୟ ୩ଟା ପର୍ଯ୍ୟନ୍ତ ସୁଧୀରକୁ ମାଡ଼ ମାରି ଚାଲିଥିଲେ ଅଭିଯୁକ୍ତ। ସୁଧୀରଙ୍କ ମୃତ୍ୟୁ ପରେ ବି ମଦ ନିଶାରେ ଚୁର୍ ଅଭିଯୁକ୍ତମାନେ ଛାଡ଼ିନଥିଲେ। ତାଙ୍କୁ ମାଡ଼ ମାରି ଚାଲିଥିଲେ। ଏଭଳି କିଛି ସାଂଘାତିକ ତଥ୍ୟ ପୁଲିସ ନିକଟରେ ଅଭିଯୁକ୍ତମାନେ କହିଛନ୍ତି ।
କେବଳ ଏତିକି ନୁହେଁ ବରଂ ରିମାଣ୍ଡ ସମୟରେ ଆଉ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ପୁଲିସ ପାଇଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ତଥା ସୁରଟର ସାର୍ପସୁଟର ସୂର୍ଯ୍ୟପ୍ରତାପ ସିଂ କହିଛି ହତ୍ୟାକାଣ୍ଡରେ ଗୋଟିଏ ବନ୍ଧୁକ ନୁହେଁ ବରଂ ତିନୋଟି ବନ୍ଧୁକ ବ୍ୟବହାର ହୋଇଥିଲା । ପୁଲିସ ଗୋଟିଏ ବନ୍ଧୁକ ପାଇଛି। ଆଉ ଦୁଇଟି ବନ୍ଧୁକ ମଧ୍ୟ ବ୍ୟବହାର କରିବା ପରେ ତାହାକୁ ବାଘୁଆ ଡ୍ୟାମରେ ପକାଇ ଦିଆଯାଇଥିଲା । ସେହିପରି ଏହି ମାମଲାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଥିବା ଅଭିଯୁକ୍ତମାନେ କହିଛନ୍ତି । ଅପରପକ୍ଷରେ ଏବେ ସୁଦ୍ଧା ହତ୍ୟାକାଣ୍ଡରେ କାରଣ ସ୍ପଷ୍ଟ ହୋଇନାହିଁ । ସମ୍ପତ୍ତି ଭାଗବଣ୍ଟାକୁ ନେଇ ହତ୍ୟା ହୋଇଛି ବୋଲି ପୁଲିସ କହୁଥିବା ବେଳେ ସୁଧୀରଙ୍କ ଝିଆରୀ ତଥା ହତ୍ୟାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ନିବେଦିତାଙ୍କ ବିବାହ ପ୍ରସ୍ତାବକୁ କେନ୍ଦ୍ରକରି ହତ୍ୟାକାଣ୍ଡ ହୋଇଥିବା ସୁଧୀରଙ୍କ ତାଙ୍କ ବାପା ଅଭିଯୋଗ କରିଛନ୍ତି ।






