AK ଜବତ ଗାଡ଼ିକୁ ବ୍ୟକ୍ତିଗତ କାମରେ ଲଗାଉଛି ବନବିଭାଗ । କୋରାପୁଟ ବୈପାରିଗୁଡ଼ାରୁ ଆସିଲା ରୋଚକ ଖବର । ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ଗୁପ୍ତେଶ୍ୱର ବନାଞ୍ଚଳ କାର୍ଯ୍ୟାଳୟ ଅଧିନସ୍ଥ ଗୁପ୍ତେଶ୍ୱର ବନବିଭାଗ ଜବତ ଗାଡ଼ିକୁ ନିଜର ଭାବି ବିଭିନ୍ନ କାମରେ ନିୟୋଜିତ କରୁଛି ।

ଗତ ୨୦୨୨ ମସିହା ମେ ମାସ ୫ ତାରିଖରେ ପଣସପୁଟ ନିକଟରୁ ମାଲକାନଗିରି ଜିଲ୍ଲାକୁ ବେଆଇନ ଭାବେ କେନ୍ଦୁ ପତ୍ର ଚାଲାଣ କରୁଥିବାବେଳେ ଗୁପ୍ତେଶ୍ୱର ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଏକ ପିକଅପ୍ ଭ୍ୟାନ୍ ଜବତ କରାଯାଇଥିଲା । ଜବତ ଗାଡ଼ି କିଛି ଦିନ ବନ ବିଭାଗର ପରିସର ମଧ୍ୟରେ ରହିବା ପରେ ଏବେ ସେ ଗାଡ଼ିକୁ ନିଜର ଭାବି ବିଭିନ୍ନ କାମରେ ନିୟୋଜିତ କରାଯାଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଜବତ ଗାଡ଼ି ଦ୍ୱାରା କାଠ ଆଣିବା, ଅଫିସ୍ ପାଇଁ ବିଭିନ୍ନ ଜିନିଷ ଯେପରି, ଗଛ, ଖତ, ସିମେଣ୍ଟ ଆଦି ଆଣିବା କାମରେ ଲଗାଯାଉଛି । ଏନେଇ ବନ ଗୁପ୍ତେଶ୍ୱର ବନାଞ୍ଚଳ ଅଧିକାରୀ ଛବି ରନ୍ଧାରୀଙ୍କୁ ପଚରା ଯିବାରୁ ଏସଂପର୍କରେ କିଛି ମୁହଁ ଖୋଲି ନଥିଲେ । ସେପଟେ ଜବତ ଗାଡ଼ିକୁ ବିଭାଗୀୟ ଅଧିକାରୀମାନେ ବ୍ୟବହାର କରିବା ବେଆଇନ । ଏହାର ତଦନ୍ତ କରି ଉଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଜୟପୁର ଡିଏଫଓ ।






