AK ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅତି ବିଶ୍ୱସ୍ତ ସହଯୋଗୀ ତଥା ତାଙ୍କ ବ୍ୟକ୍ତିଗତ ସଚିବ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଏବେ ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରେ ଘଟିଥିବା ଏହି ହତ୍ୟାକାଣ୍ଡ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କରିଛି କହିଲେ କିଛି ଭୁଲ୍ ହେବନି । ପଶ୍ଚିମବଙ୍ଗର ନୂଆ ସରକାର ଗଠନ ପୂର୍ବରୁ ରାଜ୍ୟରେ ଏକ ସାଂଘାତିକ ହତ୍ୟାକାଣ୍ଡ ରାଜନୈତିକ ବାତାବରଣକୁ ଗରମ କରିଦେଇଛି ।

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଅତି ବିଶ୍ୱସ୍ତ ସହଯୋଗୀ ତଥା ତାଙ୍କ ବ୍ୟକ୍ତିଗତ ସଚିବ ଚନ୍ଦ୍ରନାଥ ରଥଙ୍କୁ ଗୁଳି କରି ନିର୍ମମ ଭାବେ ହତ୍ୟା କରାଯାଇଛି । ଏହି ଘଟଣା ଏବେ ପୂରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ବୁଧବାର ବିଳମ୍ବିତ ରାତିରେ ଉତ୍ତର ୨୪ ପ୍ରଗଣାରେ ଘଟିଥିବା ଏହି ହତ୍ୟାକାଣ୍ଡ ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ ସୃଷ୍ଟି କରିଛି କହିଲେ କିଛି ଭୁଲ୍ ହେବନି । ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଦୁର୍ବୃତ୍ତମାନେ ପ୍ରଥମେ ଚନ୍ଦ୍ରନାଥଙ୍କ କାର୍କୁ ପିଛା କରିଥିଲେ । ଏହାପରେ ଏକ କାର୍ ସାହାଯ୍ୟରେ ତାଙ୍କ ଗାଡ଼ିକୁ ଆଗରୁ ଅଟକାଇଥିଲେ । ସୁଯୋଗ ଦେଖି ବାଇକ୍ରେ ଆସିଥିବା ଦୁର୍ବୃତ୍ତମାନେ ଅତି ନିକଟରୁ ତାଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଥିଲେ । ହତ୍ୟାକାରୀମାନେ ବାଂଲାଦେଶ ସୀମା ଅଭିମୁଖେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଚନ୍ଦ୍ରନାଥ ରଥ କେବଳ ଜଣେ କର୍ମଚାରୀ ନଥିଲେ ବରଂ ଶୁଭେନ୍ଦୁ ଅଧିକାରୀଙ୍କ ରାଜନୈତିକ ରଣନୀତିର ଜଣେ ମୁଖ୍ୟ କାର୍ପଟଦାର ଥିଲେ । ବାୟୁସେନାରୁ ଅବସର ନେବା ପରେ ସେ କିଛି ଦିନ କର୍ପୋରେଟ୍ ଜଗତରେ କାମ କରିଥିଲେ ଏବଂ ୨୦୧୯ ମସିହାରୁ ସେ ଶୁଭେନ୍ଦୁଙ୍କ ମୁଖ୍ୟ ଟିମ୍ରେ ସାମିଲ ହୋଇଥିଲେ
। ସମ୍ବେଦନଶୀଳ ରାଜନୈତିକ କାର୍ଯ୍ୟ, ନିର୍ବାଚନ ପ୍ରଚାର ପରିଚାଳନା ଏବଂ ସଂଗଠନର ଗୁପ୍ତ ରଣନୀତି ପ୍ରସ୍ତୁତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହୁଥିଲା । ଚନ୍ଦ୍ରନାଥଙ୍କ ପରିବାର ପୂର୍ବରୁ ଟିଏମସି ସହ ଜଡ଼ିତ ଥିଲା । ତାଙ୍କ ମା’ ହସି ରଥ ପଞ୍ଚାୟତ ପ୍ରତିନିଧି ମଧ୍ୟ ଥିଲେ । ମାତ୍ର ୨୦୨୦ରେ ଶୁଭେନ୍ଦୁଙ୍କ ସହ ସେମାନେ ବିଜେପିରେ ସାମିଲ ହୋଇଥିଲେ । ତେବେ ଶୁଭେନ୍ଦୁଙ୍କ ଗୋଷ୍ଠୀ ମଧ୍ୟରେ ଏହି ହତ୍ୟାକାଣ୍ଡକୁ ନେଇ ଗଭୀର ଶୋକ ପ୍ରକାଶ ପାଇବା ସହ ଆକ୍ରୋଶ ଦେଖିବାକୁ ମିଳିଛି । ବିଜେପି ଶିବିରରେ ଚନ୍ଦ୍ରନାଥଙ୍କୁ ଜଣେ ଉଦୀୟମାନ ସାଂଗଠନିକ ଚେହେରା ଭାବେ ଗଣାଯାଉଥିଲା । ଖାସ୍ କରି ଭବାନୀପୁର ଭଳି ହାଇ-ପ୍ରୋଫାଇଲ୍ ଲଢ଼େଇରେ ତାଙ୍କର ସକ୍ରିୟତା ଅନେକଙ୍କ ନଜରରେ ଥିଲା । ହତ୍ୟାକାଣ୍ଡ ଘଟିଥିବା ସ୍ଥାନରୁ ବାଂଲାଦେଶ ସୀମା ମାତ୍ର ୨ ଘଣ୍ଟାର ବାଟ । ଏଭଳି ସ୍ଥିତିରେ ଅପରାଧୀମାନେ ସୀମା ପାର୍ ହୋଇଯିବା ଆଶଙ୍କା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ବର୍ତ୍ତମାନ ପରିସ୍ଥିତିରେ ଏହି ହତ୍ୟାକାଣ୍ଡ ପଶ୍ଚିମବଙ୍ଗର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ପୁଣି ଥରେ ତର୍କ ଆରମ୍ଭ କରିଦେଇଛି । ଏବେ ଦେଖିବାକୁ ବାକି ରହିଲା ଏହି ମାମଲାରେ ପୁଲିସ କେବେ ସଫଳତା ପାଉଛି ଏବଂ ଶୁଭେନ୍ଦୁ ଅଧିକାରୀ ଏହାର କିଭଳି ଜବାବ ଦେଉଛନ୍ତି ।






