AK ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅନ୍ତର୍ଗତ ଗୁଲୁଣ୍ଡା–ସିଲାଟି ରାସ୍ତା କଡ଼ରେ ଥିବା ଏକ ବରଗଛ ଡାଳରୁ ଜଣେ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଥିବା ଘଟଣା ଅଞ୍ଚଳରେ ଚଞ୍ଚଳତା ସୃଷ୍ଟି କରିଛି। ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ଘଟଣା ହୋଇଥିବା ଅନୁମାନ କରାଯାଉଛି।ଘଟଣାସ୍ଥଳରୁ ଏକ ବ୍ୟାଗ୍ ଓ ଉଭୟଙ୍କ ଚପଲ ଜବତ କରିଛି ବିନିକା ପୋଲିସ।


ଖବର ପାଇ ତୁରନ୍ତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଥିବା ବେଳେ ମିଳିଥିବା ସମସ୍ତ ଜିନିଷକୁ ଜବତ କରି ତଦନ୍ତ ଆରମ୍ଭ କରିଛି।ମୃତ ଯୁବକଙ୍କ ଭାଇଙ୍କ କହିବା ଅନୁସାରେ, ଉଭୟ ପରସ୍ପରକୁ ଭଲ ପାଉଥିଲେ। ପାଞ୍ଚ ମାସ ପୂର୍ବରୁ ସେମାନେ ତାମିଲନାଡୁକୁ ପଳାଇ ଯାଇଥିଲେ। ଗତ ରାତିରେ ସେଠାରୁ ଫେରିବା ପରେ ଯୁବକ ଜଣକ ତାଙ୍କ ଭାଇଙ୍କୁ ଫୋନ କରି ସମ୍ପର୍କକୁ ସ୍ୱୀକୃତି ଦେବାକୁ ଅନୁରୋଧ କରିଥିଲେ। ପରିବାର ପକ୍ଷରୁ ସେମାନଙ୍କୁ କିଛି ସମୟ ଅଲଗା ରହିବାକୁ କହାଯାଇଥିବା ସହ ଝିଅର ବୟସ ପୂରଣ ହେଲେ ବିବାହ କରାଇ ଦିଆଯିବ ବୋଲି କୁହାଯାଇଥିବା ସୂଚନା ମିଳିଛି।ଅନ୍ୟପଟେ ମୃତ ଯୁବତୀଙ୍କ ବୟସ ପ୍ରାୟ ୧୫ରୁ ୧୭ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ଯୁବତୀଙ୍କ ଅଜାଙ୍କ କହିବା ଅନୁସାରେ, ରାତି ପ୍ରାୟ ୨ଟା ସମୟରେ ଯୁବକ ଜଣକ ଝିଅକୁ ଘରେ ଛାଡ଼ି ଯାଇଥିଲେ। ହେଲେ ରାତି ଅଧିକ ହୋଇଥିବାରୁ ସକାଳେ ଆଲୋଚନା କରି ସମାଧାନ କରାଯିବ ବୋଲି କହି ସେମାନଙ୍କୁ ସେଠାରୁ ପଠାଇ ଦିଆଯାଇଥିଲା।ପ୍ରେମ ସମ୍ପର୍କକୁ ସ୍ୱୀକୃତି ମିଳିନଥିବାରୁ ପ୍ରେମୀ ଯୁଗଳ ଏଭଳି ଚରମ ପଦକ୍ଷେପ ନେଇଥିବା ଅନୁମାନ କରାଯାଉଛି। ତେବେ ପ୍ରକୃତ କାରଣ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।
ବଲାଙ୍ଗୀରରୁ ଆସିଥିବା ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ବିନିକା ପୋଲିସ ମଧ୍ୟ ଆହୁରି ତଦନ୍ତ ଜାରି ରଖିଛି ।
ବୀରମହାରାଜପୁର ବ୍ଲକ ରୁ ଯୁଧିଷ୍ଠିର ଖମାରୀ ଙ୍କ ରିପୋର୍ଟ ଆପଣଙ୍କ ଖବର






