ଏ.କେ. ବ୍ୟୁରୋ: ବୁନ୍ଦାଏ ପିଇବା ପାଣି ପାଇଁ ଏଠି ଲୋକେ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି । ଗାଁକୁ ପଶିଗଲେ ଆପଣଙ୍କୁ ଚିକ୍ ଚିକ୍ କରୁଥିବା ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ଦିଶିବ । ଟ୍ୟାପ୍ ଖୋଲିଲେ ପାଣି ମଧ୍ୟ ବାହାରୁଛି। ହେଲେ ସେହି ପାଣିରେ ହାତ ମାରିବାକୁ ବି ଇଚ୍ଛା ହେବନି । ସରକାର ଘରେ ଘରେ ପାନୀୟ ଜଳ ପହଞ୍ଚାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି, ହେଲେ ବାସ୍ତବ ଚିତ୍ର କିନ୍ତୁ କିଛି ଅଲଗା ।

ଆଜି ବି ଲୋକେ ବୁନ୍ଦାଏ ଶୁଦ୍ଧ ଜଳ ପାଇଁ ଡହଳ ବିକଳ ହେଉଛନ୍ତି । ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରୁ । ବିଲରେ ଖୋଳାଯାଇଥିବା ଏକ ଅପରିଷ୍କାର ଗାତର ପାଣି ପିଉଛନ୍ତି ଲୋକେ । ବୁନ୍ଦାଏ ପିଇବା ପାଣି ପାଇଁ ଏଠି ଲୋକେ ନିଜ ନିଜ ଭିତରେ ପ୍ରତିଯୋଗିତା କରୁଛନ୍ତି । ଗାଁକୁ ପଶିଗଲେ ଆପଣଙ୍କୁ ଚିକ୍ ଚିକ୍ କରୁଥିବା ଏକ ସୋଲାର ପାନୀୟ ଜଳ ପ୍ରକଳ୍ପ ଦିଶିବ । ଟ୍ୟାପ୍ ଖୋଲିଲେ ପାଣି ମଧ୍ୟ ବାହାରୁଛି। ହେଲେ ସେହି ପାଣିରେ ହାତ ମାରିବାକୁ ବି ଇଚ୍ଛା ହେବନି । କାରଣ ପାଣି ସମ୍ପୂର୍ଣ୍ଣ ହଳଦିଆ, ଯାହା ପିଇବା ତ ଦୂରର କଥା ବ୍ୟବହାର କରିବା ମଧ୍ୟ ବିପଦଜ୍ଜନକ । ସେଥିପାଇଁ ବାଧ୍ୟ ହୋଇ ବିଲ ମଝିରେ ଥିବା ଏକ ଛୋଟ ଗାତ ଉପରେ ନିର୍ଭର କରୁଛନ୍ତି ଉଦଳା ବ୍ଲକ ପାଟଶାଣିପୁର ପଞ୍ଚାୟତର ଝରଣାସାହିର ୫୦ ପରିବାର । ଝରଣାରୁ ବୋହି ଆସୁଥିବା ପାଣି ଏହି ଗାତରେ ଜମି ରହୁଛି । ରାତି ପାହିଲେ ସମସ୍ତେ ହାଣ୍ଡି, ଗରା ଧରି ଧାଡ଼ି ଲଗାଉଛନ୍ତି ଏହି ଅପରିଷ୍କାର ଗାତ ନିକଟରେ । ଦିନରାତି ଖୋଲା ହୋଇପଡ଼ିଥିବା ଏହି ଗାତରେ ଆବର୍ଜନା ଥିଲେ ସୁଦ୍ଧା ବିକଳ୍ପ ନଥିବାରୁ ଏହାକୁ ପିଇବାକୁ ବାଧ୍ୟ ହେଉଛନ୍ତି ଲୋକେ । ପାନୀୟ ଜଳର ସୁବ୍ୟବସ୍ଥା ପାଇଁ ଗ୍ରାମବାସୀ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ଜନ ପ୍ରତିନିଧିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ଦ୍ଵାରସ୍ଥ ହୋଇଛନ୍ତି । ହେଲେ କେହି ବି ଲୋକଙ୍କ ଅଭିଯୋଗ ଶୁଣୁନାହାନ୍ତି । ଫଳରେ ଦୂଷିତ ପାଣି ପିଇ ଲୋକେ ବିଭିନ୍ନ ରୋଗର ଶିକାର ହେଉଥିବା ଅଭିଯୋଗ କରିଛନ୍ତି ।






