ଏ.କେ. ବ୍ୟୁରୋ: ରାତି ଅଧରେ ରାୟଗଡ଼ା ସହରରେ ଗୁଳିକାଣ୍ଡ । ବନ୍ଧୁକ ମୁନରେ ଯୁବକଙ୍କୁ ଅପହରଣ ଅଭିଯୋଗ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁର୍ବୃତ୍ତ ଅପହରଣ କରିଥିବା ସନ୍ଦେହ । ଖବର ପାଇ ଘଟଣାସ୍ଥଳରେ ପହଁଚି ତଦନ୍ତ କରୁଛି ଟାଉନ ଥାନା ପୁଲିସ୍ । ରାୟଗଡ଼ା ସହରରେ ଗୁଳିକାଣ୍ଡ ଯୁବକଙ୍କୁ ଅପହରଣ ।

ଇନ୍ଦିରା ନଗର ତୃତୀୟ ଲାଇନରେ କିଛି ଅଜଣା ଅପହରଣକାରୀ । ଗୁଳି ଫୁଟାଇ ଜଣେ ଯୁବକଙ୍କୁ ଅପହରଣ କରିନେଇଥିବା ଜଣାପଡିଛି। ପୂର୍ବ ଶତୃତାକୁ କେନ୍ଦ୍ର କରି ଏହି କାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଶନିବାର ପାଖାପାଖି ରାତି ୧୦ଟା ସମୟରେ କିଛି ଦୁର୍ବୃତ୍ତ ଗୋଟିଏ ବୁଲେଟ ଏବଂ ଏକ ଚାରି ଚକିଆ ଗାଡିରେ ଜଣେ ଯୁବକଙ୍କୁ ପିଛା କରିଥିଲେ, ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଏହି ସମୟରେ ଯୁବକ ଜଣଙ୍କ ଭୟରେ ଦୌଡି ପଳେଇବା ସମୟରେ ଫାଇରିଂ ହୋଇଥିବା କୁହାଯାଇଛି । ଏପରିକି ଯୁବକ ଜଣଙ୍କ ପ୍ରାଣ ଭୟରେ ଜଣଙ୍କ ଘରକୁ ପସିଯିବା ସମୟରେ ଦୁର୍ବୁତ୍ତ ମାନେ ତାକୁ ଅପହରଣ କରି ରିଂ ରୋଡ ପଟେ ଚାଲିଯାଇଥିଲେ । ଅପହରଣ ହୋଇଥିବା ଯୁବକ ଜଣଙ୍କ ନାମ ନିଖିଲ । ରାୟଗଡା ଟାଉନ ଥାନା ପୁଲିସ ସୂଚନା ପାଇ ତଦନ୍ତ ଆରମ୍ଭ କରିଛି । କିନ୍ତୁ ଗୁଳିକାଣ୍ଡ ଘଟଣାକୁ ପୁଲିସ ଅସ୍ବିକାର କରିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି ପୁଲିସ ଗଣମାଧ୍ୟମକୁ କହିଛି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କର ଛାୟା ଖେଳିଯାଇଛି ।






