AK ଆମ ଆଦମୀ ପାର୍ଟିର ବିଦ୍ରୋହୀ ରାଜ୍ୟସଭା ସାଂସଦ ସନ୍ଦୀପ ପାଠକଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ପଞ୍ଜାବରେ ତାଙ୍କ ବିରୋଧରେ ଦୁଇଟି ଅଣ-ଜାମିନଯୋଗ୍ୟ ମାମଲା ରୁଜୁ ହେବା ପରେ ଶନିବାର ସେ ନିଜ ଦିଲ୍ଲୀ ସ୍ଥିତ ସରକାରୀ ବାସଭବନ ଛାଡ଼ି ଏକ ଅଜ୍ଞାତ ସ୍ଥାନକୁ ଚାଲିଯାଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ, ବାସଭବନ ବାହାରେ ସୁରକ୍ଷା ବଢ଼ାଯାଇଥିବା ବେଳେ ସନ୍ଦୀପ ପଛ ପଟ ଦ୍ୱାର ଦେଇ ଚୋରା ପଥରେ କାରରେ ବସି ବାହାରି ଯାଉଛନ୍ତି। ବର୍ତ୍ତମାନ ତାଙ୍କ ଫୋନ୍ ସୁଇଚ୍ ଅଫ୍ ଥିବା ବେଳେ ବିଜେପିର ଆଇନଗତ ସେଲ୍ ତାଙ୍କୁ ଆଶ୍ୱସ୍ତି ଦେବା ପାଇଁ ପ୍ରୟାସ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ଗତ ଏପ୍ରିଲ ୨୪ ତାରିଖରେ ରାଘବ ଚଢ଼ା, ସନ୍ଦୀପ ପାଠକ ଓ ହରଭଜନ ସିଂହଙ୍କ ସମେତ ୭ ଜଣ ରାଜ୍ୟସଭା ସାଂସଦ ‘ଆପ୍’ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଦଳ ନିଜ ନୀତି ଓ ଆଦର୍ଶରୁ ଓହରି ଯାଇଥିବା ଅଭିଯୋଗ କରି ସେମାନେ ଏହି ନିଷ୍ପତ୍ତି ନେଇଥିଲେ। ତେବେ ୧୦ ଜଣଙ୍କ ମଧ୍ୟରୁ ୭ ଜଣ (ଦୁଇ-ତୃତୀୟାଂଶ) ସାଂସଦ ଏକାଠି ଦଳ ଛାଡ଼ିଥିବାରୁ, ସେମାନଙ୍କ ଉପରେ ‘ଦଳବଦଳ ବିରୋଧୀ ଆଇନ’ ଲାଗୁ ହେବାର ସମ୍ଭାବନା କମ୍ ରହିଛି।

ଏହି ଘଟଣାକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏହି ଦଳବଦଳକୁ ‘ଅବୈଧ’ ଏବଂ ‘ଲୋକଙ୍କ ସହ ବିଶ୍ୱାସଘାତକତା’ ବୋଲି ଦର୍ଶାଇ ସେ ଆସନ୍ତା ମେ’ ୫ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିବାକୁ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ, ସାଂସଦମାନଙ୍କ ବିଦ୍ରୋହ ପରେ ମଧ୍ୟ ଭଗୱନ୍ତ ମାନ ପଞ୍ଜାବ ବିଧାନସଭାରେ ନିଜର ବହୁମତ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି। ୧୧୭ ଆସନ ବିଶିଷ୍ଟ ଗୃହରେ ୯୪ ଜଣ ବିଧାୟକଙ୍କ ସହ ଆମ ଆଦମୀ ପାର୍ଟି ଏବେ ମଧ୍ୟ ସୁଦୃଢ଼ ସ୍ଥିତିରେ ରହିଛି। ୨୦୨୭ ନିର୍ବାଚନରେ ଜନତା ଏହାର ଉଚିତ ଜବାବ ଦେବେ ବୋଲି ମୁଖ୍ୟମନ୍ତ୍ରୀ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।






