(ଏ.କେ. ବ୍ୟୁରୋ) ଫେରିବାଲା ଡାକିବା ପରି ଝରକା ସେପଟେ ଡାକୁଥିଲା ଶ୍ରାବଣର ବର୍ଷା। ଘରେ ଏକୁଟିଆ ଥିବା ବେଳେ ବର୍ଷାର ଆହ୍ୱାନକୁ କେବେ ବି ଏଡ଼ାଇ ପାରନ୍ତିନି ମିସେସ୍ ପଟ୍ଟନାୟକ। ବର୍ଷା ତାଙ୍କୁ ଅଧିକରୁ ଅଧିକ ଅତୀତମନସ୍କ କରିପକାଏ। ଫେରିବାଲା ଡାକିବା ପରି ଝରକା ସେପଟେ ଡାକୁଥିଲା ଶ୍ରାବଣର ବର୍ଷା। ଘରେ ଏକୁଟିଆ ଥିବା ବେଳେ ବର୍ଷାର ଆହ୍ୱାନକୁ କେବେ ବି ଏଡ଼ାଇ ପାରନ୍ତିନି ମିସେସ୍ ପଟ୍ଟନାୟକ। ବର୍ଷା ତାଙ୍କୁ ଅଧିକରୁ ଅଧିକ ଅତୀତମନସ୍କ କରିପକାଏ ଓ ଠିକ୍ ସେତିକିବେଳେ ସ୍ମୃତିର ବର୍ଷାଟୋପାରେ ଗୋଟାପଣେ ଭିଜିଯାଆନ୍ତି ସେ। ଆଲମିରା ଭିତରର ଗୁପ୍ତ ଥାକରୁ କାଢ଼ି ଆଣିଲେ ତାଙ୍କର ଅତି ପ୍ରିୟ ହାତବ୍ୟାଗ୍ଟିକୁ ମିସେସ୍ ପଟ୍ଟନାୟକ। ତା ଭିତରୁ ଗୋଟି ଗୋଟି କରି କାଢ଼ିଲେ ତାଙ୍କ ଅତିତକୁ । କୋଡ଼ିଏ ବର୍ଷ ତଳର ପୁରୁଣା ଚିଠି। ଗୋଟେ ରଙ୍ଗଛଡ଼ା ଫଟୋ ଓ ମେଞ୍ଚାଏ ବର୍ଷାଭିଜା ମିଠା ସ୍ମୃତି। ଆଦରରେ ଛୁଇଁଲେ ସେସବୁକୁ। ମନଭରି ଦେଖିଲେ ଫଟୋକୁ। ପଢ଼ିଲେ ଚିଠି ସବୁକୁ। କେଇ ଟୋପା ଲୁହ ନିଗିଡ଼ି ପଡ଼ିଲା ତାଙ୍କ ଆଖିରୁ। ତା’ପରେ ଉଠିଗଲେ ଝରକା ପାଖକୁ।

ଲୁହ ଟଳମଳ ଆଖିରେ ଚାହିଁଲେ ଶ୍ରାବଣର ବର୍ଷାକୁ। ସୀମା ସହିତ ସମୀରର ପ୍ରଥମ ଦେଖା ହୋଇଥିଲା, ଯେତେବେଳେ ଆକାଶରେ ମେଘର ହାଟ ବସିଥିଲା। କଳାହାଣ୍ଡିଆ ମେଘଖଣ୍ଡ ସବୁ ଆକାଶରେ ଗୋଡ଼ାଉଥିଲେ ପରସ୍ପରକୁ। ଟପଟପ ହୋଇ ଝରିପଡୁଥିଲା ମାଛକାତି ରଙ୍ଗର ବର୍ଷା ଟୋପା। ସେତେବେଳେ ସୀମା ଆଖିରେ ସମୀର ଦେଖିଥିଲା ଅସହାୟତାର ମେଘଖଣ୍ଡ। ବର୍ଷା ଟୋପା ହୋଇ ଝରିବ ଝରିବ ହେଉଥିଲା ଯେମିତି ସେହି ମେଘ। ବିନା ଛତାରେ ବାହାରକୁ ଆସିଥିବା ଏକୁଟିଆ ଝିଅଟି ହଠାତ୍ ବଜାର ମଝିରେ ବର୍ଷାକୁ ଭେଟିଲେ ତା ଆଖିରୁ ଅସହାୟତା ତ ବର୍ଷା ହୋଇ ଝରିବ ହିଁ ଝରିବ। ସୀମାକୁ ଦେଖିଦେବା ପରେ ସମୀର ଆଖିରେ ସେତେବେଳେ ଚକଚକ କରୁଥିଲା ସକାଳର ସୂର୍ଯ୍ୟ। ସତେଯେମିତି ସମୀରର ଅନ୍ଧାରୁଆ ଜୀବନ ଭିତରକୁ ପଶିଆସିଲା ଖଣ୍ଡେ ଆଲୋକିତ ଉଲ୍କା। ସୀମାର ସିଲ୍କ ସାଲୱାର କାମିଜଟା ଅଧା ଓଦା ହୋଇସାରିଥିଲା ସେତେବେଳକୁ। ସେ ବୁଡ଼ିଯାଉଥିଲା ଲାଜରେ। ବର୍ଷା ତାକୁ ଓଦା କରିଦେଇ ଆହୁରି ଭିଜେଇ ଦେଉଥିଲା ଲାଜରେ।
ବର୍ଷା କ’ଣ ଏକା ଆସେ! ବର୍ଷା ସାଥିରେ ଆଣେ ଚିକମିକ ଆଲୁଅ ଓ ଶବ୍ଦର ରୋଶଣି। ଆକାଶର ଛାତିରେ ଆଙ୍କି ହୋଇଯାଉଥିଲା ଚିକମିକ୍ ବିଜୁଳିର କ୍ଷଣସ୍ଥାୟୀ ରେଖା ଓ ଛାତି ଥରେଇ ଦେଉଥିଲା ଢୁ ଢୁ ଘଡ଼ଘଡ଼ି। ସୀମା ଆଖିରେ ପହଁରୁଥିଲା ଭୟ ଓ ସମୀର ଆଖିରେ ଲହଡ଼ି ଭାଙ୍ଗୁଥିଲା ଖୁସି, ସୀମାର ଉପସ୍ଥିତିରେ। ବାଟଚଲା ଲୋକମାନେ ବର୍ଷାରୁ ବଞ୍ଚିବା ପାଇଁ ମୁଣ୍ଡ ଗୁଞ୍ଜି ଦେଇଥିଲେ ଆଖପାଖ ଦୋକାନରେ। ସୀମା କିନ୍ତୁ ଉଠି ଯାଇପାରୁନଥିଲା କେଉଁ ଦୋକାନର ବାରଣ୍ଡା ଉପରକୁ। କାରଣ ଥିଲା, ଓଦା ହୋଇ ସାରିଥିବା ତାର ସିଲ୍କ ସାଲୱାର ଓ ଲୋକମାନଙ୍କର ଦୁଷ୍ଟ ଆଖିରୁ ଛୁଟି ଆସୁଥିବା ଶାଣିତ ତୀର, ଯାହା ଭେଦ କରିବାକୁ ଚାହୁଁଥିଲା ତାର ଦେହକୁ। ସୀମା ପହଞ୍ଚି ଯାଇଥିଲା ସମୀରର ପାଖାପାଖି। ସମୀର ପାଖରେ ଛତା ଥିବାରୁ ସେ ରାସ୍ତାରେ ଚାଲୁଥିଲା ବେଫିକର୍। ହଠାତ୍ ଗୋଟେ ଘଡ଼ଘଡ଼ିର ଗର୍ଜନରେ ସୀମା ପଶିଆସିଲା ସମୀରର ଛତା ଭିତରକୁ। ସମୀର ବି ଠିକ୍ ସେହି ସମୟରେ ସୀମା ଆଡ଼କୁ ଛତା ଦେଖେଇ ଆଖିରେ ଇସାରା କରିଥିଲା ତାକୁ ଛତା ଭିତରକୁ ଆସିବା ପାଇଁ।
ଏସବୁ ଘଟି ଯାଇଥିଲା ସେତିକି ସମୟ ଭିତରେ ଯେତିକି ସମୟରେ ବିଜୁଳି ଓ ଘଡ଼ଘଡ଼ି ଆସି ପୁଣି ମିଳେଇ ଯାଇଥିଲା ଆକାଶରେ। ସୀମା ଓ ସମୀର ଚାଲୁଥିଲେ ଗୋଟିଏ ଛତା ତଳେ, ଗୋଟେ ବର୍ଷାଭିଜା ଅପରାହ୍ଣରେ। କୁଆଡ଼େ ଯାଉଥିଲେ କେହି ଜାଣିନଥିଲେ। ଟିକିଏ ପୂର୍ବରୁ ବିବ୍ରତ ଥିବା ସୀମାର ଚାଲିରୁ ଜଣାଯାଉଥିଲା, ସେ ଆଉ ଜମା ବ୍ୟସ୍ତ ନଥିଲା। ସମୀର ତ ଆଦୌ ବି ବ୍ୟସ୍ତ ନଥିଲା ଆଗକୁ ଯିବାକୁ। ସୀମା ଦେହର ପରଫ୍ୟୁମର ବାସ୍ନା ସମୀର ନାକ ବାଟ ଦେଇ ପବନରେ ମିଶିବା ପୂର୍ବରୁ ଯଥାସମ୍ଭବ ଶୋଷି ନେଉଥିଲା ସମୀର। ଏମିତି ଏକ ଐଶ୍ୱରିକ ରଚନାକୁ ଛତାର ଆବରଣ ତଳେ ଢାଙ୍କିବାକୁ ଚାହୁନଥିଲା ସମୀର। ହଠାତ୍ ବନ୍ଦ କରିଦେଲା ସେ ଛତା। ଏତେ ବଡ଼ ବଡ଼ ଆଖି କରି ସମୀରକୁ ଚାହିଁଲା ସୀମା। ସମୀର ଆଖିରେ ଝଟକୁ ଥିଲା ଚେନାଏ ହସ। ସେଥିରେ ବୋଧେ ସଂକ୍ରମିତ ହୋଇଗଲା ସୀମା। ସେ ବି ହସିଦେଲା ଅଳ୍ପ ଟିକେ। ଆକାଶରୁ ଝରୁଥିଲା ବର୍ଷା ସେମାନଙ୍କ ଉପରେ। ଗୋଟିଏ ମେଘଖଣ୍ଡର ବର୍ଷାକୁ ଭାଗ କରି ଭିଜିଲେ ସେମାନେ।
ଲୋକମାନେ ସନ୍ଦେହ ଦୃଷ୍ଟିରେ ଦେଖିବାକୁ ଆରମ୍ଭ କରୁଥିଲେ ସେହି ଦୃଶ୍ୟକୁ। ଠିକ୍ ସେତିକିବେଳେ ଟ୍ରାଫିକରେ ଗୋଲାପ ଫୁଲ ବିକୁଥିବା କିଶୋରୀଟି ବର୍ଷାରେ ଭିଜି ଭିଜି ଅତିକ୍ରମ କରୁଥିଲା ସେମାନଙ୍କୁ। ସମୀର ମେଘଖଣ୍ଡର ଖୋଲି ଧରେଇ ଦେଲା ଫୁଲବିକାଳି କିଶୋରୀଟି ହାତରେ। ତା ମୁଣ୍ଡ ଉପରେ ପଡୁଥିବା ବର୍ଷାଟୋପାକୁ ଅଟକେଇ ଦେଲା ଛତା। ଖୁସିରେ ଚମକି ଉଠିଲା କିଶୋରୀଟିର ଆଖି। ଛତାଟିକୁ ଧରି ଚାଲିଯିବା ପୂର୍ବରୁ ଫୁଲବିକାଳି କିଶୋରୀଟି ଦୁଇଟି ଗୋଲାପ ଫୁଲ ଧରେଇ ଦେଲା ସମୀର ଓ ସୀମାର ହାତରେ। ସୀମା ଯନ୍ତ୍ରବତ୍ ତା ଗୋଲାପଟିକୁ ସମୀର ହାତକୁ ବଢ଼େଇଦେଇ ବର୍ଷାରେ ଅଡୁଆ ହୋଇଯାଉଥିବା ତା ଓଢ଼ଣିକୁ ଦୁଇ ହାତ ସାହାଯ୍ୟରେ ଠିକ୍ କରିବାକୁ ଲାଗିଲା। ସମୀର ହାତରେ ଥିଲା ଦୁଇଟି ଗୋଲାପ। ସୀମା ତା ଓଢ଼ଣି ସଜାଡ଼ି ସାରିବା ପରେ ସମୀର ଦୁଇଟାଯାକ ଗୋଲାପ ଧରେଇ ଦେଲା ତା ହାତରେ। ସମୀର, ସୀମା ଓ ଦୁଇଟା ଗୋଲାପ ଭିଜୁଥିଲେ ବର୍ଷାରେ। ସେହିଦିନଠାରୁ ସମୀର ଓ ସୀମା ସାଥି ହୋଇ ଅନେକ ଥର ବର୍ଷାରେ ଭିଜିଲେ ଓ ପରସ୍ପରଙ୍କ ପ୍ରେମରେ ବି।
ବର୍ଷା ଆସେ ଓ ସରିଯାଏ।
କିନ୍ତୁ ସତରେ କ’ଣ ବର୍ଷା ସରିଯାଏ? ବର୍ଷା ତ ଯୁଗ ଯୁଗ ଯାଏ ସାଇତା ହୋଇଥାଏ ଆକାଶର ଛାତିରେ। ସେମିତି ପ୍ରେମ ହୁଏ, ପୁଣି ମରିଯାଏ। କିନ୍ତୁ ସତରେ କ’ଣ ପ୍ରେମ ମରିଯାଏ? ପ୍ରେମ ତ ଯୁଗ ଯୁଗ ଯାଏ ବଞ୍ଚିଥାଏ ଛାତି ଭିତରେ। ଟିକିଏ ବର୍ଷା ପାଣିରେ ତାହା ପୁଣି ସ୍ମୃତି ହୋଇ ଗଜୁରି ଉଠେ। ଦୀର୍ଘ ଆଠବର୍ଷର ପ୍ରେମ ପରେ ପରିସ୍ଥିତିର ଚାପରେ ଓ ଘର ଲୋକଙ୍କ ଇଚ୍ଛା ଅନୁସାରେ ସୀମା ଆଉ କାହାକୁ ବାହା ହୋଇଯିବା ପୂର୍ବରୁ ସମୀର ଓ ସୀମାର ଶେଷ ଦେଖା ହୋଇଥିଲା ସେମିତି ଏକ ବର୍ଷାଭିଜା ଅପରାହ୍ଣରେ। ଦୁଃଖରେ ଜଡ଼ସଡ଼ ହୋଇଯାଇଥିଲା ସମୀର। ସୀମା ବହୁତ ବୁଝାଇଲା ସମୀରକୁ ନ କାନ୍ଦିବାକୁ। ସମୀର କେବଳ ଧୀରେ ବନ୍ଦ କରିଦେଇଥିଲା ତା ମୁଣ୍ଡ ଉପରର ଛତା। ଲୁହର ବା ଜୋର୍ କେତେ, ଜାହିର୍ କରିପାରନ୍ତା ନିଜ ଉପସ୍ଥିତିକୁ ଗାଲ ବାଟ ଦେଇ ବୋହିଯାଉଥିବା ବର୍ଷା ପାଣି ଆଗରେ! ସମୀର କାନ୍ଦିନି ବୋଲି ନିଜକୁ ନିଜେ ଆଶ୍ୱାସନା ଦେଲା ସୀମା। ସମୀର ବି ଧନ୍ୟବାଦ ଦେଲା ବର୍ଷାକୁ ଲୁଚେଇ ଦେଇଥିବାରୁ ତା ଲୁହକୁ। ଶ୍ରାବଣର ବର୍ଷାକୁ ଝରକା ବାଟେ ଭୋଗୁଥିଲେ ମିସେସ୍ ପଟ୍ଟନାୟକ। ହାତ ବଢ଼େଇ ବର୍ଷା ପାଣିକୁ ଛୁଇଁ ବୁଲୁଥିଲେ ସେ ତାଙ୍କ ଅତୀତରେ। ବର୍ଷାରେ ଡାଳ ପତ୍ର ମେଲୁଥିଲା ତାଙ୍କ କୋଡ଼ିଏ ବର୍ଷ ତଳର ପ୍ରେମ। ସେ ଆଉ ବର୍ତ୍ତମାନରେ ନଥିଲେ। ଖଟ ଉପରେ ସେମିତି ପଡ଼ିଥିଲା ତାଙ୍କ ପ୍ରେମିକର ହାତଲେଖା ପୁରୁଣା ଚିଠି, ରଙ୍ଗ ଉଡ଼ିଯାଇଥିବା ଫଟୋ ଓ ଦୁଇଟା ଶୁଖିଲା ଗୋଲାପ।
ତାଙ୍କ ହାତ ପାପୁଲିରେ ନାଚୁଥିଲା ବର୍ଷା। ସେହି ସମୟରେ ଘର ଭିତରେ କାହାର ଉପସ୍ଥିତି ତାଙ୍କ ଜ୍ଞାନକୁ ଆସନ୍ତା କୁଆଡୁ! ସେ ତ ବର୍ତ୍ତମାନରେ ନାହାନ୍ତି। ତିନ୍ତୁଛନ୍ତି ଅତୀତରେ। ଡାକ୍ତର ପଟ୍ଟନାୟକ ଖଟ ଉପରେ ପଡ଼ିଥିବା ଚିଠିଗୁଡ଼ିକୁ ଦେଖିଲେ। ଶୁଖିଲା ଗୋଲାପ ଦୁଇଟିକୁ ଯତ୍ନରେ ହାତରେ ଛୁଇଁଲେ। ଭାଙ୍ଗି ପଡ଼ିଲା କେତେଟା ପାଖୁଡ଼ା। ରଙ୍ଗ ଛାଡ଼ି ଆସୁଥିବା ଫଟୋଟିକୁ ଦେଖି ଅଟକି ଗଲେ ସେ। ଆଉଥରେ ନିରିଖେଇ ଦେଖିଲେ। ଠିକ୍ ଚିହ୍ନିପାରିଲେ। ମାତ୍ର ଦିନେ ତଳେ କେତେ ଜଣ ସ୍ୱେଚ୍ଛାସେବୀଙ୍କ ସହାୟତାରେ ଜିଲ୍ଲା ଡାକ୍ତରଖାନାରୁ ତାଙ୍କ ଡାକ୍ତରଖାନାକୁ ଫରୱାର୍ଡ ହୋଇ ଆସିଥିବା ଶେଷ ଅବସ୍ଥାରେ ଥିବା ବ୍ଲଡ଼୍ କ୍ୟାନ୍ସର ରୋଗୀ। କେହି ବି ନାହାନ୍ତି ତାର ଦେଖାରଖା କରିବା ଲୋକ। କେତେବେଳେ ବି ଚାଲିଯାଇପାରେ ତା ଜୀବନ। ତା ରିପୋର୍ଟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ ସେ, କେମିତି ବଞ୍ଚିଛି ଲୋକଟା ଏତେ ଆଗ୍ରେସିଭ୍ କ୍ୟାନ୍ସରକୁ ଦେହରେ ଧରି। ଆଉ ଟିକେ ମାତ୍ର ବିଳମ୍ବ ନକରି ଝରକା ପାଖକୁ ଯାଇ ଟାଣି ଆଣିଲେ ସେ ମିସେସ୍ ପଟ୍ଟନାୟକଙ୍କୁ। ଚମକି ପଡ଼ି ଚିଠିଗୁଡ଼ାକୁ ଲୁଚେଇବାକୁ ଧାଇଁ ଯାଉଥିଲେ ମିସେସ୍ ପଟ୍ଟନାୟକ। ହେଲେ ସେତକ ସୁଯୋଗ ବି ତାଙ୍କୁ ଦେଲେନି ତାଙ୍କର ସ୍ୱାମୀ ଡାକ୍ତର ପଟ୍ଟନାୟକ। ସିଧା ତାଙ୍କୁ ନେଇ କାର୍ରେ ବସେଇ ଷ୍ଟାର୍ଟ ମାରିଲେ ସେ। ଲଜ୍ଜା ଓ ଅପମାନରେ କିଛି କହିପାରୁନଥିଲେ ମିସେସ୍ ପଟ୍ଟନାୟକ। କେବଳ ଏତିକି ପଚାରିଲେ କେତେବେଳଠୁ ଆସିଲଣି ତୁମେ। କୁଆଡ଼େ ଯାଉଛେ ଆମେ? ଶୀଘ୍ର ନଗଲେ ଡେରି ହୋଇଯିବ, କହିଲେ ଡାକ୍ତର ପଟ୍ଟନାୟକ ଓ ଛୁଟେଇଦେଲେ ଗାଡ଼ି। ସିକ୍ୟୁରିଟିକୁ ଗାଡ଼ି ପାର୍କିଙ୍ଗ୍ କରିବାକୁ ଦେଇ ମିସେସ୍ ପଟ୍ଟନାୟକଙ୍କ ହାତ ଧରି ଛୁଟିଗଲେ ସେ ଆଇ.ସି.ୟୁ. ଭିତରକୁ।
ଭିତରେ ଶୋଇଥିଲା ବ୍ଲଡ଼୍ କ୍ୟାନ୍ସରର ଶେଷ ଅବସ୍ଥାରେ ଥିବା ରୋଗୀଟି। ନା, ଶୋଇନଥିଲା, ଅପେକ୍ଷା କରିଥିଲା। ମିସେସ୍ ପଟ୍ଟନାୟକଙ୍କୁ ତାଙ୍କ ସ୍ୱାମୀ ଠିଆ କରେଇଦେଲେ ରୋଗୀଟିର ସାମ୍ନାରେ। ଅଳ୍ପ ଟିକେ ବର୍ଷା ଟୋପା ପଡ଼ିଥିଲା ମିସେସ୍ ସୀମା ପଟ୍ଟନାୟକଙ୍କ ମୁହଁରେ। ଠିକ୍ ସେମିତି ଦେଖାଯାଉଥିଲା ସୀମା, ଯେମିତି ଦେଖାଯାଉଥିଲା କୋଡ଼ିଏ ବର୍ଷ ତଳର ସେହିଅପରାହ୍ନରେ। ବାହାରେ ଝୋ ଝୋ ବର୍ଷା ଢାଳୁଥିଲା। ମିସେସ ସୀମା ପଟ୍ଟନାୟକଙ୍କ ଆଖିରୁ ଶ୍ରାବଣ ବର୍ଷିବାକୁ ଆରମ୍ଭ କରୁଥିଲା। ଏଇଟା ସବୁଠାରୁ ଦାରୁଣ ଶ୍ରାବଣ ଥିଲା ମିସେସ୍ ସୀମା ପଟ୍ଟନାୟକଙ୍କ ପାଇଁ। ଅପେକ୍ଷା ଶେଷ ହୋଇଥିଲା। ରୋଗୀଟିର ଆଖି ବୁଜି ହୋଇଆସିଲା। ଡାକ୍ତର ପଟ୍ଟନାୟକ ଡାକ ପକେଇଲେ ନର୍ସମାନଙ୍କୁ।
ମୋ: ୯୪୩୮୪୬୮୪୭୪






